ଭୁବନେଶ୍ବର: ‘ଚକଲେଟ୍ ପ୍ରଡକ୍ସନ୍ସ’ ପ୍ରଯୋଜିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’ର ୨୦ତମ ସୋ’ ଆଜି ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଯାଇଛି। ବିଶିଷ୍ଟ ଅଭିନେତା ତଥା ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ଓ ଧର୍ମପତ୍ନୀ ଅନୁପମା ନନ୍ଦ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

Advertisment

ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ନାଟକ ‘ଆହେ ନୀଳଶଇଳ’ ଦେଖିବା ପରେ ଶ୍ରୀ ନନ୍ଦ କହିଲେ, ବିବାହ ପୂର୍ବରୁ ମା’ ମୋ ପାଖରେ ଥା’ନ୍ତି। ମୁଁ ବହି ପଢ଼ିବା ବେଳେ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲି। ମା’ ପଚାରିଲେ ବହି ତ ପଢ଼ୁଛୁ କିନ୍ତୁ, କାନ୍ଦୁଛୁ କାହିଁକି। ସେ ବହିଟି ଥିଲା ନୀଳ‌ଶୈଳ। ୟା ଭିତରେ ବହୁତ ଘଟଣା ଅଘଟଣ ଜୀବନରେ ଘଟିଯାଇଛି। ମଝିରେ ବଡ଼ ପୁଅ ମଧ୍ୟ ଆରପାରିକୁ ଚାଲିଗଲା। ସେଦିନ ମୋ ଆଖିରୁ ଯେତିକି ଲୁହ ବହି ନଥିଲା, ଆଜି ତା’ଠାରୁ ଅଧିକ ବହିଗଲା। ଏମିତି ମର୍ମସ୍ପର୍ଶୀ ନିଖୁଣ ନାଟକ ଦେଖି ବହୁତ ଆନନ୍ଦ ଲାଗିଲା ବୋଲି ସେ କହିଥିଲେ। ଶ୍ରୀମତୀ ନନ୍ଦ ନାଟକ ହୃଦୟସ୍ପର୍ଶୀ ହୋଇଥିବା କହିଥିଲେ। ନାଟକର ସଫଳତା ପାଇଁ ସେମାନେ ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଓ ଟିମ୍‌କୁ ଧନ୍ୟବାଦ ଦେଇଥିଲେ।