ଭୁବନେଶ୍ୱର : କରୋନା ସମୟରେ ଯୋଦ୍ଧା ଭାବେ ଆଗରେ ରହିଥିବା ଆୟୁଷ ଡାକ୍ତର ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୨୧ଜଣ ଡାକ୍ତର କରୋନା ପଜିଟିଭ୍ ଥିବା ବେଳେ ତହିଁରୁ ୨ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ୨୧ ସଂକ୍ରମିତ ଆୟୁଷ ଡାକ୍ତରଙ୍କ ମଧ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି। ଏହା ପରେ ବାଲେଶ୍ବର ଜିଲ୍ଲା ରହିଛି। ତେବେ ୨ଜଣ ଡାକ୍ତରଙ୍କ ଅବସ୍ଥା ଗୁରୁତର ରହିଛି। କୋରାପୁଟା ସିମିଳିଗୁଡ଼ାରେ କାର୍ଯ୍ୟରତ ଜଣେ ଓ ବାଲେଶ୍ବର ଜିଲ୍ଲାରେ ଜଣେ ଡାକ୍ତରଙ୍କୁ ରାଜଧାନୀରେ ଥିବା କୋଭିଡ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି।
ରାଜ୍ୟର ୪୧୧୪ ଆୟୁଷ ଡାକ୍ତର କୋଭିଡ ଡ୍ୟୁଟିରେ ନିୟୋଜିତ ହୋଇଛନ୍ତି। ତେବେ କରୋନା ପାଇଁ ଗଞ୍ଜାମରେ ସର୍ବାଧିକ ୨ଶହ ସରକାରୀ ଆୟୁର୍ବେଦିକ ଡାକ୍ତର ନିୟୋଜିତ ହୋଇଛନ୍ତି। ଏହାବାଦ୍ ଜିଲ୍ଲାରେ ପୂର୍ବରୁ ନିୟୋଜିତ ହୋଇଥିବା ଏନ୍ଏଚ୍ଏମ୍ ଓ ଆରବିଏସ୍କେ ଅଧୀନରେ ଥିବା ଆୟୁଷ ଡାକ୍ତର ମଧ୍ୟ କାର୍ଯ୍ୟରତ ଅଛନ୍ତି। ତେବେ କୋଭିଡ ଡ୍ୟୁଟିରେ ନିୟୋଜିତ ଆୟୁଷ ଡାକ୍ତର ଯଦି କରୋନା ସଂକ୍ରମିତ ହେଉଛନ୍ତି ତାହାଲେ ସଂପୃକ୍ତ ଡାକ୍ତରଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ଲାଗି ଓଡ଼ିଶା ରାଜ୍ୟ ଆୟୁର୍ବେଦିକ ଚିକିତ୍ସକ ସଂଘ ଦାବି କରିଛି। ଗତ ଏପ୍ରିଲ ମାସରୁ ଆୟୁଷ ଡାକ୍ତରମାନେ ନିୟମିତ ଭାବେ କାର୍ଯ୍ୟ କରି ଆସୁଥିବାରୁ ରାଜ୍ୟ ସରକର ଆୟୁଷ ଡାକ୍ତରମାନଙ୍କ ସ୍ଥିତିକୁ ବିଚାରକୁ ନେବାକୁ ସଂଘ ପକ୍ଷରୁ କୁହାଯାଇଛି।