ଆଜି ବସ୍‌ କ୍ୟୁ ସେଲ୍ଟରର ଶିଳାନ୍ୟାସ, ୨୧କୋଟିରେ ନିର୍ମାଣ ହେବ ୨୦୦ ବସ୍‌ଷ୍ଟପ୍‌

ଭୁବନେଶ୍ୱର: ହକି ବିଶ୍ୱକପ୍‌ ପୂର୍ବରୁ ରାଜଧାନୀର ସାଧାରଣ ପରିବହନ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ହେବ। ୯୦ଟି ପୁରୁଣା ସିଟି ବସ୍‌ ସମେତ ୨୦୦ଟି ନୂଆ ସିଟି ବସ୍‌ ଚାଲିବ। ଏହି ବସ୍‌ରେ ଯେପରି ଅଧିକ ଯାତ୍ରୀ ଯାତାୟାତ କରିବେ, ଅପେକ୍ଷା କରିବାକୁ ଥିବା ଯାତ୍ରୀମାନେ ଯେପରି ଆରାମରେ ବସ୍‌କୁ ଅପେକ୍ଷା କରିବେ, ସମସ୍ତ ପ୍ରକାରର ସୁବିଧା ସୁଯୋଗ ମିଳିବ ସେଥିପାଇଁ ୨୦୦ଟି ବସ୍‌ କ୍ୟୁ ସେଲ୍ଟର ନିର୍ମାଣ ହେବ। ଏଥିପାଇଁ ୫୦ଟି ସ୍ଥାନରେ କାମ ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ। ଅପରାହ୍ନ ୫ଟା ୨୫ରେ ମୁଖ୍ୟମନ୍ତ୍ରୀ ରୂପାଲି ଛକରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ। ନଭେମ୍ବର ପ୍ରଥମ ସପ୍ତାହରେ ନୂଆ ସିଟି ବସ୍‌ ସେବା ଆରମ୍ଭ ହେବାକୁ ଥିବା ବେଳେ ଏହା ପୂର୍ବରୁ ରାଜଧାନୀରେ ପ୍ରାୟ ୧୦୦ଟି ବସ୍‌ କ୍ୟୁ ସେଲ୍ଟର ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ୨୦୦ଟି ବସ୍‌ କ୍ୟୁ ସେଲ୍ଟର ନିର୍ମାଣ ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌)କୁ ୨୧.୨୦କୋଟି ଟଙ୍କା ଦିଆଯାଇଛି। ଜେଏସ୍‌ଏଲ୍‌ ଲାଇଫ୍‌ ଷ୍ଟାଇଲ୍‌ ଲିମିଟେଡ ସଂସ୍ଥା ଏହି ବସ୍‌ କ୍ୟୁ ସେଲ୍ଟର ନିର୍ମାଣ କରିବ। ଦୁଇମାସ ମଧ୍ୟରେ କାମ ଶେଷ କରିବାକୁ ସଂସ୍ଥାକୁ ଟାର୍ଗେଟ୍‌ ଦିଆଯାଇଛି। କ୍ରୁଟ୍‌ର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜଧାନୀରେ ୨୦୦ଟି ବସ୍‌ ସେଲ୍ଟର ନିର୍ମାଣ ହେବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୦୦ଟି ସ୍ଥାନ ଚିହ୍ନଟ ହୋଇଛି। ଏଥିରୁ ୫୦ଟି ସ୍ଥାନରେ ରାସ୍ତା ଖୋଳା କାର୍ଯ୍ୟ ଶେଷ ହୋଇଛି। ତନ୍ମଧ୍ୟରୁ ୨୦ଟି ସ୍ଥାନରେ କଂକ୍ରିଟ୍‌ ଚଟାଣ ନିର୍ମାଣ ଶେଷ ହୋଇଛି। ଏହି ସେଲ୍ଟର ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମାଣ ହେବ। ଏଠାରେ ଆରାମଦାୟକ ସିଟ୍‌ ସହ କେଉଁ ବସ୍‌ କେତେବେଳେ ଆସିବ, କେଉଁ ରୁଟ୍‌ରେ ଯିବ ତା’ର ସବିଶେଷ ତଥ୍ୟ ଡିଜିଟାଲ ବୋର୍ଡରେ ଉପଲବ୍ଧ ହେବ। ଏହାସହ ପିଇବା ପାଣି, ମୋବାଇଲ୍‌ ଚାର୍ଜିଂ ବ୍ୟବସ୍ଥା ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର