ବସ୍‌ ଷ୍ଟପ୍‌ ପାଇଁ ୨୧କୋଟି

ବିଏମ୍‌ସି-ଭବାନୀ ମଲ୍‌ରେ ଖୋଲିବ କ୍ରୁଟ୍‌ କାର୍ଯ୍ୟାଳୟ

ଭୁବନେଶ୍ୱର: ହକି ବିଶ୍ୱକପ୍‌ ପୂର୍ବରୁ ରାଜଧାନୀରେ ସିଟି ବସ୍‌ ସେବା ସମ୍ପ୍ରସାରଣ ହେବ। ଏଥିପାଇଁ ରାଜଧାନୀକୁ ଦୁଇଟି ପ୍ୟାକେଜ୍‌ରେ ୨୦୦ଟି ସିଟି ବସ୍‌ ଆଣିବାକୁ ଯୋଜନା ହୋଇଥିଲେ ହେଁ ଆସନ୍ତା ମାସକ ମଧ୍ୟରେ ୧୫୦ଟି ସିଟି ବସ୍‌ ଆସିବ। ଡିସେମ୍ବରରେ ବାକି ୫୦ଟି ବସ୍‌ ଆସିବ। ନଭେମ୍ବର ପ୍ରଥମ ସପ୍ତାହରେ ନୂଆ ସିଟି ବସ୍‌ ସେବା ଆରମ୍ଭ କରିବାକୁ ଯୋଜନା ହୋଇଛି। ସିଟି ବସ୍‌ର ରହଣି ପାଇଁ ରାଜଧାନୀରେ ୨୦୦ଟି ବସ୍‌ଷ୍ଟପ୍‌ ନିର୍ମାଣ ହେବ। ଏହି ରହଣିସ୍ଥଳ ନିର୍ମାଣ ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ୨୧.୨୦କୋଟି ଟଙ୍କା ଦେବ। ବିଏସ୍‌ସିଏଲ୍‌ର ୧୦ମ ବୋର୍ଡ ଅଫ୍‌ ଡାଇରେକ୍ଟରସ୍‌ ବୈଠକ ଏହି ଆର୍ଥିକ ଅନୁଦାନକୁ ଅନୁମୋଦନ କରିଛି।

ଆଜି ଉନ୍ନୟନ କମିସନର୍‌ ତଥା ବିଏସ୍‌ସିଏଲ୍‌ ବୋର୍ଡ ଅଫ୍‌ ଡାଇାରକ୍ଟର୍‌ସର ଅଧ୍ୟକ୍ଷ ଆର୍‌. ବାଲକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହାସହ ସ୍ମାର୍ଟ ସିଟି ଭୁବନେଶ୍ୱରର ବିଭିନ୍ନ ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଛି। ଭୁବନେଶ୍ୱର-କଟକ-ପୁରୀ-ଖୋର୍ଦ୍ଧା ଅଞ୍ଚଳରେ ସିଟି ବସ୍‌ ସେବା ସମ୍ପ୍ରସାରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଗଠନ ହୋଇଛି। କ୍ର୍ରୁଟ୍‌ ଅଧୀନରେ ସିଟି ବସ୍‌ ସେବା ପରିଚାଳନା ହେବାକୁ ଥିବାବେଳେ ଏହାକୁ ସୁଦୃଢ କରିବା ପାଇଁ ବିଏସ୍‌ସିଏଲ୍‌ ଆର୍ଥିକ ସହଯୋଗ କରିଛି। ଭୁବନେଶ୍ୱର ସିଟି ବସ୍‌ ଆଧୁନିକୀକରଣ ପ୍ରକଳ୍ପରେ ରାଜଧାନୀର ସିଟି ବସ୍‌ ସେବା ଉନ୍ନତୀକରଣ ହେବ। ଏଥିପାଇଁ କ୍ରୁଟ୍‌ ପକ୍ଷରୁ ଦୁଇଟି ପ୍ୟାକେଜ୍‌ରେ ୨୦୦ଟି ବସ୍‌ ଆସିବ। କ୍ରୁଟ୍‌ ପକ୍ଷରୁ ବସ୍‌ କ୍ୟୁ ସେଲ୍ଟର ଡିଜାଇନ୍‌ ପ୍ରସ୍ତୁତ ହୋଇଥିବାବେଳେ ଏହାର ନିର୍ମାଣ କାର୍ଯ୍ୟ ଜେଏସ୍‌ଏଲ୍‌ ଲାଇଫ୍‌ ଷ୍ଟାଇଲ୍‌ ଲିମିଟେଡ୍‌ ନେଇଛି। ଏହି ବସ୍‌ଷ୍ଟପ୍‌ ନିର୍ମାଣ ପାଇଁ ଟେଣ୍ଡର୍‌ ପାଇଥିବା ଜେଏସ୍‌ଏଲ୍‌ ଲାଇଫ୍‌ ଷ୍ଟାଇଲ୍‌ ଲିମିଟେଡ୍‌ ସଂସ୍ଥାକୁ କାର୍ଯ୍ୟାଦେଶ ଦେବା ପାଇଁ ଗତ ଅଗଷ୍ଟ ୧୦ତାରିଖରେ ବସିଥିବା କ୍ରୁଟ୍‌ର ୩୩ତମ ବୋର୍ଡ ଅଫ୍‌ ଡାଇରେକ୍ଟରସ୍‌ ବୈଠକରେ ନିଷ୍ପତ୍ତି ହୋଇଛି।

ରାଜଧାନୀରେ ୨୦୦ଟି ବସ୍‌ ସେଲ୍ଟର୍‌ ନିର୍ମାଣ ହେବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୦୦ଟି ସ୍ଥାନ ଚିହ୍ନଟ ହୋଇଛି। ଏଥିରୁ ୫୦ଟି ସ୍ଥାନରେ ରାସ୍ତା ଖୋଳା କାର୍ଯ୍ୟ ଶେଷ ହୋଇଛି। ତନ୍ମଧ୍ୟରୁ ୨୦ଟି ସ୍ଥାନରେ କଙ୍କ୍ରିଟ ଚଟାଣ ନିର୍ମାଣ ଶେଷ ହୋଇଛି। ସେହିପରି ଆଜିର ବୈଠକରେ ନିଷ୍ପତ୍ତି ହୋଇଛି ଯେ, ବିଏମ୍‌ସିର ନୂତନ ବିଲ୍‌ଡିଂ ନିର୍ମାଣ କାର୍ଯ୍ୟ ଇଞ୍ଜିନିୟରିଂ ପ୍ରୋକ୍ୟୁରମେଣ୍ଟ ଆଣ୍ଡ କନଷ୍ଟ୍ରକସନ୍‌ (ଇପିସି) ମୋଡରେ ହେବ। ବାପୁଜୀ ନଗରରେ ହେବାକୁ ଥିବା ଇଣ୍ଟିଗ୍ରେଟେଡ୍‌ ପବ୍ଲିକ ସର୍ଭିସ୍‌ ସେଣ୍ଟର୍‌ ନିର୍ମାଣ, ଆରମ୍ଭ ହେବାକୁ ଥିବା କମନ୍‌ ପେମେଣ୍ଟ କାର୍ଡ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ଖୁବ୍‌ ଶୀଘ୍ର ସ୍ମାର୍ଟ ସିଟି ଭୁବନେଶ୍ୱରର କାର୍ଯ୍ୟାଳୟ ବିଏମ୍‌ସି ଭବାନୀ ମଲ୍‌ର ଦ୍ୱିତୀୟ ମହଲାରୁ ପଞ୍ଚମ ମହଲାକୁ ସ୍ଥାନାନ୍ତର ହେବ ଏବଂ ଦ୍ୱିତୀୟ ମହଲାରେ କ୍ରୁଟ୍‌ କାର୍ଯ୍ୟାଳୟ ଖୋଲିବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର