୨୧ କେଜି ଗଞ୍ଜେଇ ଜବତ, ୩ ଗିରଫ

ଦୁର୍ବ୍ୟବହାର ଅଭିଯୋଗ, ୩ କିନ୍ନର ଅଟକ, ଗ୍ୟାସ୍ ସିଲିଣ୍ଡର ଚୋରି ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ୱର : ମଞ୍ଚେଶ୍ବର ଥାନା ପୁଲିସ କ୍ୟୁଏଟି ସହାୟତାରେ ଆଜି ବଡ଼ି ଭୋର୍‌ରେ ତିନିଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ, କନ୍ଧମାଳ ବାଲିଗୁଡ଼ା ଥାନା ନୂଆସାହିର ସୂରଜ କୁମାର, ଇସାକ୍‌ ନାୟକ ଓ ସିୟାନ ନାୟକ। ସେମାନଙ୍କଠାରୁ ୨୧କେଜି ୬୭୪ଗ୍ରାମ୍‌ ଗଞ୍ଜେଇ, ଏକ ବାଇକ୍‌ ଓ ୩ଟି ମୋବାଇଲ ଜବତ କରାଯାଇଛି।

ସୂଚନା ମୁତାବକ, ଭୋର୍‌ ୪ଟା ୩୦ରେ ପୁରୀ ବାଇପାସ୍‌ ନିକଟରେ କ୍ୟୁଏଟି ସହ ଏସ୍‌ଆଇ ସନ୍ତୋଷ ଶତପଥୀ ନାଇଟ୍‌ ଡ୍ୟୁଟି କରୁଥିଲେ। ଏହି ତିନିଜଣ ଅଭିଯୁକ୍ତ ରସୁଲଗଡ଼ ଫ୍ଲାଏଓଭର୍‌ ଆଡ଼ୁ ଏକ ବାଇକ୍‌ରେ ଆସୁଥିବା ଦେଖିବା ପରେ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ହେଲେ ପୁଲିସକୁ ଦେଖି ସେମାନେ ପୁରୀ ଆଡ଼କୁ ଦ୍ରୁତ ଗତିରେ ପଳାଇ ଯାଇଥିଲେ। ପୁଲିସ ସେମାନଙ୍କୁ ପିସିଆର ଭ୍ୟାନ୍‌ରେ ପିଛା କରି ପ୍ରାୟ ୫ କିଲୋମିଟର ଦୂରରେ ଅଟକାଇଥିଲା। ଖାନତଲାସି ବେଳେ ସେମାନଙ୍କ ନିକଟରୁ ଏକ ପଲିଥିନ୍‌ ବ୍ୟାଗ୍‌ ଭର୍ତ୍ତି ଗଞ୍ଜେଇ ଜବତ ହୋଇଥିଲା।

୪ ଅପରାଧୀଙ୍କୁ ଗିରଫ କଲା ବଲାଙ୍ଗୀର ପୁଲିସ
ଚନ୍ଦ୍ରଶେଖରପୁର : ପଟିଆ ଅଞ୍ଚଳରୁ ୪ କୁଖ୍ୟାତ ଅପରାଧୀଙ୍କୁ ଆଜି ସକାଳେ ଗିରଫ କରିଛି ବଲାଙ୍ଗୀର ପୁଲିସ। ସେମାନେ ଗ୍ୟାଙ୍ଗଷ୍ଟର୍ ଟିଟନ୍ ପାଇଁ କାମ କରୁଥିବା ଜଣାପଡ଼ିଛି। ବଲାଙ୍ଗୀରରେ ସେମାନଙ୍କ ନାମରେ ଚୋରି, ଲୁଟ୍, ରାହାଜାନି, ହତ୍ୟା ଓ ଦାଦା ବିଟି ଆଦୟ ଆଦି ଅଭିଯୋଗ ରହିଛି। ସୋମବାର ସେମାନେ ସ୍ଥାନୀୟ ଏକ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ବଟି ନେବା ସହ ହତ୍ୟା ଉଦ୍ୟମ କରିଥିଲେ। ଏନେଇ ପୁଲିସ୍ ନିକଟରେ ବ୍ୟବସାୟୀ ଜଣଙ୍କ ଅଭିଯୋଗ କରିଥିଲେ। ଗିରଫ ଭୟରେ ଏମାନେ ପଟିଆ ଅଞ୍ଚଳରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ ଭଡ଼ାରେ ରୁହଥିଲେ।

ଦୁର୍ବ୍ୟବହାର ଅଭିଯୋଗ, ୩ କିନ୍ନର ଅଟକ

ଚନ୍ଦ୍ରଶେଖରପୁର : ନାଲକୋ ଟ୍ରାଫିକ୍ ଛକରେ ବାଇକ୍ ଓ କାର୍ ଚାଳକମାନଙ୍କୁ ଦୁର୍ବ୍ୟବହାର କରି ଟଙ୍କା ଆଦୟ କରୁଥିବା ୩ଜଣ କିନ୍ନରଙ୍କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଆଜି ସଂଧ୍ୟାରେ ଥାନାରେ ଅଟକ ରଖିଛି। ଏନେଇ ଏକ ମାମଲା ରୁଜୁ ହୋଇଛି। ଘଟଣା ଅନୁଯାୟୀ ବିଡିଏ କଲୋନି ଚନ୍ଦ୍ରଶେଖରପୁର ଅଞ୍ଚଳ ଏମ୍ଆଇଜି ବ୍ଲକ୍‌ରେ ରହୁଥିବା ଶିବପ୍ରସାଦ ଦାଶ ସଂଧ୍ୟାରେ ସୈନିକ ସ୍କୁଲ୍ ଛକରୁ ନାଲକୋ ଦିଗକୁ ଆସୁଥିବା ବେଳେ କିନ୍ନରମାନେ ତାଙ୍କୁ ଟ୍ରାଫିକ୍ ଛକରେ ଅଟକାଇ ଟଙ୍କା ମାଗିଥିଲେ। ସେ ନଦେବାରୁ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏନେଇ ଶିବପ୍ରସାଦ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ଫଳରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ୩ଜଣ କିନ୍ନରଙ୍କୁ କାବୁକରି ଥାନାକୁ ଆଣିଥିଲା।

ଗ୍ୟାସ୍ ସିଲିଣ୍ଡର ଚୋରି ଅଭିଯୋଗରେ ଜଣେ ଗିରଫ

ଚନ୍ଦ୍ରଶେଖରପୁର : ପଟିଆ ପ୍ରାଚୀ ଏନ୍‌କ୍ଲେଭ୍‌ ‌କଲୋନିର ଜଣେ ବ୍ୟକ୍ତିଙ୍କ ଘରୁ ଗ୍ୟାସ୍ ସିଲିଣ୍ଡର ଚୋରି ଅଭିଯୋଗରେ ଇନ୍‌ଫୋସିଟି ଥାନା ପୁଲିସ ଆଜି ନୀଳାଦ୍ରିବିହାର ନୀଳଚକ୍ରନଗରର ପବିତ୍ର ପ୍ରଧାନ(୨୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ରାତିରେ ପବିତ୍ର ଓ ତା’ର ଜଣେ ସାଥି ଘର ନଂ. ୧୩୩ରେ ରହୁଥିବା ରାଘବ ଚରଣ ସେଠୀଙ୍କ ଘର ଶିଡ଼ି ବାଟେ ପଶି ଗ୍ୟାସ୍ ସିଲିଣ୍ଡର ଚୋରି କରୁଥିବା ବେଳେ ଧରା ପଡ଼ିଥିଲେ। ତେବେ ତା’ ସହଯୋଗୀ ସେଠାରୁ ଖସି ଯିବାରେ ସକ୍ଷମ ହୋଇଥିଲା। ଶ୍ରୀ ସେଠୀଙ୍କ ପରିବାରଲୋକ ଏ ସଂପର୍କରେ ଥାନାକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରୁ ଚୋରକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର