ଲୁଟିଥିଲେ ୨୧ଲକ୍ଷ ପାହୁଲାଏ ମିଳିଲାନି

ବେଙ୍ଗାଲୁରୁରୁୁ ୨ ବାଂଲାଦେଶୀ ଗିରଫ, ୫ ଖସିଗଲେ , ୫ମୋବାଇଲ୍‌, ଆଧାର କାର୍ଡ, ୩ ଶାବଳ ଜବତ

ଭୁବନେଶ୍ବର: ରାଜ୍ୟର ପ୍ରଥମ ଏଟିଏମ୍‌ ତାଡ଼ି ନେଇ ଲୁଟିବା ମାମଲାରେ କମିସନରେଟ୍‌ ପୁଲିସକୁ ଶେଷରେ ସଫଳତା ମିଳିଛି। ଦୁଇ ବାଂଲାଦେଶୀ ଡକାୟତଙ୍କୁ ପୁଲିସ ବେଙ୍ଗାଲୁରୁରୁ ଧରିବାରେ ସଫଳ ହୋଇଛି। କିନ୍ତୁ ଏହି ୭ ଜଣିଆ ବିଦେଶୀ ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ ସମେତ ୫ ଜଣ ଫେରାର୍ ହୋଇଯାଇଛନ୍ତି। ଏମିତିକି ଏଟିଏମ୍‌ରୁ ଲୁଟ୍‌ ହୋଇଥିବା ୨୧ ଲକ୍ଷ ଟଙ୍କାରୁ ପୁଲିସ ଫଟା ପାହୁଲାଟିଏ ଆଦାୟ କରିପାରିନାହିଁ। ସବୁତକ ଟଙ୍କା ବାଂଲାଦେଶକୁ ଚାଲିଯାଇଛି। ଧରାପଡ଼ିଥିବା ଦୁଇ ଲୁଟେରା ହେଲେ ବଙ୍ଗଳାଦେଶ ବଗେରହତ୍‌ ଅଞ୍ଚଳର ଖୋକନ୍‌ ମୋଲ୍ଲା(୩୫) ଓ ମିଜାନୁର୍‌ ରେହେମନ୍‌ ମୋଲ୍ଲା(୩୯)। ସେମାନଙ୍କ ଠାରୁ ୫ଟି ମୋବାଇଲ୍‌, ଦୁଇଟି ଆଧାର କାର୍ଡ, ଚୋରିରେ ବ୍ୟବହୃତ ୩ଟି ଶାବଳ ଜବତ କରାଯାଇଛି।

ସିପି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନାନୁସାରେ ଗତ ୪ ତାରିଖ ବିଳମ୍ବିତ ରାତିରେ ଧଉଳି ଥାନା ଇନ୍ଦିରା କଲୋନି ନିକଟ ଏସ୍‌ବିଆଇ ଏଟିଏମ୍‌ରୁ ଲୁଟିଥିବା ଏହି ୭ ଜଣିଆ ଗ୍ୟାଙ୍ଗ୍‌ ଏକ ଆନ୍ତର୍ଜାତୀୟ ଏଟିଏମ୍‌ ଲୁଟେରା ଦଳ। ଏହି ଗ୍ୟାଙ୍ଗ୍‌ ନେପାଳ, ଭୁଟାନ୍‌, ବଙ୍ଗଳାଦେଶ, ମିଆଁମାର ଭଳି ଦେଶରେ ଏଟିଏମ୍‌ ଲୁଟିଥିବା ଜଣାପଡ଼ିଛି। ଭାରତରେ ଏହି ଗ୍ୟାଙ୍ଗ୍‌ ବେଙ୍ଗାଲୁର୍‌, ଗୋଆ ଓ ଦିଲ୍ଲୀରେ ବି ଏଟିଏମ୍‌ ଲୁଟ୍‌ କରିଛନ୍ତି। ଫେରାର୍‌ ୫ ଜଣ ଯେମିତି ବାଂଲାଦେଶକୁ ଖସି ନପଳାନ୍ତି, ସେଥିପାଇଁ ଓଡ଼ିଶା, ପଶ୍ଚିମବଙ୍ଗ ଆଦି ବାଂଲାଦେଶ ସୀମାନ୍ତ ସବୁ ରାଜ୍ୟର ଥାନାଗୁଡ଼ିକୁ ସତର୍କ କରାଇ ଦିଆଯାଇଛି। ଗିରଫ ଦୁଇ ଜଣଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବା ପରେ ଅନ୍ୟମାନଙ୍କୁ ଠାବ କରାଯାଇପାରିବ ବୋଲି ପୁଲିସ ଆଶାବାଦୀ ରହିଛି।

ଦୁଇ ହୋଟେଲ୍‌ କର୍ମଚାରୀ ଅଟକ

କଳ୍ପନା ଛକସ୍ଥିତ ହୋଟେଲ୍‌ରେ ଏହି ଗ୍ୟାଙ୍ଗ୍‌ର ୨ ଜଣ ଡେରା ପକାଇଥିବା ଜଣାପଡ଼ିବା ପରେ ପୁଲିସ ଉକ୍ତ ହୋଟେଲର ୨ କର୍ମଚାରୀଙ୍କୁ ଅଟକ ରଖିଛି। ହୋଟେଲର ମ୍ୟାନେଜର୍‌ ଓ ଅନ୍ୟ ଜଣକୁ ପୁଲିସ ଉଠାଇ ନେଇ ପଚରାଉଚରା କରୁଛି। କମିସନରେଟ୍‌ ପୁଲିସ ନିୟମାନୁସାରେ ହୋଟେଲ୍‌ରେ ରହୁଥିବା ଲୋକଙ୍କ ତଥ୍ୟ ହୋଟେଲ ପକ୍ଷରୁ ସରାଇ ଆପ୍‌ରେ ଅପ୍‌ଲୋଡ୍‌ ହେବା କଥା। ଫଳରେ ପୁଲିସ ଉକ୍ତ ଆପ୍‌ରୁ ସେମାନଙ୍କ ଫଟୋ ଓ ପରିଚୟ ପାଇ ପାରିବ। ମାତ୍ର ଏକ୍ଷେତ୍ରରେ ଉକ୍ତ ହୋଟେଲ କର୍ତ୍ତୃପକ୍ଷ ଦୁଇ ଲୁଟେରାଙ୍କ ତଥ୍ୟ ସରାଇ ଆପ୍‌ରେ ଅପ୍‌ଲୋଡ୍‌ କରିନଥିଲେ। ହୋଟେଲ ମ୍ୟାନେଜର୍‌ କେଉଁ ସ୍ବାର୍ଥ ପାଇଁ ପୁଲିସ ନିୟମକୁ ମାନିନଥିଲେ, ତାହା ଏବେ ବଡ଼ ପ୍ରସଙ୍ଗ ହୋଇଛି।

ଟଙ୍କା ନେଇଯାଉଥିଲା ସ୍ବତନ୍ତ୍ର ଏଜେନ୍ସି

ଏହି ଗ୍ୟାଙ୍ଗ୍‌ ଏଟିଏମ୍‌ ଲୁଟ୍‌ କରିବା ପରେ ପରେ ଟଙ୍କାତକ ଏକ ସ୍ବତନ୍ତ୍ର ଏଜେନ୍‌ସି ସେମାନଙ୍କଠାରୁ ନେଇଯାଏ। କାରଣ ଏତେଗୁଡ଼ାଏ ଟଙ୍କାକୁ ସେମାନେ କାରବାର କରିବା ସମସ୍ୟା ହୋଇଥାଏ। ନା ପାଖରେ ରଖିହୁଏ ନା ବ୍ୟାଙ୍କରେ ଜମା କରିହୁଏ। ଟ୍ରେନ୍‌ରେ କିମ୍ବା ଫ୍ଲାଇଟ୍‌ରେ ନେବା ମଧ୍ୟ ବିପଦମୁକ୍ତ ହୋଇନଥାଏ। ତେଣୁ ସେମାନଙ୍କର ସ୍ବତନ୍ତ୍ର ଏଜେନ୍ସି ରହିଛି। ଲୁଟ୍‌ ସରିବାର ମାତ୍ର କେଇ ଘଣ୍ଟା ପରେ ଏଜେନ୍ସି ପହଞ୍ଚିଯାଏ ଓ ସେମାନଙ୍କଠାରୁ ଲୁଟ୍‌ ଟଙ୍କାକୁ ନେଇ ବାଂଲାଦେଶ ପଠାଇଦିଏ। ଏଥିପାଇଁ ଏଜେନ୍ସି ବି ମୋଟା ଅଙ୍କର କମିସନି ଟଙ୍କା ନିଏ। ଧଉଳି ଏଟିଏମ୍‌ ଲୁଟ୍‌ରେ ମଧ୍ୟ ଏହି ଯୋଜନା ହୋଇଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗର ଏକ ଏଜେନ୍ସିକୁ ଏମାନଙ୍କ ଠାରୁ ଟଙ୍କା ନେଇ ବଙ୍ଗଳାଦେଶକୁ ପଠାଇଥିବା ଜଣାପଡ଼ିଛି। ତେଣୁ ଏବେ ଫେରାର୍ ଲୁଟେରାମାନଙ୍କୁ ଗିରଫ କରିବା ପୁଲିସ ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ, ଉକ୍ତ ଏଜେନ୍‌ସିକୁ ଠାବ କରିବା ବି ତା’ ଅପେକ୍ଷା ଅଧିକ ଜରୁରୀ। କାରଣ ଏଭଳି ବେଆଇନ କାମ କରୁଥିବା ଏଜେନ୍‌ସିମାନେ ହିଁ ଏଭଳି ଲୁଟ୍‌କୁ ପ୍ରୋତ୍ସାହନ ଦେଉଛନ୍ତି। ସେହିଭଳି ଏଭଳି ଏଜେନ୍‌ସିସବୁକୁ ଠାବ କରାଗଲେ, ଆହୁରି ବଡ଼ବଡ଼ ବେଆଇନ ପ୍ରସଙ୍ଗ ପଦାକୁ ଆସିପାରିବ ବୋଲି କୁହାଯାଉଛି। ରିମାଣ୍ଡରେ ଆଣିବା ପରେ ପୁଲିସକୁ ଏସବୁ ତଥ୍ୟ ମିଳିଯିବ ବୋଲି ତଦନ୍ତକାରୀ ଟିମ୍‌ ଆଶା ରଖିଛି।

ଲୁଟ୍‌ ତରିକା କୌଶଳପୂର୍ଣ୍ଣ

ଏହି ଗ୍ୟାଙ୍ଗ୍‌ର ଏଟିଏମ୍‌ ଲୁଟ୍‌ ତରିକା ବଡ଼ କୌଶଳପୂର୍ଣ୍ଣ। ଆନ୍ତର୍ଜାତୀୟ ଏହି ଲୁଟେରା ଗ୍ୟାାଙ୍ଗ୍‌ ଉଭୟ ବ୍ୟାଙ୍କ୍‌ ଓ ପୁଲିସକୁ ଚକ୍‌ମା ଦେବା କାଇଦା ବେଶ୍ ହାସଲ କରିଥିଲେ। ପ୍ରଥମେ ଏଟିଏମ୍‌କୁ ପ୍ରବେଶ କରିବା ମାତ୍ରେ ସିସିଟିଭି କ୍ୟାମେରାକୁ ଭାଙ୍ଗିବା ସହ ଏଟିଏମ୍‌କୁ ସଂଯୋଗ ହୋଇଥିବା ବିଦ୍ୟୁତ୍ ଲାଇନ୍‌ କାଟି ଦେଇଥିଲେ। ସେତିକି ସମୟ ଭିତରେ ହିଁ ଯେତିକି ଆଲାରାମ୍‌ ଏଟିଏମ୍‌ରୁ ସର୍ଭେଲାନ୍‌ସ ମୁଖ୍ୟାଳୟକୁ ଯାଇଥିଲା। ତେଣୁ ଏଟିଏମ୍‌ କାଉଣ୍ଟର ତିଆରିର ପ୍ରତିଟି ବୈଷୟିକ ଦିଗ ସେମାନଙ୍କୁ ଜଣାଥିଲା ବୋଲି ସ୍ପଷ୍ଟ ହୋଇଛି।

ରିମାଣ୍ଡରେ ଆଣିବା ପରେ ପୁଲିସ ସେମାନଙ୍କଠାରୁ ଏସବୁ ବାବଦରେ ପୂରା ତଥ୍ୟ ହାସଲ କରିବ। ତେବେ ଲୁଟ୍‌ ପୂର୍ବରୁ ସେମାନେ ପ୍ରାୟ ୨୦ ଦିନ ଆଗରୁ ଟାର୍ଗେଟ୍‌ ଏଟିଏମ୍‌ ର ପାରିପାର୍ଶ୍ବିକ ସ୍ଥିତିକୁ ରେକି କରି ବୁଝିସାରିଥାନ୍ତି। ଏହି ୭ ଜଣିଆ ଦଳ ବିଭିନ୍ନ ଭାଗରେ ବିଭକ୍ତ ହୋଇ ଅଲଗା ଅଲଗା ହୋଟେଲ୍‌ରେ ରହିଥାନ୍ତି ଓ ମଝିରେ କୌଣସିଠାରେ ଏକାଠି ହୋଇ ଲୁଟ୍‌ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରନ୍ତି। ଲୁଟ୍‌ ବେଳେ ବି ସେମାନେ ଅଲଗା ଅଲଗା ହୋଇ ରହିଥାନ୍ତି। ଦୁଇ ତିନି ଜଣ ଏଟିଏମ୍‌ କାଉଣ୍ଟର ଭିତରେ ପଶି ଅପରେସନ୍ କରିବା ବେଳେ ଅନ୍ୟମାନେ ବାହାରେ ରହି ନଜର ରଖନ୍ତି।

ବଡ଼ କଥା ହେଉଛି ଲୁଟ୍‌ ଅପରେସନ୍‌ର ବହୁ ପୂର୍ବରୁ ସେମାନେ ଉକ୍ତ ଅଞ୍ଚଳରେ ମୋବାଇଲ୍‌ ବ୍ୟବହାର କରନ୍ତି ନାହିଁ। ଏମିତିକି ସୁଇଚ୍‌ ଅଫ୍ କରି ମୋବାଇଲ୍‌ ଫୋନ୍‌ ବନ୍ଦ ରଖିଥାନ୍ତି। ଟାର୍ଗେଟ୍‌ ଏଟିଏମ୍‌ଠାରୁ ବହୁ ଦୂରରେ ଥାଇ ସେମାନେ ସବୁ ପ୍ରସ୍ତୁତି ସାରି ଦେଇଥାନ୍ତି। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏଟିଏମ୍‌ ଲୁଟ୍‌ର ଠିକ୍‌ ପୂର୍ବରୁ ସେମାନେ ଏକ ଗାଡ଼ି ଲୁଟିବା ଯୋଜନା ବି କରିସାରିଥାନ୍ତି। ଏଟିଏମ୍‌ର ଟଙ୍କା ଚାମ୍ବରକୁ ଲଦି ନେବା ପାଇଁ ସେମାନେ ପାଖାପାଖି ଅଞ୍ଚଳରୁ ଏକ ଗାଡ଼ି ଚୋରି କରନ୍ତି ଓ ଲୁଟ୍‌ ପରେ ପୁଣି ଗାଡ଼ିକୁ ଉକ୍ତ ସ୍ଥାନରେ ରଖି ପଳାନ୍ତି।

ଧଉଳି ଇନ୍ଦିରା କଲୋନି ଏସ୍‌ବିଆଇ ଏଟିଏମ୍‌ ତାଡ଼ିବା ବେଳେ ମଧ୍ୟ ସେମାନେ ସମାନ ତରିକା ଆପଣାଇଥିଲେ। ଏପ୍ରିଲ୍‌ ୪ ତାରିଖରେ ସେମାନେ ଲୁଟ୍‌ କରିଥିଲେ। କିନ୍ତୁ ଏହାର ୨୦ ଦିନ ପୂର୍ବରୁ ସେମାନେ ଆସି ରାଜଧାନୀରେ ଡେରା ପକାଇଥିଲେ। ଅଲଗା ଅଲଗା ହୋଟେଲରେ ଭାଗ ଭାଗ ହୋଇ ରହିଥିଲେ। ହୋଟେଲ୍‌ରେ ରହିବା ପାଇଁ ସେମାନେ ଜାଲ୍‌ ପରିଚୟପତ୍ର ଦେଇଥିଲେ। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ହୋଟେଲ୍‌ରେ ରହିଥିଲେ।

ପୁଲିସ ଅପରେସନ୍

ଏହି ଲୁଟେରା ଗ୍ୟାଙ୍ଗ୍‌ ପୁଲିସକୁ ଚକ୍‌ମା ଦେବାକୁ ସବୁ ଯୋଜନା କରିଥିଲେ। ଚୋରି ଗାଡ଼ି ବ୍ୟବହାର କରିବା, ସିସିଟିଭି ଭାଙ୍ଗିଦେବା ଓ ମୋବାଇଲ୍‌ ଫୋନ୍‌ ବନ୍ଦ କରିବା ଭଳି ସବୁ କରିଥିଲେ। ତେଣୁ ସେମାନଙ୍କୁ ଟ୍ରାକ୍‌ କରିବା ବା ଟାୱାର ଡମ୍ପିଂ କରି ଠାବ କରିବା ଭଳି ପୁଲିସ ପ୍ଲାନ୍‌ କିଛି କାମ କରିନଥିଲା। ସେମାନଙ୍କୁ ଠାବ କରିବା ପୁଲିସ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଥିଲା। ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନିର୍ଦେଶକ୍ରମେ ଡିସିପି ଉମାଶଙ୍କର ଦାଶଙ୍କ ନେତୃତ୍ବରେ ସ୍ପେସାଳ୍‌ ସ୍କ୍ବାଡ୍‌ ମୁଖ୍ୟ ଏସିପି ସଞ୍ଜୀବ ଶତପଥୀ, ଆଇଆଇସି ହିଂମାଶୁ ସ୍ବାଇଁ, ଚିତ୍ତରଂଜନ ରାଉତଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଥିଲା।

ପୁଲିସ ହାତରେ ଥିଲା ମାତ୍ର ୨୮ ସେକେ‌ଣ୍ଡର ଫୁଟେଜ୍‌। ସେମାନେ ଏଟିଏମ୍‌କୁ ପ୍ରବେଶ କରିବା ସମୟର ୨୮ ସେକେଣ୍ଡର ଫୁଟେଜ୍‌ ଓ ଗାଡ଼ି ଚୋରି ସମୟର ଭିଡିଓ ପୁଲିସ ପାଇଁ ବେଶ୍ ଉପାଦେୟ ହୋଇଥିଲା। ସେତିକିରୁ ଆରମ୍ଭ ହୋଇଥିଲା ପୁଲିସ ଅପରେସନ୍‌। ଏଟିଏମ୍‌କୁ ପ୍ରବେଶ ସମୟରେ ୫ଜଣଙ୍କ ଫଟୋ ଥିଲା ଓ ଗାଡ଼ି ଚୋରି ସମୟରେ ୩ଜଣଙ୍କ ଫଟୋ ଥିଲା। ଉଭୟ ଫୁଟେଜ୍‌ରେ ସମାନ ୩ ଜଣ ଥିବା ଜଣାପଡ଼ିଥିଲା। ଉକ୍ତ ଫଟୋକୁ ଧରି ପୁଲିସ ରାଜଧାନୀର ବିଭିନ୍ନ ହୋଟେଲ୍‌ର ତଥ୍ୟ ଯାଞ୍ଚ କରିଥିଲା। ଜଣାପଡ଼ିଥିଲା ଯେ କଳ୍ପନାସ୍ଥିତ ଏକ ହୋଟେଲ୍‌ରେ ୨ଜଣ ରହିଥିଲେ। ସେମାନଙ୍କ ପାଖକୁ ୩ଜଣ ଆସୁଥିଲେ। ଲୁଟ୍‌ ପରଠାରୁ ସେମାନେ ଉକ୍ତ ହୋଟେଲକୁ ଆଉ ଆସିନଥିବା ଜଣାପଡ଼ିଥିଲା।

ଏହା ପରେ ତଦନ୍ତକାରୀ ଟିମ୍‌ ଦେଶରେ ହୋଇଥିବା ବିଭିନ୍ନ ଏଟିଏମ୍‌ ତାଡ଼ି ଲୁଟିବା ମାମଲାର ତଥ୍ୟ ସଂଗ୍ରହ କଲା। କିଛି ଦିନ ତଳେ ଦିଲ୍ଲୀ ପୁଲିସ ଗୋଆରୁ ତିନିଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଥିଲା। ଦିଲ୍ଲୀ ପୁଲିସ ସହ ଯୋଗାଯୋଗ କରିବା ପ‌ରେ ବହୁ ତଥ୍ୟ ପଦାକୁ ଆସିଥିଲା। ଦିଲ୍ଲୀ ପୁଲିସ ଗିରଫ କରିଥିବା ଲୁଟେରାମାନଙ୍କ ସଂସ୍ପର୍ଶରେ ଥିବା କିଛି ଲୁଟେରାଙ୍କ କଥା ଜଣାପଡ଼ିଥିଲା। ସେହି ସୁରାକ୍‌ରୁ ଓଡ଼ିଶାରେ ଲୁଟ୍‌ କରିଥିବା ଗ୍ୟାଙ୍ଗ୍‌ ବାବଦରେ ସୂଚନା ମିଳିଥିଲା ଓ ଏବେ ସେମାନେ ବେଙ୍ଗାଲୁର୍‌ରେ ଡେରା ପକାଇଥିବା ଜଣାପଡ଼ିଥିଲା।

ତୁରନ୍ତ କମିସନରେଟ୍‌ ପୁଲିସର ସ୍ବତନ୍ତ୍ର ଟିମ୍‌ ବେଙ୍ଗାଲୁରୁରେ ପହଞ୍ଚି ସେଠିକା ପୁଲିସ ସହଯୋଗରେ ପ୍ରାୟ ୩୦ରୁ ଅଧିକ ହୋଟେଲ୍‌ ଯାଞ୍ଚ କରିଥିଲା। ସେଠାରେ ଏକ ହୋଟେଲ୍‌ରୁ ପୁଲିସ ଲୁଟେରାଙ୍କ ଫୁଟେଜ୍‌ ପାଇଥିଲା। ମାତ୍ର ସେତେବେଳେ ସେମାନେ ହୋଟେଲରେ ନଥିଲେ। ନିକଟସ୍ଥ ଏକ ଏଟିଏମ୍‌ ଲୁଟିବା ଯୋଜନା କରି ସେଠାକୁ ଯାଇଥିଲେ। ତେଣୁ ବେଙ୍ଗାଲୁର୍‌ ପୁଲିସ ବି ସତର୍କ ହୋଇଯାଇଥିଲା ଓ ତୁରନ୍ତ ପୁଲିସ ଟିମ୍‌ ସବୁ ଅଞ୍ଚଳ ଖେଦି ଯାଇଥିଲା। ସତକୁ ସତ ଶୁକ୍ରବାର ରାତି ପାଖାପାଖି ସାଢ଼େ ୧୨ଟା ବେଳେ ଖୋକନ୍‌ ଓ ମିଜାନୁର୍‌ ଗୋଟିଏ ଏଟିଏମ୍‌ ପାଖରେ ବସିଥିବା ଦେଖାଯାଇଥିଲା ଓ ଅନ୍ୟ ୫ଜଣ କିଛି ଦୂରରେ ଥିଲେ। ପୁଲିସ ବି ଭାଗ ଭାଗ ହୋଇ ସେମାନଙ୍କୁ ଘେରିବାକୁ ଉଦ୍ୟମ କଲା ବେଳେ ଦୂରରେ ଥିବା ୫ ଜଣ ଖସି ପଳାଇଥିଲେ। ମାତ୍ର ଖୋକନ୍‌ ଓ ମିଜାନୁର୍‌ ଧରାପଡ଼ିଯାଇଥିଲେ।

ସମ୍ବନ୍ଧିତ ଖବର