୨୧ ପୁଲିସ କର୍ମଚାରୀଙ୍କୁ ୨୦୨୧ର ଶ୍ରେଷ୍ଠ ପୁରସ୍କାର

ଜୋନ୍ ଏସିପି ଭାବେ ମାନସ ଓ ଥାନାଧିକାରୀ ଭାବେ ଅମିତାଭ ଶ୍ରେଷ୍ଠ

ଭୁବନେଶ୍ବର : କମିସନରେଟ୍ ପୁଲିସର ୧୪ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବୁଧବାର ଦିନ କମିସନରେଟ୍ ପୁଲିସ ଭବନରେ ଦ୍ବୈତନଗରୀର ୨୧ଜଣ କର୍ମଚାରୀଙ୍କୁ ୨୦୨୧ ବର୍ଷର ଶ୍ରେଷ୍ଠ ପୁରସ୍କାର ଦିଆଯାଇଛି। ଶ୍ରେଷ୍ଠ ଆଞ୍ଚଳିକ ଏସିପି ଭାବେ ଭୁବନେଶ୍ବରର ଜୋନ୍-୧ ଏସିପି ମାନସ ରଂଜନ ଗଡ଼ନାୟକଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଥାନାଧିକାରୀ ଭାବେ ମଙ୍ଗଳାବାଗ ଆଇଆଇସି ଅମିତାଭ ମହାପାତ୍ର ପୁରସ୍କୃତ ହୋଇଛନ୍ତି। ଉଭୟଙ୍କର ଚଳିତବର୍ଷର କାର୍ଯ୍ୟଦକ୍ଷତା ସାଙ୍ଗକୁ ପ୍ରଦର୍ଶନ, ବିବାଦ ବିହୀନ ଭଳି ଏକାଧିକ ଦିଗକୁ ତର୍ଜମା କରାଯାଇ ପୁରସ୍କୃତ କରାଯାଇଛି।

ଦୁହିଁଙ୍କ ବ୍ୟତୀତ ଶ୍ରେଷ୍ଠ ଆର୍ମଡ ଏସିପି ଭାବେ ଶେଖର ମହାପାତ୍ର, ଏସଆଇ/ଏଏସଆଇ ପିଟି ଗଣେଶ ସାହୁ, ଜିଲ୍ଲାର ଶ୍ରେଷ୍ଠ ଆର୍ମଡ ଅଫିସର ଆର୍‌ଆଇ ଲୋଲା ବିଜୟ ରତ୍ନମ, ମିନିଷ୍ଟେରିଆଲ୍ ଅଫିସର ଏସ୍‌ଓ ମହେନ୍ଦ୍ର ଦାସ ଓ ବରିଷ୍ଠ ଷ୍ଟେନୋ ନିରଜଂନ ପ୍ରଧାନ, ଟ୍ରାଫିକ୍ କନେଷ୍ଟବଳ/ହାବିଲଦାର ଶୁଭ୍ରାଂଶୁ ଶେଖର ସାହୁ ଓ ସୁସ୍ମିତା ନାୟକ, ଏପିଆର୍ ସୁରଥ ଚନ୍ଦ୍ର ବାହୁବଳେନ୍ଦ୍ର ଓ ନରେନ୍ଦ୍ର ରାଉତ, ଡ୍ରାଇଭର ଧୀରେନ୍ଦ୍ର ରାଉତ, ଆର୍ମଡ ହାବିଲଦାର ୭ମ ବାଟାଲିଅନର ବାମଦେବ ମହାପାତ୍ର, ଓଆର୍ କନେଷ୍ଟବଳ ପ୍ରିୟା ପ୍ରିୟଦର୍ଶିନୀ, ହୋମଗାର୍ଡ ସନ୍ତୋଷ କୁମାର ପ୍ରଧାନ ଓ ମିର ମନସୁର ଅଲ୍ଲୀ, ଏସ୍‌ପିଓ ବିକ୍ରମ କିଶୋର ମହାନ୍ତି ଓ ବିରଞ୍ଚି ନାରାୟଣ ଦାସ, ଫୋରେନ୍ସିକ ଆସୋସିଏଟ୍ କିଶୋର ଚନ୍ଦ୍ର ଶବର ଓ ସୀତାରାମ ଶବର ଏବଂ ନିଶା କାରବାରର ସଫଳ ତଦନ୍ତାକାରୀ ଅଧିକାରୀ ଭାବେ କ୍ୟୁଏଟିର ଏସ୍‌ଆଇ ଗୋପାଳକୃଷ୍ଣ ଜେନାଙ୍କୁ ଟଙ୍କା ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଛି। ସେହିଭଳି ଥାନା ସୌନ୍ଦର୍ଯୀକରଣ ତଥା ସଫାସୁତୁରା ରଖିବାରେ ଭୁବନେଶ୍ବରର ଚନ୍ଦକା ଥାନା ଏବଂ କଟକର ମଙ୍ଗଳବାଗ ଥାନାକୁ ପୁରସ୍କୃତ କରାଯାଇଛି। ପୁରସ୍କୃତ ହୋଇଥିବା ସମସ୍ତ ପୁଲିସ କର୍ମଚାରୀଙ୍କୁ ଚଳିତ ବର୍ଷର ପ୍ରଦର୍ଶନ ଆଧାରରେ କମିଟିର ସୁପାରିସ କ୍ରମେ ଚୟନ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର