ଏଣିକି ସ୍କୁଲରେ ପଢାଯିବ ୨୧ ଜନଜାତି ଭାଷା

ଭୁବନେଶ୍ବର : ପାରିଲାନି ସ୍କୁଲ ଏବଂ ଗଣଶିକ୍ଷା ବିଭାଗ। କେତେ ସଫଳ ହେବ ରାଜ୍ୟରେ ସ୍ଥିତ ଅନୁସୂଚିତ ଜାତି-ଜନଜାତି ବିଭାଗ। ଚଳିତ ବର୍ଷରୁ ଅନୁସୂଚିତ ଜାତି-ଜନଜାତି ବିଭାଗ ପରିଚାଳିତ ସମସ୍ତ ଆଦିବାସୀ ବହୁଳ ଆବାସୀୟ ସ୍କୁଲରେ ୨୧ ଅନୁସୂଚିତ ଜନଜାତି ଭାଷା ପାଠପଢା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ସଂହତି କାର୍ଯ୍ୟକ୍ରମ ଜରିଆରେ ଅନୁସୂଚିତ ଜାତି-ଜନଜାତି ଗବେଷଣା କେନ୍ଦ୍ରରେ ଏହି ପାଠ୍ୟକ୍ରମର ବହି ସଂଶୋଧନ କରାଯାଉଛି ଏବଂ ଏହା ପରେ ବହି ପ୍ରକାଶିତ ହେବ ବୋଲି ସୂଚନା ଦେଇଛନ୍ତି ସହଂତି କାର୍ଯ୍ୟକ୍ରମ ସଂଯୋଜକ ଡ.ପରମାନନ୍ଦ ପଟେଲ।
ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ, ପ୍ରତ୍ୟେକ ସ୍ଥାନରେ ସେହି ଅଞ୍ଚଳର ମାତୃଭାଷାରେ ପ୍ରାଥମିକ ଶିକ୍ଷାଦାନର ବ୍ୟବସ୍ଥା ହେବା ଉଚିତ। ଏହା ହେଲେ, ଅନ୍ୟ ଭାଷାରେ ପଢା ସହଜ ହୋଇଥାଏ। ରାଜ୍ୟରେ ସ୍ଥିତ ଜନଜାତିମାନେ ଏଥିରୁ ସର୍ବଦା ବଞ୍ଚିତ ହୋଇ ଆସିଛନ୍ତି। ସାନ୍ତାଳୀ, ହୋ, ମୁଣ୍ଡା, ଜୁଆଙ୍ଗ, ଖଡ଼ିଆ ଭଳି ନିଜସ୍ବ ମାତୃଭାଷା ରହିଥିଲେ ମଧ୍ୟ ସେମାନଙ୍କୁ ଓଡ଼ିଆ, ଇଂରାଜୀ କିମ୍ବା ହିନ୍ଦୀରେ ପଢାଯାଏ। ୨୦୦୬ ମସିହାରୁ ପ୍ରଥମ କରି ରାଜ୍ୟ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ୩୦୦୦ଟି ସ୍କୁଲରେ ୨୧ ଜନଜାତି ଭାଷା ଅତିରିକ୍ତ ପାଠ୍ୟକ୍ରମ ଭାବରେ ପଢାଇବା ବ୍ୟବସ୍ଥା ହେଲା। ୨୦୧୭ ମସିହା ପରଠାରୁ ଏହି ଶିକ୍ଷାଦାନ ଏକପ୍ରକାର ଠପ ହୋଇ ପଡ଼ିଲା। ଶିକ୍ଷକ ଅଭାବ ଏଥିପାଇଁ ବାଧକ ହୋଇଛି। ଅନୁସୂଚିତ ଜାତି-ଜନଜାତି ବିଭାଗ ପକ୍ଷରୁ ପାଇଲଟ ପ୍ରୋଜେକ୍ଟ ଭାବରେ ପ୍ରଥମେ କେବଳ ୧୦୦ଟି ଆବାସୀୟ ସ୍କୁଲରେ ଏହି ଭାଷା ପଢାଗଲା। କିନ୍ତୁ ଚଳିତ ବର୍ଷରୁ ସବୁ ସ୍କୁଲରେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢାଯିବ। ଖୁବ ଶୀଘ୍ର ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀ ପାଇଁ ବହି ପ୍ରକାଶିତ ହେବ। ପୂର୍ବରୁ ଗଣଶିକ୍ଷା ବିଭାଗ ପରିଚାଳିତ ପାଠ୍ୟକ୍ରମ ବହି ଏଥିରେ ପ୍ରଚଳିତ ହେବ। ସେହି ବହିରେ ଥିବା ତ୍ରୁଟି ସଂଶୋଧନ ସହିତ ବହିରେ ସ୍ଥାନୀୟ ଆଦିବାସୀ ସଂସ୍କୃତିକୁ ଗୁରୁତ୍ବ ଦେବା ପାଇଁ ନିର୍ଦେଶ ହୋଇଛି। ଏଥିପାଇଁ କାର୍ଯ୍ୟ ଜାରି ରହିଛି। ୨୧ଟି ଜନଜାତି ଭାଷା ଏକାସହିତ ସବୁ ସ୍କୁଲରେ ପଢାନଯାଇ, ସେହି ଜିଲ୍ଲାରେ ଯେଉଁ ଜନଜାତି ଭାଷା କହୁଥିବା ସଂଖ୍ୟା ଅଧିକ ରହୁଛି, ସେହି ସ୍ଥାନରେ ସେହି ଭାଷା ପଢାଯିବ। ସଂହିତ କାର୍ଯ୍ୟକ୍ରମ ସଂଯୋଜକଙ୍କ ସୂଚନା ଅନୁସାରେ, ସାନ୍ତାଳୀ ମୟୂରଭଞ୍ଜରେ, ହୋ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ମୁଣ୍ଡା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜରେ, ଜୁଆଙ୍ଗ କେନ୍ଦୁଝରରେ, ଖଡ଼ିଆ ସୁନ୍ଦରଗଡ଼ରେ, ଓରାମ ସୁନ୍ଦରଗଡ଼ରେ, କିସାନ ସମ୍ବଲପୁର, ଝାରସୁଗୁଡ଼ା, କୁଇ କନ୍ଧମାଳ, କଳାହାଣ୍ଡି, କୁଭି ରାୟଗଡ଼ା ଏବଂ କୋରାପୁଟ, ଗାଦବା କୋରାପୁଟ, କୋୟା ମାଲକାନଗିରି, ବସ୍ତା ମାଲକାନଗିରି, ତିତାଇ ମାଲକାନଗିରି, ଗଣ୍ଡି ନବରଙ୍ଗପୁର, ଦେଶିଆ ଅବିଭକ୍ତ କୋରାପୁଟ, ସାଦ୍ରି ସୁନ୍ଦରଗଡ଼, ସଉରା ଗଜପତି, ରାୟଗଡ଼ା, ଭୂମିଜ ବାଲେଶ୍ବର, ମୟୂରଭଞ୍ଜ, ବିଂଝାଲ ବରଗଡ଼, ଭୁଞ୍ଜିଆ ଭାଷା ନୁଆପଡ଼ାରେ ପଢାଯିବ।

ସମ୍ବନ୍ଧିତ ଖବର