ଜଟଣୀ: ଜଟଣୀ ପୌରପାଳିକାର ୨୧ ନମ୍ବର ୱାର୍ଡ ଏକ ଜନବହୁଳ ଅଞ୍ଚଳ। କୁଦିଆରୀ ରଙ୍ଗଣୀସାହି, ମାଜଣାସାହି, ବନ୍ଧଗାଡ଼ିଆସାହି, କୁଦିଆରୀ ହରିଜନସାହି, ମୁସଲମାନ୍ସାହି, ଶ୍ରୀକ୍ଷେତ୍ର କଲୋନି, ବଙ୍ଗାଳୀ ଲେନ୍, ସିଦ୍ଧେଶ୍ବର କଲୋନି, ଲୋକୋ କଲୋନି(ପାର୍ଟ), କୁଦିଆରୀ ବଜାର(ପାର୍ଟ) ଆଦି ଅଞ୍ଚଳକୁ ନେଇ ଏହି ୱାର୍ଡ ଗଠିତ। ଏଠାରେ ପାନୀୟ ଜଳ, ଡ୍ରେନ୍, ରାସ୍ତା, ଷ୍ଟ୍ରିଟ୍ ଲାଇଟ୍, ଅଙ୍ଗନବାଡ଼ି କେନ୍ଦ୍ର, ସଫେଇ ଆଦି ସବୁ କ୍ଷେତ୍ରରେ ସମସ୍ୟା ରହିଛି ବୋଲି ଅଭିଯୋଗ ହୋଇଆସୁଛି। ଗତ ପୌର ନିର୍ବାଚନକୁ ବର୍ଷେ ବିତିଥିଲେ ବି ଏଠାରେ ଥିବା ବହୁ ସମସ୍ୟା ସେମିତି ଅସମାହିତ ହୋଇରହିଛି।
ୱାର୍ଡବାସୀଙ୍କ ଅଭିଯୋଗ ଅନୁସାରେ ବର୍ଷକ ଭିତରେ ଏଠାରେ ଅଳ୍ପ କିଛି ରାସ୍ତା କଂକ୍ରିଟ୍ କରାଯାଇଛି। କିନ୍ତୁ ବହୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇରହିଛି। ଗ୍ରମାଞ୍ଚଳ ଭଳି ଏହି ୱାର୍ଡରେ ବହୁ କଚ୍ଚା ରାସ୍ତା ଅଛି। ତେଣୁ ପ୍ରତିବର୍ଷ ବର୍ଷା ଦିନେ ଲୋକମାନେ କାଦୁଅ ପଚପଚ ରାସ୍ତାରେ ଯାତାୟାତ କରିବାକୁ ବାଧ୍ୟ ହୁଅନ୍ତି। ଏଠାରେ ଡ୍ରେନ୍ ସମସ୍ୟା ବଡ଼ ଜଟିଳ। ଅଧିକାଂଶ ଡ୍ରେନ୍ର ଶେଷ ମୁଣ୍ଡ ବନ୍ଦ ଥାଏ।
ଫଳରେ ବର୍ଷାଜଳ ରାସ୍ତାକୁ ଉଛୁଳି ବଡ଼ କଦର୍ଯ୍ୟ ଅବସ୍ଥା ସୃଷ୍ଟି କରେ। ପାନୀୟ ଜଳ ଯୋଗାଣ ସମସ୍ୟା କଥା ନ କହିବା ଭଲ। ଏହି ୱାର୍ଡର ଶତକଡ଼ା ୫୦ ଭାଗ ଲୋକଙ୍କ ଘରକୁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇପାରିନାହିଁ। ପୁଣି ଯେଉଁମାନଙ୍କ ଘରକୁ ପାଇପ୍ ସଂଯୋଗ ହୋଇଛି, ସେମାନଙ୍କୁ ମିଳୁଥିବା ପାଣି ଠିକ ସମୟରେ ଆସୁନାହିଁ ବୋଲି ଅଭିଯୋଗ ହୋଇଛି। ଏଠାରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଶିକ୍ଷକ ଅଭାବ ରହିଛି ଏବଂ ପାଚେରି ନଥିବାରୁ ପରିସର ବୁଲା ଗୋରୁଙ୍କ ଚରାଭୂଇଁ ପାଲଟିଛି। ବିଦ୍ୟାଳୟ ପରିସରରେ ନିର୍ମାଣ ହେଉଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ଗ୍ରାମବାସୀମାନେ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରୁଛନ୍ତି। ବଡ଼ ସମସ୍ୟା ହେଉଛି ଅଙ୍ଗନବାଡ଼ି। ଏଠାରେ ଗୋଟିଏ ସ୍ଥାନରେ ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ତେଣୁ ୨୨ ନମ୍ବର ୱାର୍ଡର ଛୋଟ ପିଲାମାନେ ବିପଦପୂର୍ଣ୍ଣ ଭାବେ ରାସ୍ତା ପାର୍ ହୋଇ ଏଠାକୁ ଆସୁଛନ୍ତି। ତେଣୁ ୨୨ ନମ୍ବର ୱାର୍ଡରେ ଆଉ ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର କରିବାକୁ ଦାବି କରିଛନ୍ତି ଲୋକେ। ଏହି ଅଞ୍ଚଳରେ ବହୁ ସ୍ଥାନରେ ବିଦ୍ୟୁତ୍ ତାର ଝୁଲନ୍ତା ଅବସ୍ଥାରେ ଅଛି। ଅଧିକାଂଶ ସ୍ଥାନରେ ଷ୍ଟ୍ରିଟ୍ଲାଇଟ୍ ନାହିଁ। ସେହିପରି ଏଠାରେ ଅନେକ ଯୋଗ୍ୟ ହିତାଧିକାରୀ ରାସନ୍ କାର୍ଡ ପାଇନାହାନ୍ତି।
ପୁରୁଣା କାମ ଚାଲିଛି, ମୁକ୍ତାରେ ମିଳିଛି କୋଟିଏ
ମୋ ୱାର୍ଡରେ ପୁରୁଣା ଟେଣ୍ଡର ଅନୁସାରେ କାମ ଚାଲିଛି। ବର୍ଷକ ମଧ୍ୟରେ ରଙ୍ଗଣୀସାହି ରାସ୍ତା ଆଲୋକୀକରଣ କରାଯାଇଛି। ବିଦ୍ୟାଳୟ ପରିସରରେ ମୁକ୍ତାକାଶ ବ୍ୟାୟାମଶାଳା, ଛୋଟ ପିଲାଙ୍କ ଖେଳ ସାମଗ୍ରୀ ଲଗାଯାଇଛି। ବଡ଼ କଥା ହେଉଛି ମୁକ୍ତା ଯୋଜନାରେ ମୋ ୱାର୍ଡ ପାଇଁ ୧ କୋଟି ୨୦ଲକ୍ଷ ଟଙ୍କା ମିଳିଛି ଏବଂ ବିଭିନ୍ନ କାମ ପାଇଁ ଟେଣ୍ଡର ହୋଇଛି। ଏଥିରେ କମ୍ୟୁନିଟି ହଲ୍, ସୌନ୍ଦର୍ଯ୍ୟୀକରଣ, ମୁକ୍ତାକାଶ ବ୍ୟାୟାମଶାଳା, ଶିଶୁ ପାର୍କ ଆଦି ନିର୍ମାଣ କରାଯିବ। ବନ୍ଧଗାଡ଼ିଆ ପୋଖରୀ ଓ ହାଡ଼ଗାଡ଼ିଆ ପୋଖରୀକୁ ମୁକ୍ତା ଯୋଜନାରେ ପୁନରୁଦ୍ଧାର କରାଯିବ। ଅମୃତ ଯୋଜନାରେ ମାଜଣା ପୋଖରୀର ପୁନରୁଦ୍ଧାର କାମ ଚାଲିଛି। କିଛି ସ୍ଥାନରେ ଜବରଦଖଲ ଥିବାରୁ ବିକାଶମୂଳକ କାମ ବାଧାପ୍ରାପ୍ତ ହେଉଛି।
ଶଶାଙ୍କ ଶେଖର ରାୟ, କାଉନ୍ସିଲର