ଭୁବନେଶ୍ବର: ସ୍ବାମୀ ଦୟାନନ୍ଦ ସର୍ଭିସ୍ ମିସନ ପକ୍ଷରୁ ବୁଦ୍ଧ ମନ୍ଦିର ପରିସରରେ ଆଜି ୨୧ତମ ଗୁରୁ ପ୍ରଣାମ ମହୋତ୍ସବ ଆୟୋଜିତ ହୋଇଯାଇଛି। ଏଥିରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଏହି କାର୍ଯ୍ୟକ୍ରମ ସମାଜରେ ଏକ ଅନନ୍ୟ ପରମ୍ପରା ସୃଷ୍ଟି କରିଛି। ଗୁରୁମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା, ସମ୍ମାନ ପ୍ରଦର୍ଶନ କଲେ, ପୂରା ସମାଜର କଲ୍ୟାଣ ସାଧିତ ହୋଇଥାଏ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏହି ଅବସରରେ ନିଷ୍ଠାପର ସମାଜସେବା ପାଇଁ ଗାନ୍ଧୀ ବିନୋବା ଟ୍ରଷ୍ଟର ସଭାନେତ୍ରୀ ବିରଜା ଦେବୀ, ଶିକ୍ଷାବିତ୍ ରମାକାନ୍ତ ଜେନା, ପାଲାଚାର୍ଯ୍ୟ ମଦନ ମୋହନ ଜେନାଙ୍କୁ ‘ଗୁରୁ ପ୍ରଣାମ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସେହିଭଳି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଶିକ୍ଷା, ବିଜ୍ଞାନ, ସଂସ୍କୃତର ପ୍ରଚାରପ୍ରସାର ପାଇଁ ବିଶ୍ବନାଥ ରଥ ମଧ୍ୟ ସମ୍ମାନିତ ହୋଇଥିଲେ।
ଅନୁଷ୍ଠାନର ଅଧ୍ୟକ୍ଷ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର୍ ବ୍ରଜବନ୍ଧୁ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ଯୁଗ ଯୁଗରୁ ଗୁରୁଶିଷ୍ୟ ପରମ୍ପରାରେ ଆମେ ବାନ୍ଧି ହୋଇ ରହିଛେ। ମାତ୍ର ସଂପ୍ରତି ଆର୍ଯ୍ୟ ସମାଜର ଅଭିନବ ପରିକଳ୍ପନା ଉଚ୍ଚପ୍ରଶଂସିତ। ସମ୍ମାନିତ ଅତିଥି ଭାବେ ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି ସାମ୍ପ୍ରତିକ ଶିକ୍ଷାନୀତି ଉପରେ ପ୍ରଶ୍ନ ଉଠାଇବା ସହ ଶିକ୍ଷାର ବ୍ୟବସାୟୀକରଣ ହେଉଥିବା କହିଥିଲେ। ଦିବ୍ୟଜୀବନ ସଂଘର ସନ୍ନ୍ୟାସୀ ସ୍ବାମୀ ଶିବ ଚିଦାନନ୍ଦ ମହାରାଜ, ସ୍ବାମୀ ଜଗନ୍ନାଥାନନ୍ଦ ମହାରାଜ ଓ ନିଗମ କଳ୍ପତରୁ ଆଶ୍ରମର ପ୍ରତିଷ୍ଠାତା ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ ଗୁରୁମାନଙ୍କ ମାର୍ଗଦର୍ଶନ ସମାଜ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ, ତା’ ଉପରେ ଆଲୋକପାତ କରିଥିଲେ। ସ୍ତମ୍ଭକାର ପ୍ରଦ୍ୟୁମ୍ନ ଶତପଥୀ ଗୁରୁ ଦେବତୁଲ୍ୟ ଓ ସେମାନେ ସର୍ବଦା ସମାଜରେ ପୂଜ୍ୟ ବୋଲି କହିଥିଲେ। ସେହିଭଳି ପ୍ରଫେସର୍ ରଜତ କୁମାର କର ଭର୍ଚୁଆଲ୍ ମୋଡ୍ରେ ଯୋଗଦେଇ କହିଲେ, ରାମକୃଷ୍ଣଙ୍କ ଭଳି ଗୁରୁ ଓ ସ୍ବାମୀ ବିବେକାନନ୍ଦଙ୍କ ଭଳି ଶିଷ୍ୟ ସମାଜର ଦିଗ୍ଦର୍ଶକ।
ଏହି ଅବସରରେ ଡ. ଜ୍ଞାନେନ୍ଦ୍ରଙ୍କ ଦ୍ବାରା ଲିଖିତ ‘ଆର୍ଯ୍ୟ ସମାଜ ଓ ସ୍ବାମୀ ଦୟାନନ୍ଦ’ ପୁସ୍ତକର ଦ୍ବିତୀୟ ଭାଗ ଉନ୍ମୋଚିତ ହୋଇଥିଲା। ଆର୍ଯ୍ୟଭବନରେ ପଣ୍ଡିତ ବିନୋଦ ବିହାରୀ ଦାସଙ୍କ ପୌରୋହିତ୍ୟରେ ଏକ ଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଥିଲା। ସଂପାଦକ ସୀତାବଲ୍ଲଭ ମହାପାତ୍ର ଓ ବିବେକାନନ୍ଦ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଭା ପ୍ରାରମ୍ଭରେ ବୀରେନ୍ଦ୍ର କୁମାର ପଣ୍ଡା ସ୍ବାଗତ ଭାଷଣ ଓ ଯୁଧିଷ୍ଠିର ଖଟୁଆ ଧନ୍ୟବାଦ ଦେଇଥିଲେ।
୨୧ତମ ଗୁରୁ ପ୍ରଣାମ ମହୋତ୍ସବ: ‘ଗୁରୁ ପ୍ରଣାମ’ ଏକ ଅନନ୍ୟ ପରମ୍ପରା
/sambad/media/post_attachments/wp-content/uploads/2021/01/dh4f56h4f5s6h4s56h456.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)