ଭୁବନେଶ୍ବର: ପର୍ବ ପାଳନ ପିଲାଙ୍କ ମନରେ ନିଜ ସଂସ୍କୃତିକୁ ବଞ୍ଚାଇ ରଖେ। ଆଗାମୀ ପିଢ଼ିକୁ ନିଜ ସଂସ୍କୃତି ସହ ପରିଚିତ କରାଇବାକୁ ହେଲେ, ଆମେ ଆମ ପର୍ବସବୁକୁ ଯଥାରୀତି ପାଳନ କରିବାକୁ ହେବ। ଆମେ ପର୍ବ ପାଳନରୁ ଦୂରେଇ ରହିଲେ, ଆଗାମୀ ପିଢ଼ି ସ୍ବତଃ ନିଜ ସଂସ୍କୃ୍ତି ବିଷୟରେ ଅଜ୍ଞ ହୋଇଯିବେ। ଆଜି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ୟୁଥ୍ ଏବଂ କଳିଙ୍ଗ ସଂସ୍କୃତି ଐତିହ୍ୟ ସୁରକ୍ଷା ମଞ୍ଚ ପକ୍ଷରୁ ୟୁନିଟ୍-୩ ସ୍ଥିତ ବୁଦ୍ଧ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିବା ୨୧ତମ ରାଜ୍ୟସ୍ତରୀୟ ‘କୁମାର ଉତ୍ସବ-୨୦୨୧’ ଅବସରରେ ଅତିଥିମାନେ ଏଭଳି କହିଛନ୍ତି।

Advertisment

ୟୁଥ୍ ଉପଦେଷ୍ଟା ତଥା ଓଡ଼ିଶା ଗ୍ରାମୋଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସମାଜସେବୀ ଡ. ଅରୁନ୍ଧତୀ ଦେବୀ ଓ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗ ଦେଇ ଓଡ଼ିଆ ପର୍ବପର୍ବାଣି ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନଙ୍କୁ ‘କୁମାର ଶ୍ରୀ ସମ୍ମାନ-୨୦୨୧’ ଏବଂ ଯୁବ ସମାଜସେବୀ ସୌମ୍ୟ ରଂଜନ ମହାପାତ୍ରଙ୍କୁ ‘ୟୁଥ୍ ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଥିଲା। ଯେଉଁମାନେ ପ୍ରକୃତରେ ସମାଜସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି, ସେମାନଙ୍କୁ ‘ୟୁଥ୍’ ଅନୁଷ୍ଠାନ ‘କୁମାର ଶ୍ରୀ’ ସମ୍ମାନ ପ୍ରଦାନ କରାଯାଉଛି ବୋଲି ଅତିଥିମାନେ କହିଥିଲେ। କାର୍ଯ୍ୟକ୍ରମରେ ଇଂ ଶ୍ରୀନିବାସ ଘଟୁଆରୀ, ଦିଲ୍ଲୀପ ନାୟକ, ସଂଘମିତ୍ରା ଦାସ, ଲଲାଟ ସାହୁ, ବିକ୍ରମ ନାୟକ, ହରପ୍ରସାଦ ମହାପାତ୍ର, ମନସ୍ବିନୀ ପରିଡ଼ା, କୃପାସିନ୍ଧୁ ପ୍ରଧାନ, ମାନସ କୁମାର ରଥ, ଅଭିଷେକ ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଆଶାଏଁ ଅନୁଷ୍ଠାନ ଓ ମଧୁରମୟୀ ଆଶ୍ରମର ଅନ୍ତୋବାସୀମାନେ ନୃତ୍ୟ, ଗୀତ ପରିବେଷଣ କରିଥିଲେ। ୟୁଥ୍ ସଂପାଦକ ଚିତ୍ତରଞ୍ଜନ ମହାନ୍ତି ଧନ୍ୟବାଦ ଦେଇଥିଲେ।