ଭୁବନେଶ୍ବର: ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବଳରେ ମଣିଷ ଆଜି ଯେଉଁ ବେଗରେ ପ୍ରଗତିର ଉଚ୍ଚତ୍ତର ସ୍ତରକୁ ଚଢ଼ି ଚାଲିଛି, ତା’ଠାରୁ ଢେର୍ ଅଧିକ ବେଗରେ ତଳକୁ ଖସି ପଡ଼ିବାର ଭୟ ଘାରିଲାଣି। ଯେଉଁ ବିଜ୍ଞାନକୁ ଏକ ଅବଦାନ କୁହାଯାଉଥିଲା, ତାହାକୁ ଏକ ଅଭିଶାପ ବୋଲି ମନେ କରିବା ଆରମ୍ଭ ହେଲାଣି। ବିଶ୍ବତାପନ, ଜଳବାୟୁ ପରିବର୍ତ୍ତନ, ଉତ୍କଟ ଜଳ, ବାୟୁ, ମୃତ୍ତିକା ଆଦି ପ୍ରଦୂଷଣ ଓ ଜୈବ ବିବିଧତାର ଅବକ୍ଷୟ ଏବେ ମଣିଷ ସମାଜ ପାଇଁ ଭୟଙ୍କର ବିପଦର ସଂକେତ ଦେଇଛି। ତଥାପି ବୈଜ୍ଞାନିମାନଙ୍କ ହାତରେ ଉପାୟ ରହିଛି। ବିଜ୍ଞାନର ସଠିକ୍ ଉପଯୋଗ କୌଶଳ ଦ୍ବାରା ବିଶ୍ବ ପ୍ରତି ଦେଖା ଦେଇଥିବା ବିପଦକୁ ଟାଳି ଦିଆଯାଇ ପାରିବ। ତେଣୁ ବୈଜ୍ଞାନିକମାନେ ଏ ବାବଦରେ ଅଧିକରୁ ଅଧିକ ଗବେଷଣା ଜାରି ରଖିବା ହେଉଛି ବର୍ତ୍ତମାନର ବଡ଼ ଆହ୍ବାନ। ଆଜି ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ(ସୋଆ) ଓ ଓଡ଼ିଶା ପରିବେଶ ସମିତିର ମିଳିତ ଆନୁକୂଲ୍ୟରେ ଉଦ୍ଘାଟିତ ହୋଇଥିବା ୨୧ତମ ବିଜ୍ଞାନ ଓ ପରିବେଶ କଂଗ୍ରେସରେ ଅତିଥିମାନେ ଏହା କହିଛନ୍ତି।
ସୋଆ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର୍ ଅମିତ୍ ବାନାର୍ଜୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଶ୍ବର ସୁରକ୍ଷା ପାଇଁ ବୈଜ୍ଞାନିକମାନେ ଗବେଷଣାରେ ମନୋନିବେଶ କରିବାକୁ ସେ ଆହ୍ବାନ ଦେଇଥିଲେ। ଏହି ଦୁଇ ଦିନିଆ କଂଗ୍ରେସର ମୁଖ୍ୟ ପ୍ରସଙ୍ଗ ରହିଛି ‘ସୁନ୍ଦର ଭବିଷ୍ୟତ ପାଇଁ ବିଜ୍ଞାନର ଉପଯୋଗ’। ଏଥିରେ ୫ ଶହରୁ ଅଧିକ ବୈଜ୍ଞାନିକ, ଗବେଷକ ଓ ବିଜ୍ଞାନ ଛାତ୍ର ଯୋଗ ଦେଇଛନ୍ତି। ରାଉରକେଲା ଏନ୍ଆଇଟିର ପୂର୍ବତନ ନିର୍ଦେଶକ ପ୍ରଫେସର ସୁନୀଲ କୁମାର ଷଡ଼ଙ୍ଗୀ, ଭୁବନେଶ୍ବର ଆରଏମ୍ଆରସିର ନିର୍ଦେଶିକା ଡ. ସଂଘମିତ୍ରା ପତି ନିଜ ବକ୍ତବ୍ୟରେ ଏବେ ବିଶ୍ବ ସୁରକ୍ଷାକୁ ନେଇ ବିଜ୍ଞାନର ଉପଯୋଗ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ୪ ଜଣ ବୈଜ୍ଞାନିକ ପ୍ରଫେସର୍ ଅଶୋକ କୁମାର ତ୍ରିପାଠୀ, ପ୍ର. ସନ୍ତୋଷ କର, ପ୍ର. ନିରଂଜନ ବାରିକ, ପ୍ର. ଅମିତ୍ ବାନାର୍ଜୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଶା ପରିବେଶ ସମିତି ସଭାପତି ଡ. ସୁନ୍ଦର ନାରାୟଣ ପାତ୍ର, ସମ୍ପାଦକ ଡ. ଜୟକୃଷ୍ଣ ପାଣିଗ୍ରାହୀ, ଆୟୋଜକ ସମ୍ପାଦକ ଡ. ପି ଗଙ୍ଗାରାଜୁ ଆଚାରି ଓ ଡ. ମାଳବିକା ତାଲୁକ୍ଦାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।