୨୨ରେ ଖୋଲିବ ଗାନ୍ଧୀ ଶାନ୍ତି କେନ୍ଦ୍ର, ଗାନ୍ଧୀ ସଂଗ୍ରହାଳୟ ସହ ଖୋଲିବ ୬ ଗ୍ୟାଲେରି

ଆକର୍ଷଣ ସାଜିବ ‘ଅହିଂସା ସ୍ତମ୍ଭ’ ଓ ‘ଗାନ୍ଧୀଜୀଙ୍କ ସହ ସେଲ୍‌ଫି ଜୋନ୍‌’

ଭୁବନେଶ୍ବର: ବହୁ ପ୍ରତୀକ୍ଷାର ଅବସାନ ଘଟିଛି। ଆସନ୍ତା ୨୨ ତାରିଖରେ ଉଦ୍‌ଘାଟିତ ହେବାକୁ ଯାଉଛି ‘ଗାନ୍ଧୀ ଶାନ୍ତି କେନ୍ଦ୍ର’ (ଏଟର‌୍‌ନାଲ୍‌ ଗାନ୍ଧୀ ପିସ୍‌ ସେଣ୍ଟର)। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ। ୫ଏକର ଜାଗାରେ ନିର୍ମିତ ଏହି କେନ୍ଦ୍ରରେ ଗାନ୍ଧୀ ସଂଗ୍ରହାଳୟ ସହ ୬ଟି ଗ୍ୟାଲେରି ଖୋଲିବ। ପୁଣି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ସହ ମଲ୍‌ଟିମିଡିଆ ପ୍ରଦର୍ଶନୀର ବ୍ୟବସ୍ଥା କରାଯିବ। ମଲ୍‌ଟିମିଡିଆ ମାଧୢମରେ ଗାନ୍ଧୀଜୀଙ୍କ ମୂଳନୀତି ସତ୍ୟ ଓ ଅହି˚ସା ଏବ˚ ଜୈନ ଧର୍ମର ନୀତି ଉପସ୍ଥାପିତ ହେବ। ଏହି ଶାନ୍ତି କେନ୍ଦ୍ର ଓଡ଼ିଶା ସରକାର ଓ ବିର୍ଲା ମ୍ୟାନେଜ୍‌ମେଣ୍ଟ୍‌ କର୍ପୋରେସନ୍‌ର ମିଳିତ ଭାବେ ପରିଚାଳନା କରିବେ। ଆସନ୍ତା ୧୫ ବର୍ଷ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଖଣ୍ତଗିରି ନିକଟସ୍ଥ ପରିତ୍ୟକ୍ତ ବ୍ୟାଖ୍ୟାନ କେନ୍ଦ୍ରକୁ କାମରେ ଲଗାଇବା ପାଇଁ ଏଭଳି ଅନେକ ଯୋଜନା ରାଜ୍ୟ ପର୍ଯ୍ୟଟନ ବିଭାଗ ପ୍ରସ୍ତୁତ କରିବା ପରେ ଏଭଳି ଏକ ଗାନ୍ଧୀଜୀଙ୍କ ଭବ୍ୟ କେନ୍ଦ୍ର ଓଡ଼ିଶାବାସୀଙ୍କୁ ଉପହାର ସ୍ବରୂପ ମିଳିଛି।

‘ଗାନ୍ଧୀ ଶାନ୍ତି କେନ୍ଦ୍ର’ରେ ୬ଟି ଗ୍ୟାଲେରି ରହିଛି। ଏଥିସହ ମହାତ୍ମା ବାରିଷ୍ଟର, ଦ ମହାତ୍ମା ଓ ବାପୁ ଭଳି ୩ଟି ପିତ୍ତଳ ପ୍ରତିମୂର୍ତି ଶୋଭା ପାଉଛି। ଶାନ୍ତି କେନ୍ଦ୍ରର ଭିତରକୁ ଯାଉ ଯାଉ କେନ୍ଦ୍ରର ମଧ୍ୟ ସ୍ଥଳରେ ରହିଛି ‘ଅହିଂସା ସ୍ତମ୍ଭ’। ଏଥିରେ ଶାନ୍ତି, ସତ୍ୟ, ଅହିଂସା, ସତ୍ୟାଗ୍ରହ, ନୀତିନିୟମ, ଆତ୍ମନିର୍ଭରଶୀଳତା, ସ୍ବଦେଶୀ, ସର୍ବୋଦୟ, ଜନ ବିକାଶ ଓ ନବ ପ୍ରଶିକ୍ଷଣ ଆଦି ଗାନ୍ଧୀଜୀଙ୍କ ମୂଳନୀତି ସମ୍ପର୍କରେ ଲିପିବଦ୍ଧ ରହିଛି। ଏସବୁକୁ ଏଭଳି ଭାବେ ବର୍ଣ୍ଣନା କରାଯାଇଛି ଯେ, ଛୋଟ ପିଲାମାନେ ବି ଏସବୁର ଅର୍ଥ ବେଶ୍‌ ଭଲ ଭାବେ ବୁଝିପାରିବେ। ଏହାଛଡ଼ା ‘ହେ ରାମ’ ଲେଖା ଥିବା ଜଳ ଫୁଆରା, ଗ୍ୟାଲେରି ଭିତରେ ଥିବା ଏକ ଫୋନ୍‌ର ରିସିଭର୍‌ ଟେକୁ ଟେକୁ ଶୁଣିବାକୁ ମିଳୁଥିବା ଗାନ୍ଧୀଜୀଙ୍କ ଭାଷଣ ଆଦି ଗ୍ୟାଲେରିର ମୁଖ୍ୟ ଆକର୍ଷଣ ରହିବ। ପୁଣି ଗାନ୍ଧୀ ସଂଗ୍ରହାଳୟରେ ଶୋଭା ପାଉଛି ଗାନ୍ଧୀଜୀଙ୍କ ଖବରକାଗଜ ଛପା ମେସିନ୍‌, ଗାନ୍ଧୀଜୀଙ୍କ ଅବିକଳ ଦସ୍ତଖତ କରୁଥିବା ମେସିନ୍‌ ଆଦି। ଅନ୍ୟ ଏକ ଗ୍ୟାଲେରିରେ ଗାନ୍ଧୀଜୀଙ୍କ ମୂଳନୀତି ଅହିଂସାର ଲୋଗୋ ଥିବା ପୋଷାକ, କଲମ, ବ୍ୟାଗ୍‌, ଚାବି ରିଙ୍ଗ୍‌ ଓ ଡାଏରି ଆଦି ବିକ୍ରି ପାଇଁ ରହିଛି। ଗାନ୍ଧୀ ଶାନ୍ତି କେନ୍ଦ୍ରରେ ଜୈନ ଧର୍ମର ନୀତି ଉପସ୍ଥାପିତ ହୋଇଛି। ଏଥିରେ ରକ୍ତ ଭିଜା ଦୟା ନଦୀ ସହ ଧଉଳି ଶାନ୍ତିସ୍ତୂପ ମଧ୍ୟ ପ୍ରଦର୍ଶିତ ହେଉଛି। ଗ୍ୟାଲେରିର ମୁଖ୍ୟ ଆକର୍ଷଣ ସାଜିବ ସେଲ୍‌ଫି ଜୋନ୍‌। ଗ୍ୟାଲେରି ଭିତରେ ଏକ ପୋଜିସନ୍‌ରେ ଠିଆ ହୋଇ ସେଠାରେ ଲାଗିଥିବା କ୍ୟାମେରାକୁ ଚାହିଲେ ସେଠାରେ ନିଜ ଫଟୋ ସହ ଗାନ୍ଧୀଜୀଙ୍କ ଫଟୋ ମଧ୍ୟ ଉତ୍ତୋଳିତ ହେବ। ଏଭଳି ଏକ ଅଭିନବ ଶାନ୍ତି କେନ୍ଦ୍ର ନିଶ୍ଚିତ ଭାବେ ଭୁବନେଶ୍ବର ପର୍ଯ୍ୟଟନର ଅନ୍ୟତମ ମାଇଲଖୁଣ୍ଟ ପାଲଟିବ।

ପ୍ରକାଶଥାଉ କି, ୨୦୧୩ ମସିହାରେ ନିର୍ମାଣ ହୋଇଥିବା ଏହି ବ୍ୟାଖ୍ୟାନ କେନ୍ଦ୍ର ପାଞ୍ଚ ବର୍ଷ ପରିତ୍ୟକ୍ତ ଅବସ୍ଥାରେ ପଡ଼ିବା ପରେ ଖଣ୍ତଗିରି ନିକଟସ୍ଥ ‘ବ୍ୟାଖ୍ୟାନ କେନ୍ଦ୍ର’ରେ ‘ଗାନ୍ଧୀ ଶାନ୍ତି କେନ୍ଦ୍ର’ ପ୍ରତିଷ୍ଠା ହେବାର ନିଷ୍ପତ୍ତି ‌ହେଲା। ତତ୍‌କାଳୀନ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏ ନେଇ ‘ଆଦିତ୍ୟ ବିର୍ଲା ଫାଉଣ୍ଡେସନ୍‌’ ସହ ଆଲୋଚନା କଲା ପରେ ଫାଉଣ୍ଡେସନ୍ ଏହାକୁ ନୂଆ ରୂପ ଦେବାକୁ ସମ୍ମତି ପ୍ରକାଶ କରିଥିଲା। ତାହା ପରେ ୨୦୧୭ ମେ’ ମାସରେ ‘ପର୍ଯ୍ୟଟନ ବିଭାଗ’ ଓ ‘ଆଦିତ୍ୟ ବିର୍ଲା ଫାଉଣ୍ତେସନ୍‌’ ମଧୢରେ ବୁଝାମଣାପତ୍ର ସ୍ବାକ୍ଷର ହେଲା। ୨୦୧୮ ଡିସେମ୍ବର ସୁଦ୍ଧା ଏହାର କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲେ ବି ସେଥିରେ ବିଳମ୍ବ ‌ହୋଇଥିଲା। ଶେଷରେ ବହୁ ପ୍ରତୀକ୍ଷାର ଅନ୍ତ ଘଟି ଏହା ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ଯାଉଛି। ଏହା ଦ୍ବାରା ସର୍ବସାଧାରଣରେ ଗାନ୍ଧୀଜୀଙ୍କ ମୂଳନୀତିର ପ୍ରଚାରପ୍ରସାର ହେବା ସହ ବିଦେଶରେ ମଧୢ ଗାନ୍ଧୀ ନୀତି ପ୍ରଚାର ଓ ପ୍ରସାର ହୋଇପାରିବ ବୋଲି ପର୍ଯ୍ୟଟନ ବିଭାଗ ଆଶା ରଖିଛି। ଗାନ୍ଧୀ ଶାନ୍ତି କେନ୍ଦ୍ରରେ ପର୍ଯ୍ୟାୟକ୍ରମେ ଅହି˚ସା ଆଧାରିତ ବକ୍ତୃତାମାଳା ତଥା ପ୍ରସିଦ୍ଧ ଶିଳ୍ପୀମାନଙ୍କ ଦ୍ବାରା ଗାନ୍ଧୀ ଭଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବାର ଯୋଜନା ରହିଛି।

ସମ୍ବନ୍ଧିତ ଖବର