ଠିକ୍‌ଠାକ୍ ଚାଲୁନି ବିଏମ୍‌ସି ୱାର୍ଡ ଅଫିସ, ବଦଳିଲେ ୨୨ୱାର୍ଡ ଅଫିସର

ଭୁବନେଶ୍ବର : ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଗତ ଅଗଷ୍ଟ ୩୧ରେ ସବୁ ୱାର୍ଡରେ ୱାର୍ଡ ଅଫିସ ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ। ଉଦ୍ଦେଶ୍ୟ ଥିଲା, ପ୍ରତ୍ୟେକ ୱାର୍ଡର ବାସିନ୍ଦା ନିଜ ୱାର୍ଡରେ ଥିବା ୱାର୍ଡ ଅଫିସରେ ନିଜର ଅଭିଯୋଗ କରିବେ। ୱାର୍ଡ ସ୍ତରରେ ଲୋକଙ୍କ ସମସ୍ୟାର ସମାଧାନ ହେବ। ବିଏମ୍‌ସି ଜୋନ୍‌ ଅଫିସ୍‌ କି ମୁଖ୍ୟାଳୟକୁ ଆସି ଅଭିଯୋଗ କରିବାକୁ ପଡ଼ିବନି। ଭୁବନେଶ୍ବରରେ ଏହି ଯୋଜନାକୁ ସଫଳ କରିବା ସହ ସାରା ରାଜ୍ୟରେ ଦୁଇ ହଜାରରୁ ଅଧିକ ୱାର୍ଡ ଅଫିସ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

କିନ୍ତୁ ଭୁବନେଶ୍ବରରେ ହିଁ ଏହି ଯୋଜନା ବାଟବଣା ହୋଇଗଲା। ୱାର୍ଡ ଅଫିସ ସିନା ଉଦ୍‌ଘାଟନ ହୋଇଗଲା। ହେଲେ ୱାର୍ଡ ଅଫିସର୍‌ ଏଠାରେ ବସିଲେନି। ୱାର୍ଡ ଅଫିସରମାନେ ମନଇଚ୍ଛା ଅଫିସ ଖୋଲିଲେ। ସକାଳ ୯ଟାରୁ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ଅଫିସ ଖୋଲିବାକୁ ବିଏମ୍‌ସି ନିୟମ କରିଥିଲେ ହେଁ ଅଧିକାଂଶ ୱାର୍ଡ ଅଫିସର ଅଫିସକୁ ଠିକ୍ ସମୟରେ ଆସିଲେନି କି ଲୋକଙ୍କ ଅଭିଯୋଗ ୱାର୍ଡସ୍ତରରେ ସମାଧାନ କଲେନି। ତେଣୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଲା। ଏପରିକି କେତେକ ୱାର୍ଡରେ ବିଏମ୍‌ସିର ଆୟ ନ ବଢ଼ିବାର କାରଣ ୱାର୍ଡ ଅଫିସର୍‌ ବୋଲି ବିଏମ୍‌ସି ଅଧିକାରୀଙ୍କୁ ରିପୋର୍ଟ ମିଳିଲା। ତେଣୁ ସ୍ଥିତିରେ ସୁଧାର ଆଣିବା ପାଇଁ ୱାର୍ଡ ଅଫିସର ସ୍ତରରେ ବିଏମ୍‌ସି ପକ୍ଷରୁ ଅଦଳବଦଳ କରାଯାଇଛି। ବିଏମ୍‌ସି ୨୨ଜଣ ୱାର୍ଡ ଅଫିସରଙ୍କୁ ଅଦଳବଦଳ କରିଛି। ଏଥିରୁ କିଛି ୱାର୍ଡ ଅଫିସରଙ୍କୁ ପାଖ ୱାର୍ଡକୁ ବଦଳି କରାଯାଇ ଥିବା ବେଳେ କେତେକଙ୍କୁ ଜୋନ୍‌ ବାହାରକୁ ପଠାଯାଇଛି। ଅଧିକାଂଶ ସ୍ଥାନରେ ସହମତିରେ ଅଦଳବଦଳ ହେଲା ଭଳି ନିର୍ଦ୍ଦେଶନାମା ବାହାରିଛି। ହେଲେ ୱାର୍ଡ ଅଫିସରମାନଙ୍କୁ ତୁରନ୍ତ ସମସ୍ତ ଦାୟିତ୍ବ ହସ୍ତାନ୍ତର କରି ନୂଆ ସ୍ଥାନ‌‌‌ରେ ଯୋଗ ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର