ଧର୍ମାନୁଷ୍ଠାନ ସହଯୋଗରେ ରାଜଧାନୀରେ ହେବ ୨୨୦ କୋଭିଡ୍‌ କେୟାର ହସ୍ପିଟାଲ୍‌

ରାଜଧାନୀରେ ୮୫ ଆଇସିୟୁ ସହ ୩୩୨୧ ଶଯ୍ୟା ଅଛି, ଖୋଲିଲା ବ୍ଲୁ ହୁଇଲ୍‌ ହସ୍ପିଟାଲ

ଭୁବନେଶ୍ୱର : ରାଜଧାନୀରେ ଥିବା ବିଭିନ୍ନ ଧର୍ମାନୁଷ୍ଠାନ ସହଯୋଗରେ ବିଏମ୍‌ସି ୨୨୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ହସ୍ପିଟାଲ ପ୍ରସ୍ତୁତ କରିବାକୁ ଯୋଜନା କରିଛି। ଗୁରୁଦ୍ବାରା, ଖ୍ରୀଷ୍ଟିଆନ ଆସୋସିଏସନ, ମୁସଲିମ୍‌ ଆସୋସିଏସନ୍ ଇତ୍ୟାଦି ଏ ନେଇ ବିଏମ୍‌ସିକୁ ସହଯୋଗର ହାତ ବଢ଼ାଇଥିବା ବିଏମ୍‌ସି କମିସନର କହିଛନ୍ତି। ଏହାବାଦ୍‌ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲରେ ୧୫୦ଶଯ୍ୟା, ୩୧ ଆଇସିୟୁ ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ, ଡୁମଡୁମା ୟୁସିଏଚ୍‌ସିରେ ବିଏମ୍‌ସି ପକ୍ଷରୁ ୬୦ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହଯୋଗରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ହୋମ୍‌, ତିନି ବିଧାୟକଙ୍କ ଅନୁଦାନରେ ୫୦ଶଯ୍ୟା ଲେଖାଏ କୋଭିଡ୍‌ କେୟାର ହୋମ୍‌, ତିନିଟି ଆବାସିକ ସଂଘ ପକ୍ଷରୁ ୭୫ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ହୋମ୍‌ ହେବ। ଏଥିରେ ବିପୁଲ ଗାର୍ଡେନ୍‌, ବିଏମ୍‌ସି ଭବାନୀ ଏନକ୍ଲେଭ୍‌ ଏବଂ ଉତ୍କଳ ରୟାଲ ରେସିଡେନ୍ସି ୨୫ଟି ଲେଖାଏ ସିସିଏଚ୍‌ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛନ୍ତି।

୮୫ ଆଇସିୟୁ ସହ ୩୩୨୧ ଶଯ୍ୟା ଅଛି
ଭୁବନେଶ୍ୱର : ରାଜଧାନୀରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ହସ୍ପିଟାଲରେ ବେଡ୍‌ ମିଳିବ କି ନାହିଁ ସେ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଗଲାଣି। ଏନେଇ ଆଜି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ, ସହରର ବିଭିନ୍ନ ସ୍ଥାନରେ ମୋଟ୍‌ ୮୭୦ ଶଯ୍ୟା ବିଶିଷ୍ଟ ୬ଟି କୋଭିଡ୍‌ କେୟାର ହୋମ୍‌, ପଟିଆରେ ୬୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହେଲ୍‌ଥ ସେଣ୍ଟର, ହାଇଟେକ୍ ହସ୍ପିଟାଲରେ ୫୦୦ ଶଯ୍ୟା ବିଶିଷ୍ଟ ଓ ଏସ୍‌ଆଇଡିବିଆଇରେ ୪୦ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର, କିମ୍‌ସରେ ୪୫ଆଇସିୟୁ ଓ ୫୦୦ ଶଯ୍ୟା, ସମ୍‌ ହସ୍ପିଟାଲରେ ୨୫ ଆଇସିୟୁ ଓ ୫୦୦ ଶଯ୍ୟା ବିଶିଷ୍ଟ ଉତ୍ସର୍ଗୀକୃତ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟ କରୁଛି। ଭୁବନେଶ୍ବର ନିକଟବର୍ତ୍ତୀ ଗ୍ରାମାଞ୍ଚଳଗୁଡ଼ିକ ପାଇଁ ୮୨୬ ଶଯ୍ୟାର ଚିକିତ୍ସା ସୁବିଧା ରହିଛି। ଏହି ସବୁ ସୁବିଧା ସହିତ ବିଭିନ୍ନ ହସ୍ପିଟାଲ, ସ୍ବାସ୍ଥ୍ୟ ଅନୁଷ୍ଠାନ, ଶିଳ୍ପ ସଂସ୍ଥା, ଭୁବନେଶ୍ବରର ତିନି ବିଧାୟକଙ୍କ ଅନୁଦାନ, ଆବାସିକ ସଂଘ ସହାୟତାରେ ଭୁବନେଶ୍ବର ପାଇଁ ଅତିରିକ୍ତ ୧୫୦୦ ଶଯ୍ୟାର ଚିକିତ୍ସା ବ୍ୟବସ୍ଥା କରାଯାଇଛି। ଅଥଚ ଏବେ ରାଜଧାନୀର ଦୁଇ ପ୍ରମୁଖ ହସ୍ପିଟାଲ ସମ୍‌ ଓ କିମ୍‌ସରେ ବିଏମ୍‌ସି ଅଞ୍ଚଳର ବହୁତ କମ୍‌ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। କିମ୍‌ସରେ ୧୦୨ ସାଧାରଣ ୱାର୍ଡରେ, ୯ଜଣ ଆଇସିୟୁରେ, ୨ଜଣ ଭେଣ୍ଟିଲେଟରରେ ଅଛନ୍ତି, ସେହିପରି ସମ୍‌ରେ ୫୪ଜଣ ୱାର୍ଡରେ, ୨ଜଣ ଆଇସିୟୁ ଓ ୨ଜଣ ଭେଣ୍ଟିଲେଟରରେ ଅଛନ୍ତି।

ଖୋଲିଲା ବ୍ଲୁ ହୁଇଲ୍‌ ହସ୍ପିଟାଲ
ଭୁବନେଶ୍ୱର : ମଞ୍ଚେଶ୍ୱରସ୍ଥିତ ବ୍ଲୁ ହୁଇଲ୍‌ ହସ୍ପିଟାଲ କୋଭିଡ୍‌-୧୯ କଟକଣା ଉଲ୍ଲଂଘନ କରିବା ସହ ହସ୍ପିଟାଲରୁ ଏକସଙ୍ଗେ ୩୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ବିଏମ୍‌ସି ପକ୍ଷରୁ ଏହି ହସ୍ପିଟାଲକୁ ସିଲ୍‌ କରାଯାଇଥିଲା। ଏବେ ସମସ୍ତ କର୍ମଚାରୀ ସୁସ୍ଥ ହେବା ପରେ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ କୋଭିଡ-୧୯ କଟକଣା ଉଲ୍ଲଂଘନ କରିବେନି ବୋଲି ଲିଖିତ ଭାବେ ଦେବା ପରେ ବିଏମ୍‌ସି ପକ୍ଷରୁ ହସ୍ପିଟାଲ ସିଲ୍‌ ଖୋଲାଯାଇଛି। ୩୧ଦିନ ବନ୍ଦ ରହିବା ପରେ ଆଜି ହସ୍ପିଟାଲ ଖୋଲିଛି।

ସମ୍ବନ୍ଧିତ ଖବର