ବିଜୁଳି କଷ୍ଟରେ ଭରତପୁରର ୨୨ ହଜାର ଗ୍ରାହକ: ସାମାନ୍ୟ କାରଣରୁ ଘଣ୍ଟାଘଣ୍ଟା ଧରି ବିଜୁଳି କାଟ

ଖଣ୍ଡଗିରି: କିଛି ଦିନ ହେଲା ଘଣ୍ଟାଘଣ୍ଟା ସମୟ ଧରି ବିଜୁଳି କାଟରେ ନୟାନ୍ତ ହେଲେଣି ଭରତପୁର ସେକ୍ସନର ୨୨ ହଜାର ଗ୍ରାହକ। ସ୍ଥାନୀୟ ବାସିନ୍ଦାଙ୍କ ଅଭଯୋଗ ଅନୁଯାୟୀ ସାମାନ୍ୟ ପବନ କି ଝିପିଝିପି ବର୍ଷା ହେଲେ, କେଉଁଠି ବିଜୁଳି ଖୁମ୍ବ କି ବିଜୁଳି ତାରରେ ସାମାନ୍ୟ ସମସ୍ୟା ସୃଷ୍ଟି ହେଲେ ଚାଲିଯାଉଛି ବିଜୁଳି। ଏହାକୁ ନେଇ ଗ୍ରାହକ ବିଜୁଳି କାର୍ଯ୍ୟାଳୟକୁ ଫୋନ୍‌ କଲେ ମଧ୍ୟ ଉଠାଇବାକୁ କେହି ନାହିଁ। ସାମାନ୍ୟ ସମସ୍ୟା ଥିଲେ ମଧ୍ୟ ୨ରୁ୩ ଘଣ୍ଟା ପର୍ଯ୍ୟନ୍ତ ମରାମତି ହୋଇପାରୁ ନାହିଁ କି ବିଜୁଳି ଆସୁନି। ଏଥିଯୋଗୁଁ ବ୍ୟବସାୟ, କାର୍ଯ୍ୟାଳୟର କାର୍ଯ୍ୟ ପ୍ରଭାବିତ ହେବା ସହିତ ୱାର୍କ ଫ୍ରମ୍‌ ହୋମ୍‌ କରୁଥିବା ଲୋକଙ୍କ କାମ ପ୍ରଭାବିତ ହେଉଛି।

ଭୁବନେଶ୍ବର ସିଟି ଡିଷ୍ଟ୍ରିବ୍ୟୁସନ ଡିଭିଜନ-୨ର ସର୍ବାଧିକ ଗ୍ରାହକ ଥିବା ଅଞ୍ଚଳ ଭରତପୁର ସେକ୍ସନ। ଏଥିରେ ଆମ୍ରି ଡାକ୍ତରଖାନା, ଅନ୍ଧାରୁଆ, ଦାସପୁର ରୋଡ଼, ଜିଏ କଲୋନି, ଭରତପୁର, ସମ୍‌ ଡାକ୍ତରଖାନା, ନୂଆଁଗାଁ, ସାଁପୁର, ପଣ୍ଡାକୁଦିଆ, ଗୋଠପାଟଣା, ଅଳେଇପଣା, କଣ୍ଟାବା଼ଡ଼, ଡେରାସ, ପାଇକରାପୁର, କଳିଙ୍ଗନଗର କେ-୧, କେ-୨ ଓ କେ-୮ ଅଞ୍ଚଳ ରହିଛି। ଏହି ଅଞ୍ଚଳରେ ସେହି ହିସାବରେ ବିଜୁଳି ବ୍ୟବସ୍ଥା ରହିଛି। କିନ୍ତୁ କିଛି ଦିନ ହେଲା, ଅଣଓଡ଼ିଆ ଯନ୍ତ୍ରୀଙ୍କ ନିଯୁକ୍ତି ହୋଇଥିବାରୁ ଏଭଳି ବିଜୁଳି ବିଭ୍ରାଟ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ରାଜ୍ୟ ବାହାରୁ ଆସିଥିବାରୁ ଏହି ଯନ୍ତ୍ରୀମାନେ ସ୍ଥାନୀୟ ବିଜୁଳି ବ୍ୟବସ୍ଥା ସମ୍ପର୍କରେ ଅବଗତ ନାହାନ୍ତି। ମରାମତିରେ ଅସୁବିଧା ହେଉଛି। ଏଥିପ୍ରତି ଟିପିସିଓଡିଏଲ ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର