ଭୁବନେଶ୍ବର: ଅମୀୟ ପଟ୍ଟନାୟକ ପ୍ରଡକ୍ସନ ନିବେଦିତ ତଥା ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ ‘କର୍ମ’ର କ୍ରେଜ୍ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛି ‘କର୍ମ’। ଏ ଫିଲ୍ମ ପ୍ରଥମ ଦିନରୁ ହିଁ  ଜବରଦସ୍ତ ବ୍ୟାବସାୟିକ ସଫଳତା ହାସଲ କରିଛି। ମାତ୍ର ୫ ଦିନରେ ଏହା ୨.୨୧ କୋଟି ଟଙ୍କାର ବ୍ୟବସାୟ କରିଥିବା ପ୍ରଯୋଜନା ସଂସ୍ଥା ସୂଚନା ଦେଇଛି। ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏହା ଏକ ରେକର୍ଡ।  

Advertisment

ରିଲିଜ୍‌ର ପ୍ରଥମ ଦିନରେ ‘କର୍ମ’ ୩୭ ଲକ୍ଷ ୨୦ ହଜାର ଟଙ୍କାରୁ ଅଧିକ ଟଙ୍କାର ବ୍ୟବସାୟ କରିଥିଲା, ଯାହା ଓଡ଼ିଆ ଫିଲ୍ମ ଇତିହାସରେ ଏକ ସର୍ବକାଳୀନ ରେକର୍ଡ। ଏହା ପରଦିନ, ଅର୍ଥାତ୍ ଗୁରୁବାର ଦିନ ଫିଲ୍ମଟି ୩୮.୧ ଲକ୍ଷ , ଶୁକ୍ରବାର ୪୦. ୩, ଶନିବାର ୪୮.୯ ଓ ରବିବାର ୫୬.୭ ଲକ୍ଷ ଟଙ୍କାର ବ୍ୟବସାୟ କରିଛି। ପ୍ରଥମ ଦିନ ‘କର୍ମ’ ସାରା ଓଡ଼ିଶାରେ ୪୪ଟି ସ୍ଥାନରେ ରିଲିଜ୍‌ ହୋଇଥିବା ବେଳେ ୯୦ରୁ ଅଧିକ ସୋ’ ଚାଲିଥିଲା। ପ୍ରଥମ ଦିନ କେବଳ ଭୁବନେଶ୍ବରରେ ୩୭ଟି ସୋ’ ଥିଲା। ୫ ଦିନ ପରେ କେବଳ ଭୁବନେଶ୍ବରେ ୫୫ଟି ସୋ’ ଚାଲିଛି। କେବଳ ଏତିକି ନୁହେଁ, କଟକର ବୃନ୍ଦାବନ ହଲ୍‌ରେ ଦଶହରା ଅବସରରେ ୨୪ ଘଣ୍ଟା ‘କର୍ମ’ ଚାଲିଥିଲା। ସେଠାରେ ରାତି ୩ଟାରେ ଆରମ୍ଭ ହେଉଥିବା ସୋ’ ମଧ୍ୟ ହାଉସ୍‌ ଫୁଲ୍‌ ରହିଥିଲା। 

‘କର୍ମ’ର କ୍ରେଜ୍‌ କେବଳ ଓଡ଼ିଶାରେ ନୁହେଁ, ଓଡ଼ିଶା ବାହାରେ ମଧ୍ୟ ଦେଖିବାକୁ ମିଳିଛି। ଓଡ଼ିଶାରେ ରିଲିଜ୍‌ ହେବାର ୨ ଦିନ ପରେ, ଅର୍ଥାତ୍‌ ୧୧ ତାରିଖ ଦିନ ପୁନେ, ଦିଲ୍ଲୀ, ବେଙ୍ଗାଲୁରୁ ଓ ମୁମ୍ବାଇରେ ‘କର୍ମ’  ରିଲିଜ୍‌ ହୋଇଥିଲା। ବଡ଼କଥା ହେଉଛି, ଏହିସବୁ ସ୍ଥାନରେ ସବୁ ସୋ’ ହାଉସ୍‌ ଫୁଲ୍‌ ଚାଲିଛି। ବାହାରେ ରହୁଥିବା ଓଡ଼ିଆଙ୍କ ସମେତ ଅନ୍ୟ ଭାଷାଭାଷୀ ସିନେପ୍ରେମୀ ମଧ୍ୟ ଏ ଫିଲ୍ମକୁ ଦେଖି ପ୍ରଶଂସା କରୁଛନ୍ତି। ଉଲ୍ଲେଖନୀୟ ଯେ ‘କର୍ମ’ରେ ଅନୁଭବ ମହାନ୍ତି, ସୂର୍ଯ୍ୟମୟୀ, ମନ୍ମୟ, ଦିବ୍ୟାଦିଶା, ସନୋଜ, ନିଶାନ୍ତ ମଜିଥିଆ ଓ ଉଦିତ ଗୁରୁ ପ୍ରମୁଖ ଅଭିନୟ କରିଛନ୍ତି। ଆଶିଷ ପ୍ରଧାନ ଏହାର ସଙ୍ଗୀତକାର। ମାନସ ପଢ଼ିଆରି ସଂଳାପ ଲେଖିଥିବାବେଳେ ଦୀପକ କୁମାର ହେଉଛନ୍ତି ସିନେମାଟୋଗ୍ରାଫର୍।