ଭୁବନେଶ୍ବର: ଚଳିତବର୍ଷ ସରକାର ଖାଦ୍ୟ ନିରାପତ୍ତା ଯୋଜନାରେ ମିଳୁଥିବା ଖାଉଟି କାର୍ଡ ଜାଲିଆତିକୁ ଧରିବା ପାଇଁ ଇ-କେୱାଇସି ବ୍ୟବସ୍ଥା ଆପଣାଇଲେ। ୬ ମାସ ଧରି ରାଜ୍ୟ ସରକାରଙ୍କ କସରତ ପରେ ବି ବହୁ ହିତାଧିକାରୀ ଇ-କେୱାଇସି ଦାଖଲ କରିନାହାନ୍ତି। ଏଣୁ ଯେଉଁମାନେ ଇ-କେୱାଇସି ଭରିନାହାନ୍ତି, ରାଜ୍ୟ ସରକାର ଜୁଲାଇରୁ ୩ ମାସ ପର୍ଯ୍ୟନ୍ତ ସେମାନଙ୍କ ରାସନ୍ କାର୍ଡ ବାତିଲ୍ ସହ ଖାଉଟି ସାମଗ୍ରୀ ଯୋଗାଣା ବନ୍ଦ ରଖିଛନ୍ତି। ଏହି ତିନିମାସ ଭିତରେ ଇ-କେୱାଇସି ନ ଭରିଲେ, କାର୍ଡ ରଦ୍ଦ କରାଯିବ ବୋଲି ଯୋଗାଣ ମନ୍ତ୍ରୀ ଚରମବାଣୀ ଶୁଣାଇଛନ୍ତି। ଏହାସତ୍ତ୍ବେ ରାଜଧାନୀ ଭୁବନେଶ୍ବରରେ ଇ-କେୱାଇସିରେ ସେତେଟା ଅଗ୍ରଗତି ଦେଖିବାକୁ ମିଳିନି। ଦେଢ଼ ମାସ ପରେ ବି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ରେ ୨୨ହଜାର ୨୨୫ଜଣ ହିତାଧିକାରୀ ଇ-କେୱାସି ଭରିନାହାନ୍ତି। ସହଯୋଗ ପାଇଁ ବିଏମ୍‌ସି ଗତ ୨୧ ତାରିଖରୁ ତିନି ଜୋନ୍ କାର୍ଯ୍ୟାଳୟରେ ଇ-କେୱାଇସି ସୁବିଧା ଆରମ୍ଭ କରିଛି। ଏହା ବି ସେତେଟା ଫଳପ୍ରଦ ହୋଇନି। 
ଯୋଗାଣ ବିଭାଗ ତଥ୍ୟ ମୁତାବକ, ଭୁବନେଶ୍ବର ମହାନଗର ନିଗମରେ ୧ଲକ୍ଷ ୩ହଜାର ପରିବାର ଖାଉଟି କାର୍ଡ ପାଇଥିଲେ। ଯେଉଁଥିରେ ୩ଲକ୍ଷ ୪୦ହଜାର ୫୦୨ଜଣ ଲୋକ ଖାଉଟି ସାମଗ୍ରୀ ପାଉଥିଲେ। ଇ-କେୱାଇସି ପ୍ରକ୍ରିୟା ପରେ ୩ଲକ୍ଷ ୧୮ହଜାର ୨୭୮ଜଣ ଇ-କେୱାଇସି କରିଛନ୍ତି। ୨୨ହଜାର ୨୨୫ଜଣ ଇ-କେୱାଇସି କରିନାହାନ୍ତି। ଯେଉଁମାନେ ଇ-କେୱାଇସି ଭରିଥିଲେ, ଯାଞ୍ଚ ପରେ ଅଯୋଗ୍ୟ କାରଣରୁ ସେଥିରୁ ୪ହଜାର ୭୩୪ଟି କାର୍ଡକୁ ରଦ୍ଦ କରାଯାଇଛି। ଯେଉଁଥିରୁ କେବଳ ସରକାରୀ ଚାକିରିଆଙ୍କ କାର୍ଡ ୫୪୨ଟି ରହିଛି। ୨୨୫୧ଜଣଙ୍କ ମୃତ୍ୟୁ ଓ ୮୩୬ଜଣଙ୍କ ବିବାହ ହୋଇସାରିଥିବାରୁ ସେମାନଙ୍କ ନାମ ହିତାଧିକାରୀ ତାଲିକାରୁ ବାଦ୍ ଦିଆଯାଇଛି। ଯେଉଁ ସରକାରୀ ଚାକିରିଆ ରାସନ୍ କାର୍ଡରେ ଖାଉଟି ସାମଗ୍ରୀ ପାଉଥିଲେ, ସେମାନଙ୍କଠାରୁ ସୁଧମୂଳ ସହ ଖାଉଟି ସାମଗ୍ରୀର ଟଙ୍କା ଅସୁଲ୍ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଖୋର୍ଦ୍ଧା ଜିଲ୍ଲାପାଳ ଚିଠି କରିଥିଲେ। କିନ୍ତୁ ଏହି ଚିଠିକୁ ଚାପି ଦିଆଯାଇଛି। ଜଣେ ବି ସରକାରୀ ଚାକିରିଆଙ୍କଠାରୁ ଖାଉଟି ସାମଗ୍ରୀ ଆଦାୟ କରାଯାଇନି।
ଅପରପକ୍ଷେ ୨୦୨୨ ମସିହା ପରଠାରୁ ନୂଆ ରାସନ୍ କାର୍ଡ ମଞ୍ଜୁର ପ୍ରକ୍ରିୟା ବନ୍ଦ ରହିଥିଲା। ଆବେଦନ ପ୍ରକ୍ରିୟା ଚାଲିଥିଲେ ବି କାହାରିକୁ ନୂଆ ରାସନ୍ କାର୍ଡ ଇସ୍ୟୁ କରାଯାଇନଥିଲା। ସରକାରଙ୍କ ନିର୍ଦ୍ଦେଶ ପରେ ଭୁବନେଶ୍ବର ମହାନଗର ନିଗମରେ ନୂଆ ରାସନ୍ କାର୍ଡ ମଞ୍ଜୁର ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁମାନଙ୍କ ରାସନ୍ କାର୍ଡ କଟିଛି, ସେହି ସ୍ଥାନରେ ନୂଆ ରାସନ୍ କାର୍ଡ ଇସ୍ୟୁ କରାଯାଉଛି। ୨୦୨୨ ମସିହାରୁ ନୂଆ ରାସନ୍ କାର୍ଡ ଇସ୍ୟୁ ବନ୍ଦ ରହିଥିଲେ ବି ୧୫ହଜାର ୮୭ଜଣ ରାସନ୍ କାର୍ଡ ପାଇଁ ଆବେଦନ କରିଥିଲେ। ଏଥିରୁ ୩୨୫୫ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି। ଗତ ଜୁଲାଇ ୨୦ ତାରିଖ ସୁଦ୍ଧା ଆବେଦନରୁ ୪୦୭୭ଜଣ ଅଯୋଗ୍ୟ ବିବେଚିତ ହୋଇଥିଲେ। ଅବଶିଷ୍ଟ ୭୭୫୫ଟି ଆବେଦନର ଯାଞ୍ଚ ଚାଲିଥିଲା। ଏଥିରୁ ଆଉ ୧୧୦୦ ଅଯୋଗ୍ୟ ବିବେଚିତ ହୋଇଛି। ଏ ଭିତରେ ନୂଆ କାର୍ଡ ବଣ୍ଟନ ପ୍ରକ୍ରିୟା ବି ଚାଲିଛି। କିନ୍ତୁ ଯୋଗାଣ ବିଭାଗ କାର୍ଯ୍ୟାଳୟରେ ପ୍ରାୟ ୨୫୦୦ ନୂଆ ରାସନ୍ କାର୍ଡ ଇସ୍ୟୁ ସରିଥିଲେ ବି କେହି ନେବାକୁ ଆସୁନାହାନ୍ତି। ମାସ ମାସ ଧରି ଏହା ଯୋଗାଣ ବିଭାଗ ପାଖରେ ପଡ଼ିରହିଛି। ଯୋଗାଣ ବିଭାଗ ଏସିଏସ୍ଓ ରୋହିତ ଦାସ କହିଛନ୍ତି, ୨୫୦୦ କାର୍ଡର ଯାଞ୍ଚ ପ୍ରକ୍ରିୟା ସରିଛି ଓ ସମସ୍ତ କାର୍ଡ ଯୋଗ୍ୟ ବୋଲି ଜଣାପଡ଼ିଛି। କିନ୍ତୁ ଯେଉଁମାନେ ଏହି କାର୍ଡ ପାଇଁ ଆବେଦନ କରିଥିଲେ, ସେମାନେ ନେବାକୁ ଆସୁନାହାନ୍ତି। ଭୁବନେଶ୍ବରରେ ଆସି କାମ କରୁଥିବା ଅବା ରହୁଥିବା ଅନ୍ୟ ଜିଲ୍ଲାର ଲୋକେ ଏଠାରେ ଆବେଦନ କରି ପରେ ଘରକୁ ଫେରି ଯାଇଛନ୍ତି ବୋଲି ଆମେ ଭାବୁଛୁ। ଇ-କେୱାଇସି ଯାଞ୍ଚ, ରାସନ୍ କାର୍ଡ ରଦ୍ଦ, ନୂଆ ରାସନ୍ କାର୍ଡ ଇସ୍ୟୁ ଆଦି ପ୍ରକ୍ରିୟା ପରେ ଭୁବନେଶ୍ବର ମହାନଗର ନିଗମରେ ୧ଲକ୍ଷ ୬୩ ପରିବାର ରାସନ୍ କାର୍ଡରେ ଖାଉଟି ସାମଗ୍ରୀ ପାଉଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି।