ଭୁବନେଶ୍ବର ଖୋଲା ମଳତ୍ୟାଗମୁକ୍ତ (++) ସହର

ରାଜଧାନୀରେ ୨୨୬ ଶୌଚାଳୟ, ୨୦ଟି ସ୍ଥାନରେ ପରିସ୍ରାଗାର

ଭୁବନେଶ୍ବର: ଭୁବନେଶ୍ବର ଏବେ ଖୋଲା ମଳତ୍ୟାଗମୁକ୍ତ ବା ଓଡିଏଫ୍‌ (++) ସହର ଘୋଷିତ ହୋଇଛି। ଆଜି ବିଏମ୍‌ସିର ଆତ୍ମଘୋଷଣା ଉତ୍ସବରେ ଏହି ସୂଚନା ଦିଆଯାଇଛି। ତେବେ ଓଡିଏଫ୍‌ (++) ମାନ୍ୟତାକୁ ତୃତୀୟ ପକ୍ଷ ଦ୍ବାରା ଯାଞ୍ଚ କରାଯାଇପାରିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଓଡିଏଫ୍‌ (++) ସଂପର୍କରେ ଘୋଷଣା କରିବା ଅବସରରେ ବିଏମ୍‌ସି ମୁଖ୍ୟ ପ୍ରଶାସକ ସଂଗ୍ରାମଜିତ ନାୟକ କହିଲେ, ଭୁବନେଶ୍ବରକୁ କେବଳ ଖୋଲା ମଳତ୍ୟାଗମୁକ୍ତ ସହର ଘୋଷଣାରେ ସୀମିତ ରଖାଯିବ ନାହିଁ। ଆଗାମୀ ଦିନରେ ରାଜଧାନୀ କିଭଳି ଅବର୍ଜନାମୁକ୍ତ ସହର ବା ଜିଏଫ୍‌ସି ଷ୍ଟାର ରେଟିଂ ପାଇପାରିବ, ସେଥିପାଇଁ ଉଦ୍ୟମ କରାଯିବ। ତେବେ ଏହି ଜିଏଫ୍‌ସି ଷ୍ଟାର୍‌ ରେଟିଂ ପାଇଁ ଓଡିଏଫ୍‌(++) ଏକ ଜରୁରୀ ଆବଶ୍ୟକତା। ଆସନ୍ତାକାଲିଠାରୁ ଚଳିତବର୍ଷ ସ୍ବଚ୍ଛ ସର୍ବେକ୍ଷଣ ଆରମ୍ଭ ହେବାକୁ ଯାଉଛି। ୬ ହଜାର ମାର୍କ ପାଇଁ ଏହି ସର୍ବେକ୍ଷଣ କରାଯିବ। ବାସୁଆଘାଇଠାରେ ଥିବା ପାଇଖାନା ମଳ ପରିଚାଳନା ବ୍ୟବସ୍ଥାକୁ ଅନେକ ପ୍ରଶଂସା ମିଳିଛି। ତେବେ ସହରକୁ ଅଧିକ ସ୍ବଚ୍ଛତା ଆଣିବାକୁ ହେଲେ ପେଟ୍ରୋଲ ପମ୍ପରେ ଥିବା ଟଏଲେଟ୍‌ଗୁଡ଼ିକୁ ସଫାସୁତରା ରଖିବା ଜରୁରୀ ବୋଲି ଶ୍ରୀ ନାୟକ କହିଥିଲେ।

ବିଏମ୍‌ସି କମିସନର ପ୍ରେମ୍ ଚନ୍ଦ୍ର ଚୌଧରୀ କହିଲେ, ଭୁବନେଶ୍ବର ଓଡିଏଫ୍‌ (++) ସହର ଭାବେ ଘୋଷଣା ହେବା ପରେ ରାଜଧାନୀବାସୀ ସ୍ବଚ୍ଛତା ବଜାୟ ରଖିବା ଦିଗରେ ଅଧିକ ସଚେତନ ହୁଅନ୍ତୁ। ପଲିଥିନ୍‌ର ବ୍ୟବହାରକୁ କମାଇବା ସହ ଖୋଲାରେ ମଳତ୍ୟାଗମୁକ୍ତ ରଖିବା ଦିଗରେ ଉଦ୍ୟମ କରନ୍ତୁ। ଫଳରେ ଆଗାମୀ ଦିନରେ ଭୁବନେଶ୍ବରକୁ ଏକ ସ୍ବଚ୍ଛ, ସୁନ୍ଦର ସହର ଭାବେ ଗଢ଼ିବାରେ ଏହା ସହାୟକ ହୋଇପାରିବ ବୋଲି ଶ୍ରୀ ଚୌଧରୀ ଆହ୍ବାନ କରିଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ କମିସନର୍‌ ସୁରଥ ମଲ୍ଲିକ୍ ଓ ସିଟି ଇଞ୍ଜିନିୟର ଦେବ ସୁନ୍ଦର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ‘ସିଡ୍‌ କାର୍ଡ’ ବଣ୍ଟନ କରାଯାଇଥିଲା। ହାତ ତିଆରି କାଗଜରେ ପ୍ରସ୍ତୁତ ଏହି ସିଡ୍‌ କାର୍ଡ ଭିତରେ ମଞ୍ଜି ରହିଛି। ପଦାରେ ଏହି କାର୍ଡକୁ ପକାଇଦେଲେ ଏଥିରେ ଥିବା ମଞ୍ଜିରୁ ଗଛ ଉଠିବ। ଏହାସହ ଘୋଷଣା ଉତ୍ସବରେ ଯୋଗ ଦେଇଥିବା ବ୍ୟକ୍ତିମାନଙ୍କୁ କଟନ ବ୍ୟାଗ୍ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ପ୍ରତିନିଧି, ହୋଟେଲ ସଂଘର ପ୍ରତିନିଧି ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ରାଜଧାନୀରେ ୨୨୬ ଶୌଚାଳୟ
ରାଜଧାନୀରେ ସମୁଦାୟ ୨୨୬ଟି ଶୌଚାଳୟ ରହିଛି। ତହିଁରେ ସାମୂହିକ ଶୌଚାଳୟ, ଗୋଷ୍ଠୀ ଶୌଚାଳୟ, ଇ-ଶୌଚାଳୟ ଓ ପେଟ୍ରୋଲ ପମ୍ପ୍‌ରେ ଥିବା ଶୌଚାଳୟ ରହିଛି। ଆହୁରି ୫୪ଟି ଶୌଚାଳୟ ନିର୍ମାଣାଧୀନ ରହିଛି। ସମସ୍ତ ଶୌଚାଳୟରେ ଶିଶୁ, ବରିଷ୍ଠ ନାଗରିକ, ମହିଳା ଓ ତୃତୀୟଲିଙ୍ଗୀଙ୍କ ପାଇଁ ସୁବିଧା ରହିଛି। ଏହାସହ ୧୭ଶହ କାର୍ଯ୍ୟକାରୀ ଶୌଚାଳୟ ସିଟ୍ ରହିଛି। ୧୧୯୧୪ଟି ବ୍ୟକ୍ତିଗତ ପାଇଖାନା ପାଇଁ ଦରଖାସ୍ତ ମଞ୍ଜୁର ସହିତ ନିର୍ମାଣ ଓ ଜିଏ ଟ୍ୟାଗିଂ କରାଯାଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ଓଡିଏଫ୍‌ (++) କ’ଣ ?
କୌଣସି ସହର/ୱାର୍ଡ ଖୋଲା ମଳତ୍ୟାଗ ମୁକ୍ତ(+) ସହର ଭାବେ ପରିଗଣିତ ହେବା ପାଇଁ ସେହି ସହର କିମ୍ବା ୱାର୍ଡରେ ଜଣେ ହେଲେ ବ୍ୟକ୍ତି ଖୋଲାରେ ମଳତ୍ୟାଗ ଓ ପରିସ୍ରା କରୁ ନ ଥିବା ଦରକାର। ସହରରେ ଥିବା ସମସ୍ତ ସର୍ବସାଧାରଣ ଶୌଚାଳୟ କିମ୍ବା ଗୋଷ୍ଠୀ ଶୌଚାଳୟ ଠିକ୍‌ ଭାବେ କାମ କରିବା ସହ ସଫାସୁତରା ରହିବା ଉଚିତ। ଏହାସହ ପାଇଖାନା ମଳ ପରିଚାଳନା ବ୍ୟବସ୍ଥା ସହ ସ୍ବେରେଜ୍ ବ୍ୟବସ୍ଥାର ଉପଯୁକ୍ତ ପରିଚାଳନା, ଖୋଲାରେ ଡ୍ରେନ୍ କିମ୍ବା ଜଳାଶୟରେ ମଳକୁ ପକା ଯାଉ ନଥିବା ଆବଶ୍ୟକ। ପୂର୍ବରୁ ଯେଉଁ ସହର ନିଜକୁ ଥରେ ଓଡିଏଫ୍‌ମୁକ୍ତ ସାର୍ଟିଫି‌କେଟ୍‌ ହାସଲ କରିଥିବେ, ସେମାନଙ୍କୁ ହିଁ କେବଳ ଓଡିଏଫ୍‌ ++ ଘୋଷଣା କରିବାର ସୁଯୋଗ ମିଳିବ। କେନ୍ଦ୍ର ସରକାରଙ୍କ ସହରାଞ୍ଚଳ ଓ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ଏକ ତୃତୀୟ ପକ୍ଷ ଯାଞ୍ଚ କରାଯିବ। ଯଦି ଯାଞ୍ଚ ସମୟରେ ସଂପୃକ୍ତ ସହର ଏଥିରେ ବିଫଳ ହୁଅନ୍ତି, ତେବେ ତାଙ୍କୁ ୧ମାସର ଅତିରିକ୍ତ ସମୟ ଦିଆଯିବ। ପରେ ସଂପୃକ୍ତ ସହର ଓଡିଏଫ୍‌ (++) ପାଇଁ ପୁନର୍ବାର ଆବେଦନ କରିପାରିବେ।

୨୦ଟି ସ୍ଥାନରେ ପରିସ୍ରାଗାର
ରାଜଧାନୀର ୨୦ଟି ସ୍ଥାନରେ ସ୍ବତନ୍ତ୍ର ଭାବେ ପରିସ୍ରାଗାର ଖୋଲିବ। ଏଥିପାଇଁ ବିଏମ୍‌ସି ପକ୍ଷରୁ ଜାଗା ଚିହ୍ନଟ କାର୍ଯ୍ୟ ଶେଷ ହୋଇଛି। ଯେଉଁ ସ୍ଥାନଗୁଡ଼ିକରେ ଅଧିକ ସଂଖ୍ୟାରେ ଲୋକଙ୍କ ଗହଳି ହେଉଛି, ସେଠାରେ ଏହି ପରିସ୍ରାଗାର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ମାର୍ଚ ୩୧ ତାରିଖ ସୁଦ୍ଧା ୨୦ଟି ପରିସ୍ରାଗାର ନିର୍ମାଣ କାର୍ଯ୍ୟ ଶେଷ ହେବ। ଯେଉଁ ସ୍ଥାନରେ ପରିସ୍ରାଗାର ନିର୍ମାଣ କରାଯିବ, ସେଠାରେ ବସିବା ସ୍ଥାନ ସହିତ ୱାଲପେଣ୍ଟିଂ କରାଯିବ। ପରବର୍ତୀ ସମୟରେ ରାଜଧାନୀର ଅନ୍ୟ ସ୍ଥାନରେ ସ୍ବତନ୍ତ୍ର ଭାବେ ଏହି ପରିସ୍ରାଗାର ନିର୍ମାଣ କରାଯିବ ବୋଲି ବିଏମ୍‌ସି କମିସନର ପ୍ରେମ୍ ଚନ୍ଦ୍ର ଚୌଧରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର