୨୩ ଶିଶୁ ଶ୍ରମିକ ଉଦ୍ଧାର

ରାଜ୍ୟ ବାହାରକୁ ଚାଲାଣ ହେଉଥିଲେ ୧୯

ଖଣ୍ଡଗିରି: ମଙ୍ଗଳବାର ଭୁବନେଶ୍ୱର ଚାଇଲ୍‌ଡ ଲାଇନ୍‌ ଓ କମିସନରେଟ୍‌ ପୁଲିସର ମିଳିତ ଉଦ୍ୟମରେ ରାଜଧାନୀର ବିଭିନ୍ନ ସ୍ଥାନରୁ ୨୩ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୨୦ ଜଣ ନାବାଳକ ଓ ୩ ଜଣ ନାବାଳିକା ଅଛନ୍ତି। ଭୁବନେଶ୍ୱର ରେଳ ଷ୍ଟେସନ୍‌ରୁ ଉଦ୍ଧାର କରାଯାଇଥିବା ୧୯ ଜଣ ନାବାଳକଙ୍କୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ଜଣାପଡ଼ିଛି। କିନ୍ତୁ ଘଟଣାସ୍ଥଳରୁ ସେମାନଙ୍କୁ ନେଉଥିବା ଦଲାଲ୍‌ ଚମ୍ପଟ ମାରିବାରେ ସକ୍ଷମ ହୋଇଛି। ଉଦ୍ଧାର ସମସ୍ତ ଶିଶୁଙ୍କୁ ଭୁବନେଶ୍ୱର ଚାଇଲ୍‌ଡ ଲାଇନ୍‌ରେ ରଖାଯାଇ କାଉନ୍‌ସେଲିଂ ଚାଲିଥିବାବେଳେ ସେମାନଙ୍କ ବାପା,ମା’ଙ୍କୁ ଖବର ଦିଆଯାଇଛି। ଆଜି ଚାଇଲ୍‌ଡ ଲାଇନ୍‌ର ଏହି ଅପରେସନ୍‌ରେ ବାଲିପାଟଣା ଓ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୪ଜଣ ଶିଶୁ ଶ୍ରମିକଙ୍କୁ ସ୍ଥାନୀୟ ପୁଲିସ ସହଯୋଗରେ ଉଦ୍ଧାର କରାଯାଇଛି। ସେମାନଙ୍କୁ ସମ୍ପୃକ୍ତ ମାଲିକମାନେ ଘରେ ଶ୍ରମିକଭାବେ ନିୟୋଜିତ କରିଥିବା ଜଣାପଡ଼ିଛି। ଏହି ମାଲିକମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିଶୁ କଲ୍ୟାଣ କମିଟିକୁ ଜଣାଇ ଦିଆଯାଇଛି। ତେବେ ଆଜିର ବଡ଼ ଅପରେସନ୍‌ ଥିଲା ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ। ପୂର୍ବାହ୍ନ ପ୍ରାୟ ୧୧ଟାବେଳେ ଏହି ପିଲାମାନେ ପ୍ଲାଟଫର୍ମରେ ବସିଥିବା ଦେଖି ଚାଇଲ୍‌ଡ ଲାଇନ୍‌ର ଅଧିକାରୀମାନଙ୍କ ସନ୍ଦେହ ହୋଇଥିଲା। ପଚରାଉଚରା କରିବା ପରେ ପ୍ରକୃତ କଥା ଜଣାପଡ଼ିଥିଲା। ସେମାନଙ୍କୁ ହାଇଦ୍ରାବାଦ୍‌ ଓ ତାମିଲ୍‌ନାଡ଼ୁ ନିଆଯାଉଛି ବୋଲି ସେମାନେ କହିଥିଲେ। ବିଭିନ୍ନ କମ୍ପାନିରେ ସେମାନଙ୍କୁ ଚାକିରି ମିଳିବ ବୋଲି କୁହାଯାଇଥିବା ନେଇ ସେମାନେ ସୂଚନା ଦେଇଥିଲେ। କିନ୍ତୁ ସେତେବେଳକୁ ସେମାନଙ୍କୁ ନେଉଥିବା ଦଲାଲ୍‌ ଛୁ’ ମାରି ସାରିଥିଲା। ଉକ୍ତ ପିଲାମାନେ ତାକୁ ଖୋଜିଲାବେଳକୁ ରେଳ ଷ୍ଟେସନ୍‌ରେ ତା’ର ପତ୍ତା ନଥିଲା। ତୁରନ୍ତ ରେଳବାଇ ପୁଲିସକୁ ଖବର ଦିଆଯାଇଥିଲା ଓ ପରେ ପିଲାମାନଙ୍କୁ ଚାଇଲ୍‌ଡ ଲାଇନ୍‌କୁ ନିଆଯାଇଥିଲା।

ମିଷ୍ଟାନ୍ନ ଭଣ୍ଡାରରୁ ଦୁଇ ଶିଶୁ ଶ୍ରମିକ ଉଦ୍ଧାର
ବାଲିପାଟଣ: ବନମାଳିପୁର ମହାଲକ୍ଷ୍ମୀ ମିଷ୍ଟାନ୍ନ ଭଣ୍ଡାରରେ କାର୍ଯ୍ୟ କରୁଥିବା ଦୁଇ ଶିଶୁ ଶ୍ରମିକଙ୍କୁ ଭୁବନେଶ୍ୱର ଚାଇଲ୍‌ଡ ଲାଇନ୍‌ ପକ୍ଷରୁ ଆଜି ଉଦ୍ଧାର କରାଯାଇଛି। ବାଲିପାଟଣା ପୁଲିସ୍‌ ସହାୟତାରେ ଚାଇଲ୍‌ଡ ଲାଇନ୍‌ର କର୍ମକର୍ତ୍ତାମାନେ ଦୁଇ ଶିଶୁ ଶ୍ରମିକଙ୍କୁ ମଧ୍ୟାହ୍ନରେ ଉକ୍ତ ଦୋକାନରୁ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ଶିଶୁ ଶ୍ରମିକ ଦ୍ୱୟଙ୍କ ଘର ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ବୋରସିଂ ଗ୍ରାମରେ ବୋଲି ବାଲିପାଟଣା ଥାନାର ତଦନ୍ତକାରୀ ଅଫିସର ସୁରମା ସ୍ୱାଇଁ କହିଛନ୍ତି। ଉଭୟଙ୍କୁ ଆଜି ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି। କାଉନ୍‌ସେଲିଂ କରାଯିବା ପରେ ଏ ନେଇ ମାମଲା ହେବ କି ନାହିଁ ଜଣାପଡ଼ିବ।

ସମ୍ବନ୍ଧିତ ଖବର