ଖଣ୍ଡଗିରି: ବେଙ୍ଗାଲୁରୁର ଏକ ମେଡିକାଲ କଲେଜରେ ନାମ ଲେଖାଇବା ବାହାନାରେ ଜଣେ ଅଭିଭାବକଙ୍କଠାରୁ ୨୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଗୁରୁବାର ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଇନ୍ଫୋସିଟି ଥାନା ପ୍ରଶାନ୍ତି ବିହାର ମନ୍ଦାକିନୀ ଗାର୍ଡେନ୍ରେ ରହୁଥିବା ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ଆଶିଷ କୁମାର ସ୍ୱାଇଁ।
ଦାମନଯୋଡ଼ି ନାଲ୍କୋର କର୍ମଚାରୀ ଅବଦୁଲ୍ ଲତିଫ୍ଙ୍କ ଅଭିଯୋଗ ଅନୁସାରେ ଗତ ସେପ୍ଟେମ୍ବର ମାସରେ ସେ ଆଶିଷଙ୍କୁ ନଗଦ ୨୩ ଲକ୍ଷ ଟଙ୍କା ଓ ୭ ଲକ୍ଷ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ସହ ତାଙ୍କ ପୁଅ ମାଜିଦ୍ ଅହମ୍ମଦଙ୍କର ସମସ୍ତ ଅରିଜିନାଲ୍ ସାର୍ଟିଫିକେଟ୍ ଦେଇଥିଲେ। ଚୁକ୍ତି ଅନୁସାରେ ଆଶିଷ ତାଙ୍କଠାରୁ ଖଣ୍ଡଗିରି ଥାନା ଡୁମୁଡୁମାଠାରେ ଟଙ୍କା ଓ ପ୍ରମାଣପତ୍ର ନେଇଥିଲେ। ଟଙ୍କା ଦେଣନେଣ ବେଳେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲ କଲେଜରେ ପଢ଼ୁଥିବା ଦୁଇ ଛାତ୍ର ପ୍ରଣବ ମେହେର ଓ କଳିଙ୍ଗ ବିଜୟ ମିଶ୍ର ସାକ୍ଷୀ ରହିଥିଲେ। ବେଙ୍ଗାଲୁର୍ସ୍ଥିତ ସିଦ୍ଧାର୍ଥ ମେଡିକାଲ କଲେଜରେ ମାଜିଦ୍ଙ୍କ ନାମ ଲେଖାଇ ଦେବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇ ଆଶିଷ ସବୁ ଟଙ୍କା ନେଇଥିଲା ଓ ମନି ରିସିପ୍ଟ ମଧ୍ୟ ଦେଇଥିଲା। କିନ୍ତୁ ମାସକ ପରେ ସିଟ୍ ମିଳିଲା ନାହିଁ ବୋଲି ଆଶିଷ ଲତିଫ୍ଙ୍କୁ କହିଥିଲା। ପୁଅକୁ ମେଡିକାଲ କଲେଜରେ ପଢ଼ାଇବା ଆଶା ମରିଯିବା ପରେ ଲତିଫ୍ ଟଙ୍କା ଫେରାଇବାକୁ କହିଥିଲେ। ଆଶିଷ ମଧ୍ୟ ଟଙ୍କା ଓ ସମସ୍ତ ପ୍ରମାଣପତ୍ର ଫେରାଇ ଦେବ ବୋଲି କହିଥିଲା। କିନ୍ତୁ ଦିନ ଗଡ଼ି ଚାଲିଲା ସିନା ଆଶିଷ ଟଙ୍କା ଫେରାଇଲା ନାହିଁ। ଆଜି କାଲି କହି ଦିନ ଗଡ଼ାଇ ଚାଲିଲା। ଗତକାଲି ସେ ଟଙ୍କା ଫେରାଇବ ବୋଲି କହି ଲତିଫ୍ଙ୍କୁ ଭୁବନେଶ୍ୱର ଡକାଇଥିଲା। ଲତିଫ୍ ଦାମନଯୋଡ଼ିରୁ ବସ୍ ଯୋଗେ ଆସି ବରମୁଣ୍ଡାରେ ପହଞ୍ଚିଥିଲେ। ଆଶିଷ ମଧ୍ୟ ବରମୁଣ୍ଡାରେ ତାଙ୍କୁ ଦେଖା କଲା ଓ ମାତ୍ର ଏକ ଲକ୍ଷ ଟଙ୍କା ଫେରାଇଲା। ଅବଶିଷ୍ଟ ଟଙ୍କା ବାବଦରେ ସେ କିଛି ଜାଣିନାହିଁ ବୋଲି କହିଲା। ତେଣୁ ଲତିଫ୍ ତୁରନ୍ତ ତାଙ୍କୁ ସେଠାରେ କାବୁ କରି ଖଣ୍ଡଗିରି ଥାନା ପୁଲିସକୁ ଜଣାଇଥିଲେ। ପୁଲିସ ସମସ୍ତଙ୍କୁ ଥାନାକୁ ନେଇ ପଚରାଉଚରା ପରେ ଆଶିଷ ହିଁ ଲତିଫ୍ଙ୍କଠାରୁ ସବୁ ଟଙ୍କା ଗ୍ରହଣ କରିଥିବା ପ୍ରମାଣ ମିଳିଥିଲା।