ଭୁବନେଶ୍ବର: ଋଣ ଦେବା ନାଁରେ ସାଢ଼େ ୨୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ସାଇବର ଥାନା ପୁଲିସ ଜଣେ ଠକକୁ ତେଲେଙ୍ଗାନାରୁ ଗିରଫ କରିଛି। ସେ ହେଲା ତେଲେଙ୍ଗାନା କରିମନଗର ଅଞ୍ଚଳର କାଥି କାର୍ତ୍ତିକ କୁମାର(୨୪)। ତାଠାରୁ ଏକାଧିକ ବ୍ୟାଙ୍କ ପାସ୍ବୁକ୍, ଚେକ୍ ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ସୂଚନା ମୁତାବକ, କିଛି ମାସ ତଳେ ସବ୍ୟସାଚୀ ପ୍ରହରାଜ ନାମକ ଜଣେ ବ୍ୟକ୍ତି ଏକ ନର୍ସିଂ ସ୍କୁଲ୍ ଖୋଲିବା ପାଇଁ ଅନ୍ଲାଇନ୍ରେ ଋଣ ଆବେଦନ ପାଇଁ ଖୋଜାଖୋଜି କରୁଥିଲେ। ଏହି ସମୟରେ ସେ ଫେସ୍ବୁକ୍ରେ ଫୋରେକ୍ସ ଟ୍ରେଡିଂ ପ୍ଲାଟଫର୍ମ ପକ୍ଷରୁ ଏକ ବିଜ୍ଞାପନ ପାଇଥିଲେ। ଯେଉଁଥିରେ ତାଙ୍କୁ ୨କୋଟି ଟଙ୍କା ଋଣ ଦେବା ପାଇଁ ସଂସ୍ଥା ପକ୍ଷରୁ ଅଫର ମିଳିଥିଲା। ସାଇବର ଠକ ସବ୍ୟସାଚୀଙ୍କୁ ଫସାଇବା ପରେ ଋଣ ଆବେଦନ ପୂର୍ବରୁ ତାଙ୍କୁ ଟ୍ରେଡିଂର ଲୋଭ ଦେଖାଇଥିଲେ। ପୁଞ୍ଜିନିବେଶ କଲେ ମାସକରେ ୪ଗୁଣ ଟଙ୍କା ମିଳିବ ବୋଲି ପ୍ରଲୋଭିତ କରିଥିଲେ।
ଏଥିରେ ବିଶ୍ବାସ କରି ସବ୍ୟସାଚୀ ସାଢ଼େ ୨୩ଲକ୍ଷ ଟଙ୍କା ନିବେଶ କରିଥିଲେ। ଟଙ୍କା ହାତେଇବା ପରେ ଠକ ଆଉ ଧରାଛୁଆଁ ଦେଇନଥିଲେ। ଠକାମିର ଶିକାର ହୋଇଥିବା ଜାଣିବା ପରେ ସବ୍ୟସାଚୀ ସାଇବର ଥାନାରେ ଅଭିଯେଗ କରିଥିଲେ। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଯେଉଁ ଆକାଉଣ୍ଟକୁ ଟଙ୍କା ଯାଇଛି ତାହା ରୢାପିଡ୍ ଗ୍ରୋ ମ୍ୟୁଚୁଆଲ୍ ଏଡେଡ୍ କୋଅପରେଟିଭ୍ ଆକାଉଣ୍ଟକୁ ଯାଇଛି। ଯାହାକି ତେଲେଙ୍ଗାନା କରିମନଗର ଆର୍ବିଏଲ୍ ଶାଖା ଅଧୀନରେ ରହିଛି। ଆଉ ଏହି ଆକାଉଣ୍ଟଟି ରୢାପିଡ୍ଗ୍ରୋ ସୋସାଇଟିର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ସାୱାଲାଙ୍କ ଦ୍ୱାରା ପରିଚାଳିତ ହେଉଛି। ତେଲେଙ୍ଗାନାର କରିମନଗରର ମେର୍ଗୁ ଜେଲେନ୍ଦ୍ର ଓ କାଥି କାର୍ତ୍ତିକ କୁମାରଙ୍କ ଦ୍ୱାରା ମିଳିତ ଭାବ ପରିଚାଳିତ ମେସର୍ସ ବ୍ରିୟୋ ମାର୍ଟ ନାମକ ଅନ୍ୟ ଏକ ସଂସ୍ଥା ସହିତ ଲିଙ୍କ୍ ରହିଛି। ତଥ୍ୟ ହାତେଇବା ପରେ ସ୍ଥାନୀୟ ପୁଲିସ ସହଯୋଗରେ ସାଇବର ଥାନା ପୁଲିସ ଚଢ଼ଉ କରି କାଥି କାର୍ତ୍ତିକକୁ ଗିରଫ କରିଥିଲା। ତାକୁ ଜେରା ବେଳେ ଜଣାପଡ଼ିଥିଲା ଯେ ଅଭିଯୁକ୍ତମାନେ ମିଳିତ ଭାବରେ ଠକେଇ ବ୍ୟବସାୟ ସେଟ୍ଅପ୍ ପରିଚାଳନା କରୁଥିଲେ। ନକଲି କମ୍ପାନି ଲୋଗୋ ଓ ୱେବସାଇଟ୍ ତିଆରି କରି ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କା ଚୂନ ଲଗାଉଥିଲେ। ଜେରା ପରେ ତାକୁ ଆଜି କୋର୍ଟଚାଲାଣ କରାଯାଇଛି। ହେଲେ ଏଥିରେ ସମ୍ପୃକ୍ତ ଥିବା ଅନ୍ୟଜଣେ ସହଯୋଗୀ ଏବେ ବି ଫେରାର ରହିଛି। ତାକୁ ଗିରଫ ପାଇଁ ସାଇବର ଥାନା ପୁଲିସ ଚଢ଼ଉ ଜାରି ରଖିଛି।