ଭୁବନେଶ୍ବର: ବିଦେଶାଗତ ପକ୍ଷୀଙ୍କ ଠିକଣା ପାଲଟିଛି ଚନ୍ଦକା ଅଭୟାରଣ୍ୟ। ଲଗାତାର ଭାବେ ଏଠାରେ ପକ୍ଷୀଙ୍କ ଆଗମନ ବଢ଼ିବାରେ ଲାଗିଛି। ପ୍ରଜାତିଙ୍କ ସଂଖ୍ୟା ବି ବୃଦ୍ଧି ପାଉଛି। ୨୦୨୧ରେ ଏଠାକୁ ୨୭ ପ୍ରଜାତିର ୨୧ ହଜାର ୯୪୮ ପକ୍ଷୀଙ୍କ ଆଗମନ ହୋଇଥିବା ବେଳେ ଏଥର ବୃଦ୍ଧି ପାଇ ୨୨ ହଜାର ୮୪୦ରେ ପହଞ୍ଚିଛି। ଏଥର ମୋଟ ୮୮ ପ୍ରଜାତିର ପକ୍ଷୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସନ୍ତସନ୍ତିଆ ଅଞ୍ଚଳରେ ଚଳପ୍ରଚଳ କରୁଥିବା ୫୨ ପ୍ରଜାତିର ପକ୍ଷୀ ରହିଥିବା ବେଳେ ୨୯ ପ୍ରଜାତିର ବିଦେଶାଗତ ପକ୍ଷୀ ରହିଛନ୍ତି। ସନ୍ତସନ୍ତିଆ ଅଞ୍ଚଳ ଉପରେ ନର୍ଭରଶୀଳ ୭ ପ୍ରଜାତିର ପକ୍ଷୀ ରହିଥିବା ଆଜିର ପକ୍ଷୀ ଗଣନା ପରେ ସ୍ପଷ୍ଟ ଜଣାପଡ଼ିଛି।
ଏବର୍ଷ ଆସିଥିବା ପ୍ରମୁଖ ପ୍ରଜାତି ମଧ୍ୟରେ ନର୍ଥନ ପିନ୍ଟାଇଲ୍, ଟୁପଟେଡ୍ ଡକ୍, ଗାଡୱାଲ୍, ରେଡ୍-କ୍ରିଷ୍ଟେଡ୍ ପୋଚାର୍ଡ, ରିଭର ଲାୱାଙ୍ଗ୍, ଗେରି ହେଡେଡ୍ ଲାପ୍ୱିଂ, ଓସ୍ପ୍ରେରି, ୱାଗଟେଲ୍, ରିଭର୍ ଟେର୍ଣ୍ଣ, ଗ୍ରେଡ୍ ଥିକ୍-କିନ୍, ଡାରଟର, ନର୍ଥନ ସୋଭେଲେର, କନ୍ ଟେଲ୍, ବ୍ଲକ ହେଡେଡ୍ ଆଇବିସ୍, ସ୍ପଟେଡ୍ ରେଡ୍ ସାଙ୍କ୍ ରହିଛନ୍ତି। ଏହାବ୍ୟତୀତ ରାଜ୍ୟସ୍ତରୀୟ ୩୨ ପ୍ରଜାତିର ୫୬୨ଟି ପକ୍ଷୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ୨୯ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଭିତରେ କିଛି ନୂଆ ପ୍ରଜାତିର ବିଦେଶୀ ଅତିଥି ପକ୍ଷୀଙ୍କ ଆଗମନ ଚଳିତବର୍ଷର ଉଲ୍ଲେଖନୀୟ ଘଟଣା ପାଲଟିଛି। ଏହାଦ୍ବାରା ଚନ୍ଦକାର ଶୋଭା ବୃଦ୍ଧି ପାଇଛି। ରାଜଧାନୀ ଉପକଣ୍ଠରେ ପ୍ରାକୃତିକ ଜଙ୍ଗଲ ହ୍ରାସ ସହ ତାଳ ଦେଇ କଂକ୍ରିଟ୍ ଜଙ୍ଗଲ ବଢ଼ୁଥିବା ବେଳେ ଏମିତି ନୂଆ ବିଦେଶାଗତ ପକ୍ଷୀଙ୍କ ଆଗମନ ପ୍ରାଣୀପ୍ରେମୀ ମହଲରେ ଖୁସି ଆଣି ଦେଇଛି।
/sambad/media/post_attachments/wp-content/uploads/2022/01/65d4g654ad65gda.jpg)
ଚନ୍ଦକା ଡିଏଫ୍ଓଙ୍କ ତତ୍ତ୍ୱାବଧାନରେ ୧୨ଟି ଟିମ୍ ଅଭୟାରଣ୍ୟର ୨୭ଟି ସ୍ଥାନରେ ପକ୍ଷୀ ଗଣନା କରିଥିଲେ। ଯେଉଁଥିରେ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକଙ୍କ ସମେତ ବନ କର୍ମଚାରୀ, ନନ୍ଦନକାନନର ରିସର୍ଚ୍ଚ ଫେଲୋ, ଉତ୍କଳ ବିଶ୍ବବିଦ୍ୟାଳୟ, ସେଞ୍ଚୁରିଆନ୍ ବିଶ୍ବବିଦ୍ୟାଳୟ, ବିଜେବି ସ୍ବୟଂଶାସିତ କଲେଜର ଗବେଷଣାରତ ଛାତ୍ରଛାତ୍ରୀମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ। କେତେକ ସ୍ବାଚ୍ଛାସେବୀ ସଙ୍ଗଠନ ଓ ସ୍ବେଚ୍ଛାସେବୀଙ୍କୁ ମଧ୍ୟ ଗଣନା କାର୍ଯ୍ୟରେ ସାମିଲ କରାଯାଇଥିଲା। ରାଜଧାନୀ ଉପକଣ୍ଠ ଏକାମ୍ର ପାର୍କ ହ୍ରଦ, ପୁରୀ କେନାଲ, ମୁଣ୍ଡଳୀରୁ ନରାଜ ବ୍ୟାରେଜ୍, ମାଢ଼ୁଆ, ଡମପଡ଼ା ପାଟପୁର ପାଟ, ଚୁଡ଼ଙ୍ଗଗଡ଼ ପାଟ, ବାରିମାଣ, କୁମାରଖୁଣ୍ଟି, ଜାରିଆ, ଅମ୍ବିଲ, ଡେରାସ, କଜଳାଗଣ୍ଡ, ଝୁମୁକା, ଭାଲୁଗାଁପାଟ, ଭୁଆସୁଣୀ, ଗହଳବାଙ୍କ ଏହିପରି ମୋଟ୍ ୨୨ଟି ସ୍ଥାନରେ ପକ୍ଷୀ ଗଣନା କରାଯାଇଥିଲା।
ପକ୍ଷୀ ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ଯେଉଁ ପକ୍ଷୀ ସାଧାରଣତଃ ଶୀତ ଋତୁରେ କେବଳ ଚିଲିକାରେ ଦେଖିବାକୁ ମିଳନ୍ତି, ସେମାନେ ଏଥର ଚନ୍ଦକାକୁ ପସନ୍ଦ କରିଛନ୍ତି। ଏଥିସହିତ ପ୍ରତିବର୍ଷ ଭଳି ପୋଚାର୍ଡ, ହଂସ, ହଂସରାଳି, ଗେଣ୍ଡାଳିଆ, ପେଲିକାନ୍, ଫ୍ଲେମିଙ୍ଗୋ, କର୍ମୋମୋରାଣ୍ଟ, ପିଣ୍ଟେଲ୍ ଆଦି ଯାଯାବର ଜାତୀୟ ପକ୍ଷୀମାନେ ଚନ୍ଦକାରେ ଦେଖିବାକୁ ମିଳିଛନ୍ତି। ବିଦେଶାଗତ ପକ୍ଷୀଙ୍କ ଲାଗି ଚନ୍ଦକାରେ ବ୍ୟାପକ ଖାଦ୍ୟ ରହିଥିବାରୁ ସେମାନଙ୍କ ସଂଖ୍ୟା ବର୍ଷକୁ ବର୍ଷ ବଢ଼ୁଛି। ଗତବର୍ଷ ତୁଳନାରେ ସାମାନ୍ୟ ବଢ଼ିଛି। ମାତ୍ର ବିଗତ ୫ ବର୍ଷର ତଥ୍ୟକୁ ଦେଖିଲେ ପକ୍ଷୀଙ୍କ ସଂଖ୍ୟା ଇତି ମଧ୍ୟରେ ଦୁଇ ଗୁଣ ବୃଦ୍ଧି ପାଇଛି। ଯଦି ଦେଖିବା ୨୦୧୭ରେ ୧୦ ହଜାର ୨୪୭ ରହିଥିବା ବେଳେ ୨୦୧୮ରେ ୧୦ ହଜାର ୧୧୪, ୨୦୧୯ରେ ୧୩ ହଜାର ୮୦୦, ୨୦୨୦ରେ ୪୯ ପ୍ରଜାତିର ୧୬ ହଜାର ୧୩ଟି ପକ୍ଷୀ ଆସିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/d4gda4g65a4g65da.jpg)