ଭୁବନେଶ୍ୱର : ରାଜଧାନୀର ପ୍ରତି ଘରେ ଘରେ ପହଞ୍ଚିବ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟଜଳ। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍(ବିଏସ୍‌ସିଏଲ୍‌) ‘ସ୍ମାର୍ଟ ସିଟି ମିସନ୍’ ଅଧୀନରେ ଏଭଳି ପ୍ରକଳ୍ପ ପ୍ରସ୍ତୁତ କରାଯିବ। ପ୍ରଥମେ ସହିଦ ନଗର, ସତ୍ୟ ନଗର, ଖାରବେଳ ନଗର, ବାପୁଜୀ ନଗର ଓ ଅଶୋକ ନଗରରେ ଏହି ସୁବିଧା ଉପଲବ୍ଧ ହେବ। ପରେ ସହରର ପ୍ରତି ଗଳିକନ୍ଦିରେ ଏହି ଟ୍ୟାପ୍‌ ପାଣି ପହଞ୍ଚିବ। ଏହି ପାଣିକୁ ଫିଲଟର୍‌ କିମ୍ବା ଫୁଟାଇବା ଆବଶ୍ୟକତା ପଡ଼ିବ ନାହିଁ। ସିଧା ସଳଖ ପିଇବା କିମ୍ବା ରୋଷେଇ କାମରେ ବ୍ୟବହାର କରିହେବ। ଏଥିପାଇଁ ବିଏସ୍‌ସିଏଲ୍‌ ୩୫କୋଟି ଟଙ୍କା ଖର୍ଚ୍ଚ କରିବ। ଏଥିପାଇଁ ସ୍ମାର୍ଟସିଟି ମିସନ୍ ୨୦ କୋଟି ପ୍ରଦାନ କରିସାରିଛି। ଏହି କାମ ୱାଟ୍‌କୋ କରିବାକୁ ଯାଉଥିବାରୁ ୱାଟ୍‌କୋକୁ ପ୍ରାଥମିକ ପର୍ଯ୍ୟାୟରେ ୧୦କୋଟି ପ୍ରଦାନ କରାଯାଇଥିବା ବିଏସ୍‌ସିଏଲ୍‌ ପକ୍ଷରୁ କୁହାଯାଇଛି।

Advertisment

ନିୟମିତ ପ୍ରଦୂଷିତ ଜଳ ପାନ କଲେ ପୁଷ୍ଟିହୀନତା ଓ ପାକସ୍ଥଳୀ ରୋଗାକ୍ରାନ୍ତ ହୋଇଥାଏ। ସ୍ୱାସ୍ଥ୍ୟ ପ୍ରତି ବିପଦ ବଢ଼ିଥାଏ। ପ୍ରତି ଘରକୁ ଏହି ୨୪ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳଯୋଗାଣ କେବଳ ସ୍ବାସ୍ଥ୍ୟ ପ୍ରତି ବିପଦ ହ୍ରାସ କରିବ ନାହିଁ, ବରଂ ଓଭରହେଡ୍ ପାଣି ଟାଙ୍କି, ଭୂତଳ ଜଳଭଣ୍ଡାର, ମୋଟର ପମ୍ପ ଘରେ ବ୍ୟବହୃତ ହେଉଥିବା ୱାଟର ଫିଲ୍ଟର୍‌ରେ ହେଉଥିବା ଅର୍ଥ ଖର୍ଚ୍ଚ ଦୂର କରିବ। ପ୍ଲାଷ୍ଟିକ୍‌ ବୋତଲ ବ୍ୟବହାର ମଧ୍ୟ କମ୍‌ ହେବ। ତା’ ସହ ପାଣି ଚୋରିକୁ ରୋକା ଯାଇପାରିବ। ଶତ ପ୍ରତିଶତ ମିଟର ବ୍ୟବସ୍ଥାକୁ ଏଥିରେ ନିଶ୍ଚିତ କରିହେବ। ଫଳରେ ପାନୀୟ ଜଳଯୋଗାଣ କ୍ଷେତ୍ରରେ ହେଉଥିବା ରାଜସ୍ବ ହାନି ରୋକି ହେବ ବୋଲି ବିଏସ୍‌ସିଏଲ୍‌ ଆଶାବାଦୀ ଅଛି। କେବଳ ପୁରୀକୁ ଛାଡ଼ିଦେଲେ ଅନ୍ୟ କୌଣସି ସହରରେ ଏଭଳି ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’ ବ୍ୟବସ୍ଥା ନାହିଁ। ରାଜ୍ୟର ଦ୍ବିତୀୟ ସହର ଭାବରେ ରାଜଧାନୀ ଭୁବନେଶ୍ବର ବାସିନ୍ଦା ଏଭଳି ସୁଯୋଗ ଲାଭ କରିବାକୁ ଯାଉଛନ୍ତି। ଏନେଇ ବିଏସ୍‌ସିଏଲ୍‌ ସିଇଓ ସଞ୍ଜୟ ସିଂହ କହିଛନ୍ତି, ବିଏସ୍‌ସିଏଲ୍‌ର ଏଭଳି ପଦକ୍ଷେପ ରାଜଧାନୀବାସିନ୍ଦାଙ୍କୁ ଶତପ୍ରତିଶତ ଶୁଦ୍ଧ ପାନୀୟ ଜଳ ଯୋଗାଇବ। ବିଏମ୍‌ସି କମିସନର୍‌ ତଥା ବିଏସସିଏଲ୍ ସିଇଓ ସଞ୍ଜୟ କୁମାର ସିଂ କହିଛନ୍ତି ଯେ ଏଥିରେ ଶତପ୍ରତିଶତ ନିରାପଦ ଓ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ ହେବାକୁ ଯାଉଥିବାରୁ ଏବେ ପ୍ଲାଷ୍ଟିକ୍‌ ବୋତଲ ବ୍ୟବହାର କମିବ। ପ୍ରାୟ ୪ଶହ ଟନ୍‌ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ କମ୍‌ କରିବାରେ ସାହାଯ୍ୟ କରିବ।