ୱାଟ୍କୋ ଅଧୀନକୁ ଆସିବ କୋଠା ମରାମତି
ବର୍ଷେ ନପୂରୁଣୁ ସବୁ ବଦଳିଗଲା
ଜଳ ଯୋଗାଣ ସହ କ୍ବାର୍ଟର୍ସ ବି ମରାମତି କରିବ
ତିନି ବର୍ଷର କସରତ ୭ ମାସରେ ଫୁସ୍
ଜନସ୍ବାସ୍ଥ୍ୟ ବିଭାଗ ଯାହା କରୁଥିଲା,
ୱାଟ୍କୋ ତାହା କରିବ
ଭୁବନେଶ୍ବର : ସହରାଞ୍ଚଳରେ ୨୪ଘଣ୍ଟା ବିଶୁଦ୍ଧ ଜଳ ଯୋଗାଣ କରିବା, ଆବଶ୍ୟକ ପାନୀୟ ଜଳ ଉତ୍ପାଦନ ଓ ବିଶୋଧନ କରିବା ସହ ନିୟମିତ ପାଣି ବିଲ୍ ଆଦାୟ କରିବା ପାଇଁ ଜଳ ନିଗମ ବା ୱାଟ୍କୋ ଗଠନ ହୋଇଛି। ଜୁନ୍ ୧, ୨୦୧୯ରୁ ଏହା ଭୁବନେଶ୍ବର, ଖୋର୍ଦ୍ଧା ସହର ସହ ଜଟଣୀ ଅଞ୍ଚଳ ପାଇଁ କାର୍ଯ୍ୟକ୍ଷମ ହେଉଛି। ଏହି ସବୁ ଅଞ୍ଚଳରେ ଲୋକଙ୍କୁ ପାନୀୟ ଜଳ ଯୋଗାଣ ଦାୟିତ୍ବ କେବଳ ୱାଟ୍କୋ ନେଇଛି। ସରକାରୀ କ୍ବାର୍ଟର୍ସ ଓ କୋଠାର ମରାମତି କିନ୍ତୁ ଜନସ୍ବାସ୍ଥ୍ୟ ବିଭାଗ,ଭୁବନେଶ୍ବର ଡିଭିଜନ କରୁଛି। ୱାଟ୍କୋକୁ ସ୍ବୟଂଚାଳିତ କରିବା ପାଇଁ ରାଜ୍ୟ ସରକାର ତିନି ବର୍ଷର ମହଲତ ଦେଇଛନ୍ତି। ଯେତିକି ବ୍ୟୟ କରିବ ସେହି ଅନୁଯାୟୀ ଆୟ କରିବାକୁ ଟାର୍ଗେଟ୍ ଦେଇଛନ୍ତି। ହେଲେ ୱାଟ୍କୋ କର୍ତ୍ତୃପକ୍ଷ ୭ମାସ ପରେ ହାତ ଟେକି ଦେଲେଣି। ଯେତିକି ବ୍ୟୟ କରିବେ ସେତିକି ଆୟ କରିପାରିବେନି ବୋଲି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଏବେ ୱାଟ୍କୋର ଢାଞ୍ଚାଗତ ପରିବର୍ତ୍ତନ ହେବାକୁ ଯାଉଛି।
ଜନସ୍ବାସ୍ଥ୍ୟ ବିଭାଗ ଜଳ ଯୋଗାଣ ବାବଦକୁ ୬୫କୋଟି ଖର୍ଚ୍ଚ କରୁଥିବା ଜଣାଇବା ପରେ ରାଜ୍ୟ ସରକାର ୱାଟ୍କୋକୁ ସ୍ବୟଂଚାଳିତ କରିବାକୁ ୬୦କୋଟି ଦେଇଛନ୍ତି। ୨୦୨୦-୨୧ରେ ୩୦କୋଟି ଦେବେ। ୨୦୨୧-୨୨ରେ ୧୫କୋଟି ଦେବେ। ଏହାପରେ ୱାଟ୍କୋ ଯେତିକି ବ୍ୟୟ କରିବ ସେତିକି ଆୟ କରିବାକୁ ନିୟମ ହୋଇଛି। ହେଲେ ୱାଟ୍କୋର ଅଧିକାରୀମାନେ ପ୍ରଥମ ବର୍ଷର ଟଙ୍କା ପାଇବା ପରେ ଦ୍ବିତୀୟ ବର୍ଷରୁ ଆଉ ରିସ୍କ ନେବାକୁ ଚାହୁଁନାହାନ୍ତି। ୱାଟ୍କୋକୁ ସ୍ବୟଂଚାଳିତ କରିବାକୁ ପାଣି କର ୪ଗୁଣା ବଢ଼ାଇବାକୁ କହୁଛନ୍ତି। ହେଲେ ରାଜ୍ୟ ସରକାର ସହରୀ ବାସିନ୍ଦାଙ୍କ ଉପରେ ଏବେ ପାଣି କର ବୋଝ ଲଦିବାକୁ ଚାହୁଁ ନ ଥିବାରୁ ୱାଟ୍କୋ କର୍ତ୍ତୃପକ୍ଷଙ୍କ ସହ ସାଲିସ୍ କରିବାକୁ ଯାଉଛନ୍ତି। ଏଥିପାଇଁ ରାଜଧାନୀ, ଖୋର୍ଦ୍ଧା ଓ ଜଟଣୀର ସରକାରୀ କୋଠା ଓ କ୍ବାର୍ଟର୍ସର ମରାମତି ଦାୟିତ୍ବ ୱାଟ୍କୋ ଅଧୀନକୁ ଆଣିବାକୁ ଯୋଜନା କରୁଛନ୍ତି। ଏବେ ୱାଟ୍କୋ-୧ ଓ ୱାଟ୍କୋ-୨ ଡିଭିଜନ ପାନୀୟ ଜଳ ଯୋଗାଣ କାର୍ଯ୍ୟ କରୁଥିବାବେଳେ ୱାଟ୍କୋ-୩ ଗଠନ କରି ଏହା ଅଧୀନକୁ ସରକାରୀ କୋଠା ଓ କ୍ବାର୍ଟର୍ସର ମରାମତି କାମ ଆଣିବାକୁ ଆପାତତଃ ନିଷ୍ପତ୍ତି ନେଇଛନ୍ତି। ଏହା ହେଲେ ରାଜଧାନୀରେ ଜନସ୍ବାସ୍ଥ୍ୟ ବିଭାଗର ସତ୍ତା ହଜିଯିବ।
ୱାଟ୍କୋ କର୍ତ୍ତୃପକ୍ଷ ନିଜର ଅପାରଗତା ଲୁଚାଇବାକୁ ଯାଇ ଏବେ ସରକାରୀ କୋଠା ଓ କ୍ବାର୍ଟର୍ସର ମରାମତି ଦାୟିତ୍ବ ୱାଟ୍କୋରେ ସାମିଲ୍ କରିବାକୁ ଯାଉଛନ୍ତି ବୋଲି କୁହାଯାଉଛି। କାରଣ ପୂର୍ବରୁ ଜନସ୍ବାସ୍ଥ୍ୟ ବିଭାଗ ଅଧୀନରେ ଯେମିତି ଭୁବନେଶ୍ବରର ତିନିଟି ଡିଭିଜନ କାମ କରୁଥିଲା ଆଗକୁ ୱାଟ୍କୋ ଅଧୀନରେ ସେମିତି ତିନିଟି ଡିଭିଜନ କାମ କରିବ। ଯଦି ଏମିତି କାମ କରିବାର ଥିଲା ତେବେ ତିନି ବର୍ଷ ଯାଏ କାହିଁକି ୱାଟ୍କୋ ଗଠନ ନେଇ କସରତ ହେଉଥିଲା, କାହିଁକି ଏତେ ଯୋଜନା ଓ ପ୍ରହସନ ହେଉଥିଲା ବୋଲି ପ୍ରଶ୍ନ ଉଠିଲାଣି। ଯଦି ଏହା କରିବାର ଥିଲା ତେବେ ଜନସ୍ବାସ୍ଥ୍ୟ ବିଭାଗର ତିନିଟି ଡିଭିଜନ ଭିତରୁ ଦୁଇଟିକୁ ପାନୀୟ ଜଳ ଯୋଗାଣ ଏବଂ ଗୋଟିଏକୁ କ୍ବାର୍ଟର୍ସ ମରାମତି ପାଇଁ ରଖାଯାଇପାରିଥାନ୍ତା। ଏତେ କର୍ମଚାରୀଙ୍କୁ ଡେପୁଟେସନ୍ରେ ପଠାଇବା, ନୂଆ ଅଫିସ୍, ନୂଆ ବ୍ୟବସ୍ଥା ଆରମ୍ଭ କରିବାର କିଛି ଆବଶ୍ୟକ ନଥିଲା।
ଜନସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ୱାଟ୍କୋ ଅଧୀନରେ ଏବେ କେବଳ ପାନୀୟ ଜଳ ଯୋଗାଣ ଦାୟିତ୍ବ ଥିବାରୁ ଏଠାରେ କାମ କରିବାକୁ ଇଞ୍ଜିନିୟରମାନେ ଚାହୁଁନାହାନ୍ତି। ଯାହାକୁ ଡେପୁଟେସନ୍ରେ ଯିବାକୁ କୁହାଯାଉଛି ସେମାନେ ବିଭିନ୍ନ ଆଳ ଦେଖାଉଛନ୍ତି। ଯାହାକୁ ପଠାଯାଉଛି ସେମାନେ ବି ବହୁ ଅସନ୍ତୋଷରେ ଯାଉଛନ୍ତି। ଏହାବାଦ୍ ୱାଟ୍କୋର ମୁଖ୍ୟ କାମ ପାନୀୟ ଜଳ ଯୋଗାଣ ହୋଇଥିବାରୁ ଏବଂ ନିୟମିତ ପାଣି କର ଆଦାୟ କରିବାକୁ ଥିବାରୁ ବିଭାଗୀୟ ଅଧିକାରୀମାନେ ଏତେ ରିସ୍କ ନେବାକୁ ଚାହୁଁନାହାନ୍ତି। ଏପଟେ ରାଜ୍ୟ ସରକାର ଆସନ୍ତା ଆର୍ଥିକ ବର୍ଷ ୫୦% ଏବଂ ୨୦୨୧-୨୨ରେ ୨୫% ଅନୁଦାନ ଦେବାକୁ କହୁଥିବାରୁ ଟଙ୍କା ନଥିଲେ ଗୁଣାତ୍ମକ ସେବା ଯୋଗାଇବା ସମ୍ଭବ ହେବନି। ତେଣୁ ସରକାରୀ କୋଠା ଓ କ୍ବାର୍ଟର୍ସ ମରାମତି ବାବଦକୁ ଯେଉଁ ଟଙ୍କା ମିଳିବ ସେଥିରୁ ଅନ୍ତତଃ ସରକାରୀ କର୍ମଚାରୀମାନଙ୍କର ଦରମା ଦିଆଯାଇପାରିବ ବୋଲି ଯୋଜନା କରି ଜନସ୍ବାସ୍ଥ୍ୟ ବିଭାଗ, ଭୁବନେଶ୍ବରକୁ ୱାଟ୍କୋ-୩ ଭାବେ ୱାଟ୍କୋରେ ସାମିଲ୍ କରିବାକୁ ଯୋଜନା କରିଛନ୍ତି।
ୱାଟ୍କୋର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ତିନି ବର୍ଷ ମଧ୍ୟରେ ୱାଟ୍କୋକୁ ସ୍ବୟଂଚାଳିତ କରିବା କଷ୍ଟକର। କାରଣ ୱାଟ୍କୋ କେବଳ ଜଳ ଯୋଗାଣ ଏବଂ ନୂଆ ସଂଯୋଗରୁ ରାଜସ୍ବ ପାଉଛି। ଏଥିରୁ ବାର୍ଷିକ ପ୍ରାୟ ୩୦କୋଟି ପାଇବ। କିନ୍ତୁ କର୍ମଚାରୀଙ୍କ ବେତନ, ଜଳ ବିଶୋଧନ କେନ୍ଦ୍ର, ପମ୍ପ୍ ହାଉସ୍ର ରକ୍ଷଣାବେକ୍ଷଣ ଏବଂ ଜଳ ପ୍ରକ୍ରିୟାକରଣ ବାବଦକୁ ବାର୍ଷିକ ପ୍ରାୟ ୬୫କୋଟି ଖର୍ଚ୍ଚ ହେବ ବୋଲି ଆକଳନ ହୋଇଛି। ଏଥିରେ ତିନି ବର୍ଷରେ ଏହା ସ୍ବୟଂଚାଳିତ ହୋଇପାରିବନି। ଆର୍ଥିକ ବର୍ଷ ଆରମ୍ଭ ହେବାର ଦୁଇ ମାସ ପରେ ୱାଟ୍କୋ ଆରମ୍ଭ ହେଲା। ଫଳରେ ତିନି ମାସର ବିଲ୍ ୱାଟ୍କୋ ପାଇଲାନି। ତେଣୁ ଏବେ ଜଳକର ବଢ଼ାଇଲେ ହିଁ ୱାଟ୍କୋ ସ୍ବୟଂ ସମ୍ପୂର୍ଣ୍ଣ ହୋଇପାରିବ। ହେଲେ ସରକାର ରାଜି ନାହାନ୍ତି। ତେଣୁ କ୍ବାର୍ଟର୍ସ ଓ ସରକାରୀ କୋଠା ମରାମତି କାମ ୱାଟ୍କୋ ଅଧୀନକୁ ଆଣିବାକୁ ପ୍ରସ୍ତାବ ଦେଇଛୁ।
ୱାଟ୍କୋ କେମିତି କାମ କରୁଛି
ଵାଟ୍କୋ ପ୍ରାରମ୍ଭିକ ପର୍ଯ୍ୟାୟରେ ଜନସ୍ବାସ୍ଥ୍ୟ ବିଭାଗର ଭୁବନେଶ୍ବର ଡିଭିଜନ୍-୧, ଡିଭିଜନ-୨ ଓ ଡିଭିଜନ-୩ ଜଳ ଯୋଗାଣ କରୁଥିବା ଅଞ୍ଚଳରେ ଜଳ ଯୋଗାଣ କରୁଛି। ଭୁବନେଶ୍ବର, ଖୋର୍ଦ୍ଧା ଏବ˚ ଜଟଣୀରେ ଏହାକୁ ଲାଗୁ କରାଯାଇଛି। ଜଳ ଯୋଗାଣ ଏବ˚ ଆବଣ୍ଟନ ପାଇଁ ଦୁଇଟି ଡିଭିଜନ ରହିଛି। ପୂର୍ବରୁ ଥିବା ଜନସ୍ବାସ୍ଥ୍ୟ ବିଭାଗ ଭୁବନେଶ୍ବର ଡିଭିଜନ-୨କୁ ଵାଟ୍କୋ ଡିଭିଜନ-୧ ଓ ଜନସ୍ବାସ୍ଥ୍ୟ ବିଭାଗ-୧କୁ ୱାଟ୍କୋ ଡିଭିଜନ-୨ ଭାବେ କାମ କରୁଛି। ଏଠାରେ କାର୍ଯ୍ୟ କରୁଥିବା ନିର୍ବାହୀ ଯନ୍ତ୍ରୀମାନେ ୱାଟ୍କୋର ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ଥିବା ଜନସ୍ବାସ୍ଥ୍ୟ ବିଭାଗ ଡିଭିଜନ୍-୩ କାର୍ଯ୍ୟାଳୟ କେବଳ ଜନସ୍ବାସ୍ଥ୍ୟ ବିଭାଗ ଭୁବନେଶ୍ବର ଡିଭିଜନ ଭାବେ କାର୍ଯ୍ୟ କରୁଛି।