ନାଁକୁ ସଙ୍ଗରୋଧ, ଶିଥିଳ ପଡ଼ିଗଲାଣି କଟକଣା; ବାଲିପାଟଣାରେ ପୁଣି ୨୪ ପଜିଟିଭ୍‌

ବାଲିପାଟଣା : ଆଜି ସ୍ଥାନୀୟ ଅଞ୍ଚଳରୁ ପୁଣି ୨୪ ଜଣ କରୋନା ପଜିଟିଭ୍‌ ଚି଼ହ୍ନଟ ହୋଇଛନ୍ତି। ଅଠାନ୍ତର ପଞ୍ଚାୟତରୁ ୮, ମଝିହରା ପଞ୍ଚାୟତରୁ ୭, ଭାକରସାହିରୁ ୪ , ମୁକୁନ୍ଦଦାସପୁର ପଞ୍ଚାୟତରୁ ୨, ଗାରେଡ଼ିପାଞ୍ଚଣ, ମାର୍ଥାପୁର ଓ ଦେଉଳିଧରପୁର ପଞ୍ଚାୟତରୁ ଜଣେ ଲେଖାଏଁ ପଜିଟିଭ୍‌ ଥିବା ସୂଚନା ମିଳିଛି। କୌଣସି ଆକ୍ରାନ୍ତ ଗୁରୁତର ନଥିବାରୁ ସମସ୍ତଙ୍କୁ ଗୃହ ସଙ୍ଗରୋଧରେ ରଖା ଯାଇଥିବା ସୂଚନା ମିଳିଛି। ତେବେ ପ୍ରଶାସନର ଏହି ଗୃହ ସଙ୍ଗରୋଧ କଟକଣାକୁ ନେଇ ସ୍ଥାନୀୟ ଲୋକେ ଆପତ୍ତି ଉଠାଇଛନ୍ତି। ପଞ୍ଚାୟତ ପକ୍ଷରୁ ସଙ୍ଗରୋଧ ବ୍ୟବସ୍ଥା ହଟାଇ ନିଆଯାଇଥିବାରୁ କଟକଣା ଶିଥିଳ ହୋଇପଡ଼ିଥିବା ଅଭିଯୋଗ ହେଉଛି। ସେହିଭଳି ନିଜ ଘରେ ସଙ୍ଗରୋଧ କେବଳ ଧର୍ମକୁ ଆଖିଠାର ବୋଲି ଲୋକେ କହୁଛନ୍ତି। ବହୁ ଗରିବ ଲୋକଙ୍କ ନିକଟରେ ଗୃହ ସଙ୍ଗରୋଧର ବ୍ୟବସ୍ଥା ନଥିବାରୁ ସେମାନେ ବାହାରେ ଚଳପ୍ରଚଳ ହେଉଛନ୍ତି ଓ ଏହା ଗୋଷ୍ଠୀ ସଂକ୍ରମଣର କାରଣ ହେଉଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏବେ କରୋନା ପଜିଟିଭ୍‌ ଚିହ୍ନଟ ହେଉଥିବା ବହୁ ଲୋକ ଗରିବ। ସେମାନଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଉଥିବା କିଛି ସୁଫଳ ଦେଉନାହିଁ। କାରଣ ଘର ଅଭାବରୁ ବହୁ ଆକ୍ରାନ୍ତ ନିଜକୁ ପରିବାରଠାରୁ ଅଲଗା କରି ରଖି ପାରୁନାହାନ୍ତି। ବର୍ଷା ଦିନ ହୋଇଥିବାରୁ ବାହାରେ କେଉଁଠି ରହିନପାରି ନିଜ ଘରେ ଗୁଞ୍ଜି ହୋଇ ପିଲାଛୁଆଙ୍କ ସହ ରହୁଛନ୍ତି। ସେହିଭଳି ପାଇଖାନା ଅଭାବରୁ ବହୁ ଆକ୍ରାନ୍ତ ବାହାରେ ମଳତ୍ୟାଗ କରୁଛନ୍ତି। ଅନ୍ୟପକ୍ଷରେ ଦିନମଜୁରିଆ ଭାବେ କାମ କରୁଥିବା ଏହି ଲୋକମାନେ କରୋନା ଆକ୍ରାନ୍ତ ହେବା ଜଣାପଡ଼ିବା ପରେ ଆଉ କାମଧନ୍ଦା ପାଉନାହାନ୍ତି। ଫଳରେ ୧୪ଦିନ ଗୃହ ସଙ୍ଗରୋଧରେ ରହି ରୋଜଗାର ହରାଉଛନ୍ତି ଓ ସେମାନଙ୍କ ପିଲାଛୁଆ ବଡ଼ ସମସ୍ୟାରେ ପଡ଼ୁଛନ୍ତି। ତେଣୁ ଏବେ କିଛି ଲୋକେ ଆଉ ସ୍ବାବ୍‌ ପରୀକ୍ଷା କରାଇବାକୁ ମନ କରୁନାହାନ୍ତି। ଜ୍ବର ହେଉଥିଲେ ମଧ୍ୟ ଔଷଧ ଦୋକାନରୁ ଥଣ୍ଡା ଔଷଧ କିଣି କାମ ଚଳାଇ ନେଉଛନ୍ତି। ଫଳରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି। ସେହିଭଳି ପୂର୍ବଭଳି ଆଉ ଗାଁ ସିଲ୍‌ ହେବା ବା କଣ୍ଟେନ୍‌ମେଣ୍ଟ ଜୋନ୍‌ ଭଳି ବ୍ୟବସ୍ଥା ହଟି ଯାଇଥିବାରୁ ଲୋକେ କଟକଣାକୁ ଖାତିର କରୁନଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର