ଭ୍ୟାନ୍‌ରେ ୨୪ଟି ନୂଆ ବୈଜ୍ଞାନିକ ମଡେଲ

ଭୁବନେଶ୍ବର: ଆସନ୍ତା ବର୍ଷ ଜାନୁଆରି ମାସରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଅନୁଷ୍ଠିତ ହେବ ‘ଇନୋଭେସନ୍ ହବ୍ ଫେଷ୍ଟିଭାଲ’। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନକୁ ନେଇ ରହିଥିବା ନୂଆ ନୂଆ ଉନ୍ମେଷକୁ ଲୋକଲୋଚନକୁ ଆଣିବା ହେଉଛି ଏହି ଫେଷ୍ଟିଭାଲର ମୁଖ୍ୟ ଉଦ୍ଦେଶ୍ୟ। ଏଥିପାଇଁ ଗତ ଜୁଲାଇରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ମଡେଲ ମଧ୍ୟରୁ ଚୟନ ହୋଇଥିବା କିଛି ନିର୍ଦ୍ଦିଷ୍ଟ ମଡେଲ ଏହି ଫେଷ୍ଟିଭାଲରେ ସ୍ଥାନ ପାଇବ। ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର କ୍ୟୁରେଟର୍‌ ଅମିତ କୁମାର ମଣ୍ଡଳଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଶନିବାର ଓ ରବିବାର ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ କେନ୍ଦ୍ରରେ ମଡେଲ ପ୍ରସ୍ତୁତ କରିବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି। ଛାତ୍ରଛାତ୍ରୀମାନେ ମଧ୍ୟ ନିଜସ୍ବ ପ୍ରଚେଷ୍ଟାରେ ପ୍ରସ୍ତୁତ କରିଥିବା ମଡେଲକୁ ମଧ୍ୟ ସ୍ଥାନ ଦିଆଯିବ। ଛାତ୍ରଛାତ୍ରୀମାନେ ଚାହିଁଲେ ମଧ୍ୟ ଗ୍ରୁପ୍‌ରେ ମଧ୍ୟ ମଡେଲ ପ୍ରସ୍ତୁତ କରିପାରିବେ। ମଡେଲ ବିଷୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ପାଇଁ ଦୁଇ ‌ଜଣ ମେଣ୍ଟର ରହିଛନ୍ତି। ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିବା ଶ୍ରେଷ୍ଠ ୩ଟି ମଡେଲକୁ ପୁରସ୍କୃତ କରାଯିବ।

ସେହିପରି ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଅଧୀନରେ ଥିବା ମୋବାଇଲ ସାଇନ୍‌ସ ଭ୍ୟାନ୍‌ରେ ଆହୁରି ୨୪ଟି ନୂତନ ବୈଜ୍ଞାନିକ ମଡେଲ ପ୍ରଦର୍ଶିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ୧୯୮୯ ମସିହାରୁ ରାଜ୍ୟରେ ୨ଟି ମୋବାଇଲ ସାଇନ୍‌ସ ଭ୍ୟାନ୍‌ ରାଜ୍ୟବ୍ୟାପୀ ପରିଭ୍ରମଣ କରୁଛି। ଏଥିରେ ଏବେ ୪୮ଟି ମଡେଲ ପ୍ରଦର୍ଶିତ ହେଉଛି। ଯାହାକି ବହୁତ ପୁରୁଣା ହୋଇଗଲାଣି। ପ୍ରତି ୫ମାସରେ ଥରେ ନୂତନ ବୈଜ୍ଞାନିକ ମଡେଲକୁ ଭ୍ୟାନ୍‌ରେ ସାମିଲ କରାଯାଇଥାଏ। ନୂତନ ଭାବେ ସାମିଲ ହେବାକୁ ଥିବା ବୈଜ୍ଞାନିକ ମଡେଲରେ ବୈଦ୍ୟୁତିକ ଚୁମ୍ବକୀୟ ଶକ୍ତି, ଆଲୋକ, ଅପଟିକାଲ ଇଲ୍ୟୁଜନ୍‌, ବିଭିନ୍ନ ଦୃଷ୍ଟିଶକ୍ତି, ଗଣିତର ନୂଆ ମଡେଲ, ପରିବେଶ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ସହିତ ଆଉ ୧୫ପ୍ରକାର ମଡେଲ ଏଥିରେ ପ୍ରଦର୍ଶିତ ହେବ। ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ପ୍ରତି ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଏହି ଭ୍ୟାନ୍ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସ୍କୁଲକୁ ଯିବ। ଆସନ୍ତା ବର୍ଷ ଫେବ୍ରୁଆରି ମାସରେ ରାଜଧାନୀରେ ଏହାର ଉଦ୍‌ଘାଟନ କରାଯିବ ବୋଲି ଶ୍ରୀ ମଣ୍ଡଳ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର