ଭୁବନେଶ୍ବର: ମୃତ୍ୟୁ ପରେ ଆତ୍ମୀୟସ୍ବଜନଙ୍କ ହାତରେ ଶବର ଅନ୍ତିମ ସତ୍କାର ହେବା ବିଧି ରହିଛି। ନଚେତ୍ ଶବ ନ୍ୟାୟ ପାଇବାରୁ ବଞ୍ଚିତ ହେଲା ବୋଲି କୁହାଯାଏ। ତେଣୁ ଯେତେବେଳେ ପୁଲିସ ଅଜଣା ଶବ ଉଦ୍ଧାର କରେ, ଆତ୍ମୀୟସ୍ବଜନଙ୍କ ଦ୍ବାରା ଶବଦାହ ପାଇଁ ୭୨ଘଣ୍ଟା ଅପେକ୍ଷା କରେ। ଏହା ପରେ ପରିଚୟ ନମିଳିଲେ, ଶବକୁ ପୁଲିସ ହିଁ ସତ୍କାର କରାଏ। ଅନେକ ସମୟରେ ଉପଯୁକ୍ତ ତଦନ୍ତ ଅଭାବରୁ ମୃତକଙ୍କ ପରିଚୟ ମୋଟେ ମିଳିପାରେ ନାହିଁ ଏବଂ ଶବ ସତ୍କାର ହେଲେ ମଧ୍ୟ ନ୍ୟାୟ ପାଇଲା ନାହିଁ ବୋଲି ଧରି ନିଆଯାଏ। ଗତ ୧୦ ବର୍ଷ ଭିତରେ ଖୋଦ୍‌ ରାଜଧାନୀରେ ଏମିତି ୨୪୮ ଶବ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି।

Advertisment

ରାଜଧାନୀରେ ବହୁ ସମୟରେ ବଡ଼ କଦର୍ଯ୍ୟ ଅବସ୍ଥାରେ ଶବ ଜବତ ହୋଇଥାଏ। ବେଳେବେଳେ କେବଳ ହାଡ଼ କଙ୍କାଳ ଜବତ ହୋଇଥାଏ। କେତେବେଳେ ନଦୀପଠାରୁ ତ କେତେବେଳେ ଜଙ୍ଗଲ ଭିତରୁ ଗଳିତ ଶବ ମିଳେ। ଏମିତିକି ଫାଣ୍ଡି ପରିସରରେ ଜବତ ହୋଇ ରହିଥିବା କାର୍‌ ଭିତରୁ ମିଳିଥା‌ଏ କଙ୍କାଳ। ପାରିପାର୍ଶ୍ବିକ ପରିସ୍ଥିତିରୁ ସେସବୁ ହତ୍ୟାକାଣ୍ଡ ବୋଲି ଜଣାପଡ଼ୁଥିଲେ ମଧ୍ୟ ମୃତକଙ୍କ ପରିଚୟ ନମିଳିବାରୁ ସେସବୁ ଅପମୃତ୍ୟୁ ମାମଲାରେ ରହିଯାଏ।

ପରିଚୟ ମିଳୁନଥିବାରୁ ଆଗେଇ ପାରୁନି ତଦନ୍ତ
ହତ୍ୟା, ଆତ୍ମହତ୍ୟା ସବୁ ଏକାକାର
ଖଣ୍ଡଗିରିରେ ସର୍ବାଧିକ ୫୨ ମାମଲା

ସୂଚନାନୁସାରେ ରାଜଧାନୀରେ ଗତ ୧୦ ବର୍ଷରେ ଏମିତି ସନ୍ଦେହଜନକ ଅବସ୍ଥାରେ ୨୪୮ଟି ମୃତଦେହ ଜବତ କରିଥିଲା ପୁଲିସ। ଶବ ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହୋଇଥିଲା କି ସେସବୁ ଗୋଟିଏ ଗୋଟିଏ ହତ୍ୟାକାଣ୍ଡ। କିନ୍ତୁ ସେମାନଙ୍କ ପରିଚୟ ନ ମିଳିବାରୁ‌ ତଦନ୍ତ ବାଟବଣା ହୋଇଗଲା। ଦୁଇ ଦିନ ପୂର୍ବେ ବାରଙ୍ଗ ରେଳ ଷ୍ଟେସନ ନିକଟ ପରିତ୍ୟକ୍ତ ଘରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ‌ଦେହ ମିଳିଛି। ତାଙ୍କୁ ଇଟାରେ ଛେଚି ହତ୍ୟା କରାଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ପରିଚୟ ମିଳିପାରୁନି। ସେହିପରି କୁଆଖାଇ ନଦୀପଠାରୁ ମିଳିଥିଲା ଜଣେ ଯୁବତୀଙ୍କ ମୃତଦେହ। ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏନେଇ ମଞ୍ଚେଶ୍ବର ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା। କିନ୍ତୁ ସଂପୃକ୍ତ ଯୁବତୀଙ୍କ ପରିଚୟ ନ ମିଳିବା କାରଣରୁ ତାହା ଅସମାହିତ ହୋଇ ରହିଯାଇଛି। ସେହିଭଳି ଯାଁଳା ଫାଣ୍ଡି ପରିସରସ୍ଥିତ କାର୍‌ ଭିତରୁ ମିଳିଥିବା ନରକଙ୍କାଳ କାହାର ତାହା ବି ଅଜଣା ହୋଇ ରହିଯାଇଛି। ମଞ୍ଚେଶ୍ବର ବାଲିଯାତ୍ରା ପଡ଼ିଆ ନଦୀବାଲିରୁ ମିଳିଥିବା ମୃତଦେହ, ମେଘେଶ୍ବର ମନ୍ଦିର ଭିତରୁ ମିଳିଥିବା ରକ୍ତାକ୍ତ ମୃତଦେହ ଭଳି ଗଣ୍ଡାଗଣ୍ଡା ହତ୍ୟାକାଣ୍ଡ ଅସମାହିତ ହୋଇରହିଛି।

ସୂଚନାନୁସାରେ ଏଭଳି ଅଚିହ୍ନା ମୃତଦେହ ମିଳିବା ଘଟଣା ସର୍ବାଧିକ ୫୨ମାମଲା ଖଣ୍ଡଗିରି ଥାନାରେ ରୁଜୁ ହୋଇଥିବା ବେଳେ ଖାରବେଳନଗର ଥାନା‌ରେ ୩୬, ସହିଦନଗର ଥାନାରେ ୨୫, କ୍ୟାପିଟାଲ ଥାନାରେ ୨୬, ଚନ୍ଦ୍ରଶେଖପୁରରେ ୧୯, ଲିଙ୍ଗରାଜ ଥାନାରେ ୨୨ ଏବଂ ବଡ଼ଗଡ଼ ଥାନାରେ ୧୭ ମାମଲା ଅସମାହିତ ହୋଇରହିଛି।

ଏ ସମ୍ପର୍କରେ ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀ ବିଷ୍ଣୁ ଚରଣ ମିଶ୍ର କହିଛନ୍ତି ଯେ ନିୟମ ଅନୁଯାୟୀ ଏଭଳି ଅଚିହ୍ନା ମୃତଦେହ ମିଳିଲେ, ପ୍ରଥମେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବ। ମୃ୍ତଦେହର ଆଙ୍ଗୁଳି ଛାପ ନେବା ସହିତ ନଖ, ଚୁଟି, ପୋଷାକପତ୍ର, ହାଡ଼, ରକ୍ତ, ମୃତଦେହର ଫଟୋ, ଆଦି ସଂଗ୍ରହ କରି ରଖିବ। ଆବଶ୍ୟକ ହେଲେ ଶବ ବ୍ୟବଚ୍ଛେଦ ମଧ୍ୟ କରାଇବ। ମୃତଦେହକୁ ୩ ଦିନ ପର୍ଯ୍ୟନ୍ତ ଶବ ସଂରକ୍ଷିତ ଗୃହରେ ରଖିବ। ଯଦି ଏହି ସମୟରେ କେହି ଦାବିଦାର ନ ଆସନ୍ତି ପୁଲିସ ମୃତଦେହକୁ ପୋତି ଦେବ। ସେହିପରି ପରିଚୟ ପାଇବା ପାଇଁ ପୁଲିସ ମୃତଦେହ ଫଟୋ ଥାନାରେ ଲଗାଇବା ସହ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ କରାଇବ।

ବରିଷ୍ଠ ଆଇନଜୀବୀ ବନ ମହାନ୍ତି କହିଛନ୍ତି ଯେ ରାଜଧାନୀରେ ଏଭଳି ଏକାଧିକ ହତ୍ୟା ଓ ଆତ୍ମହତ୍ୟା ମାମଲାରେ ପୁଲିସ ଫାଇନାଲ୍ ରିପୋର୍ଟ କରିଦେଉଛି। ଚାର୍ଜସିଟ୍‌ରେ ଲେଖିଦେଉଛି ନୋ ଏଭିଡେନ୍ସ, କେସ୍ ଇଜ୍ ମିସଟେକ୍ ଅଫ୍ ଫ୍ୟାକ୍ଟ। ଏହା ପରେ ସେହି ମାମଲାର ଫାଇଲ୍‌ ବନ୍ଦ। ଗତ ୧୦ ବର୍ଷ ଧରି ଘଟିଥିବା ମାମଲା ମଧ୍ୟରୁ ୯୦ ପ୍ରତିଶତ ମାମଲାକୁ ପୁଲିସ ବନ୍ଦ କରି ଦେଇଛି। ତେଣୁ ସେସବୁ ହତ୍ୟାକାଣ୍ଡ ଉପରୁ ପରଦା ଉଠି ପାରିବ ନାହିଁ ବୋଲି ସେ କହିଛନ୍ତି।