ଭୁବନେଶ୍ବର: ସାମାଜିକ ଗଣମାଧ୍ୟମରେ ବଢ଼ି ଚାଲିଛି ଆପତ୍ତିଜନକ ପୋଷ୍ଟ୍ର ପରିମାଣ। ଏହା ସହିତ ଏହି ନିର୍ବାଚନ ସମୟରେ ରାଜନୀତି ସମ୍ବନ୍ଧୀୟ ହେଟ୍ ସ୍ପିଚ୍, ବିବାଦୀୟ/ମିଛ ଭିଡିଓ ନିର୍ବାଚନୀ ମାହୋଲକୁ ବିଗାଡ଼ିବାରେ ଯଥେଷ୍ଟ ଆଶଙ୍କା ରହିଛି। ଏବେ ସମାଜିକ ଗଣମାଧ୍ୟମରେ ନେତାମାନଙ୍କର ଡିପ୍ଫେକ୍ ପ୍ରସ୍ତୁତ ମିଛ ଭି଼ଡିଓ ସହିତ ସେମାନଙ୍କର ବକ୍ତବ୍ୟକୁ ଆପତ୍ତିଜନକ ଭାବେ ଏଡିଟିଂ କରା ଯାଇଥିବା ଭିଡିଓ ଏବଂ ଫଟୋ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ୍ ହେଉଛି। ଏହିସବୁ ଆପତ୍ତିଜନକ ପୋଷ୍ଟ୍କୁ ନିୟନ୍ତ୍ରଣ କରିବା କମିସନରେଟ ପୁଲିସ ପାଇଁ ବଡ଼ ଆହ୍ବାନ ହୋଇଛି। ଏଥିପାଇଁ କମିସନରେଟ୍ ପୁଲିସ ପକ୍ଷରୁ ଭୁବନେଶ୍ବର ଓ କଟକ ପାଇଁ ଏକ ସ୍ବତନ୍ତ୍ର ସୋସିଆଲ୍ ମିଡିଆ ମନିଟରିଂ ସେଲ୍ ସ୍ଥାପନ କରାଯାଇଛି। ଏହି ସେଲ୍ ଇତିମଧ୍ୟରେ ବିଭିନ୍ନ ସାମାଜିକ ଗଣମାଧ୍ୟମରୁ ୨୪୯ଟି ପୋଷ୍ଟ୍ ହଟାଇବା ଲାଗି ସଂପୃକ୍ତ ମିଡିଆ ଫ୍ଲାଟ୍ଫର୍ମକୁ ଟେକ୍ଡାଉନ୍ ନୋଟିସ୍ ଜାରି ସାରିଲାଣି ବୋଲି ପୁଲିସ କମିସନର ସଂଜୀବ ପଣ୍ଡା କହିଛନ୍ତି। ଏଥିମଧ୍ୟରେ ରହିଛି ଫେସ୍ବୁକ୍ର ୬୮, ଟ୍ବିଟର୍ର ୩୭ ଓ ଇନ୍ଷ୍ଟାଗ୍ରାମ୍ର ୧୪୪ଟି ଆପତ୍ତିଜନକ ପୋଷ୍ଟ। ସାଧାରଣ ଲୋକଙ୍କ ଆଡୁ ଆସିଥିବା ୪ଟି ପୋଷ୍ଟ ବିରୋଧରେ ଅଭିଯୋଗ ଆସିଥିବାବେଳେ ପୁଲିସ ନିଜଆଡୁ ୨୪୫ଟି ପୋଷ୍ଟକୁ ନିଜସ୍ବ ଯାଞ୍ଚ ଜରିଆରେ ଚିହ୍ନଟକରି ଏହି ନୋଟସ୍ ଜାରି କରିଛି।
ଅଧିକାଂଶ ପୋଷ୍ଟ ରାଜନୈତିକ
ଫେସବୁକ୍ର ୬, ଏକ୍ସର ୩୭, ଇନ୍ଷ୍ଟାଗ୍ରାମ୍ର ୧୪୪
ମିଡିଆ ଫ୍ଲାଟ୍ଫର୍ମଙ୍କୁ ପୁଲିସର ଟେକ୍ଡାଉନ୍ ନୋଟିସ୍
ଏହାସହିତ କମିସନରେଟ ପୁଲିସର ସୋସିଆଲ ମିଡିଆ ସେଲ୍ ୧୧୦ଟି ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ମନିଟରିଂ ଜାରି ରଖିଛି। ଜନସାଧାରଣ କିଭଳି ଏହି ପ୍ରସଙ୍ଗରେ ଅଧିକରୁ ଅଧିକ ଅଭିଯୋଗ କରିବେ ଓ ସୂଚନା ଦେବେ, ସେଥିପାଇଁ କମିସନରେଟ୍ ପୁଲିସ ହ୍ବାଟ୍ସଆପ୍ ନମ୍ବର ସହିତ ଇ-ମେଲ୍ ଆଇଡି ଜାରି କରିଛି। ମିଛ ଖବର, ବିବାଦୀୟ ପୋଷ୍ଟ, ଆପତ୍ତିଜନକ ମିଡିଆ ଷ୍ଟୋରି ଏବଂ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିବାଭଳି ସାମାଜିକ ଗଣମାଧ୍ୟମର ସବୁ ଧରଣର ପୋଷ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିସନରେଟ୍ ପୁଲିସ ଅଣ୍ଟା ଭିଡ଼ିଛି। ଭୁବନେଶ୍ବର ସୋସିଆଲ ମିଡିଆ ବିବାଦୀୟ ପୋଷ୍ଟ ପାଇଁ ଜନସାଧାରଣ ଅଭିଯୋଗ କରିବାଲାଗି ୭୪୪୦୦୦୬୭୦୯ ହ୍ବାଟସ୍ଆପ୍ ନମ୍ବର ସହ ମେଲ୍ ଆଇଡି [email protected] ଓ cyberhelpdesk@ odisha police.gov.in ଜାରି କରାଯାଇଛି। ସେହିପରି କଟକ ପାଇଁ ହ୍ବାଟସ୍ଆପ୍ ନମ୍ବର ୮୨୮୦୪୦୫୯୬୫ ଏବଂ ଇ-ମେଲ୍ ଆଇଡି social medis.updctc, odishapolice.gov.in ଏବଂ [email protected] ରଖା ଯାଇଛି। ଏଥିରେ ଜନସାଧାରଣ ଅଭିଯୋଗ କରି ଜଣାଇଲେ ଠିକଣା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି କମିସନର ସୂଚନା ଦେଇଛନ୍ତି। ଉଲ୍ଲେଖନୀୟ କଥା ହେଉଛି, କମିସନର ଶ୍ରୀ ପଣ୍ଡା ଆହୁରି ସୂଚନା ଦେଇଛନ୍ତି ଯେ ଯେତିକି ସାମାଜିକ ଗଣମାଧ୍ୟମରୁ ଯେତିକି ଭିଡିଓ ହଟାଇବାକୁ ନୋଟିସ୍ ଦିଆ ଯାଇଛି, ତା’ ଭିତରୁ ସର୍ବାଧିକ ପୋଷ୍ଟ ହେଉଛି ନିର୍ବାଚନ ଓ ବିଭିନ୍ନ ରାଜନେତାଙ୍କ ସଂପର୍କରେ। ନୋଟିସ ପାଇବା ପରେ ସଂପୃକ୍ତ ସୋସିଆଲ ମିଡିଆ ଫ୍ଲାଟଫର୍ମଗୁଡ଼ିକ ଉକ୍ତ ବିବାଦୀୟ ପୋଷ୍ଟଗୁଡ଼ିକୁ ହଟାଇବାର ପ୍ରକ୍ରିୟା ଆରମ୍ଭ କରି ସାରିଛନ୍ତି।
ପୁଲିସର କହିବାକଥା, ବିଭିନ୍ନ ସାମାଜିକ ଗଣମାଧ୍ୟମରୁ ନିର୍ବାଚନ ସମ୍ବନ୍ଧୀୟ ଆପତ୍ତିଜନକ ପୋଷ୍ଟଗୁଡ଼ିକୁ ଯାଞ୍ଚକରିବା ପାଇଁ ଜିଲ୍ଲାସ୍ତରରେ ତଥା ରାଜ୍ୟସ୍ତରରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧୀନରେ ସ୍ରିନିଂ କମିଟି ରହିଛି। ଏହି କମିଟିର ଅନୁମତିପ୍ରାପ୍ତ କେତେକ ଭିଡିଓ ପୋଷ୍ଟ୍ ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ଚାଲିଛି। ମାତ୍ର ଏହି କମିଟିର ଅନୁମତି ନନେଇ ଯେଉଁ ପୋଷ୍ଟ ଓ ଭିଡିଓଗୁଡ଼ିକ ସୋସିଆଲ ମିଡିଆରେ ଚାଲିଛି, ସେସବୁ ଉପରେ କଡ଼ାନଜର ରଖାଯାଇଛି। ଭୁବନେଶ୍ବରରେ ଏ ସଂକ୍ରାନ୍ତରେ ଏପର୍ଯ୍ୟନ୍ତ କୌଣସି ମାମଲା ହୋଇ ନଥିବାବେଳେ ରାଜ୍ୟରେ ୫ଟି ମାମଲା ରୁଜୁହୋଇ ଜଣଙ୍କୁ ଗିରଫ କରା ଯାଇଛି। ସାରା ରାଜ୍ୟରେ ଇତିମଧ୍ୟରେ ୬୦୦ରୁ ଅଧିକ ବିବାଦୀୟ ପୋଷ୍ଟ୍/ଭିଡିଓକୁ ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମରୁ ହଟାଇ ଦିଆଯାଇଛି। ଏଥିମଧ୍ୟରୁ ଅଧିକାଂଶ ରାଜନୀତି ଓ ରାଜନେତାଙ୍କ ସଂପର୍କରେ ଏବଂ ଏହାକୁ ବିଭିନ୍ନ ରାଜନୈତିକ ଦଳର ସମର୍ଥକମାନେ ପୋଷ୍ଟ କରିଛନ୍ତି ବୋଲି ଜଣାପଡ଼ିଛି।