ନାଟକ ‘ଫୁଲନୋଳ’ରେ ମହାବାତ୍ୟାର କାହାଣୀ

୨୪ତମ କଳିଙ୍ଗ ନାଟ୍ୟ ମହୋତ୍ସବ

ଭୁବନେଶ୍ବର: ୧୯୯୯ ମସିହା ମହାବାତ୍ୟାରେ ଉପକୂଳ ଜିଲ୍ଲା ଜଗତସିଂହପୁର ଛାରଖାର ହୋଇଗଲା। ସବୁଠାରୁ ଅଧିକ କ୍ଷତି ସହିଥିଲା ଏରସମା ବ୍ଲକ୍‌। ଶହ ଶହ ଘର ଦ୍ବାର ଭାଙ୍ଗିଗଲା, ପୋକ ମାଛି ପରି ମଣିଷ ମରିଗଲେ। ଏରସମା ବ୍ଲକ୍‌ର ରାଇପୁର ଗାଁରେ ୨୦୦ ପରିବାରରୁ ମାତ୍ର ୨୬ଜଣ ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲେ। ନିଜର ଲୋକଙ୍କୁ ହରାଇ ଗୁମୁରି ଗୁମୁରି କାନ୍ଦିବା ଛଡ଼ା ଏମାନଙ୍କ ପାଖରେ ଅନ୍ୟ କିଛି ବାଟ ନଥିଲା। ମହାବାତ୍ୟା ପରେ ବଞ୍ଚି ଯାଇଥିବା ଲୋକଙ୍କ ପାଇଁ ଜୀବନ ଜିଇଁବା ସତେଯେମିତି ନର୍କ ଯନ୍ତ୍ରଣା ପାଲଟିଗଲା। ମଧ୍ୟବୟସ୍କା ବିଧବା ସୁକାନ୍ତି ପରିଡ଼ା ଓ ମାଳତୀ ସାମଲଙ୍କ ଜୀବନରେ ଘଟିଥିଲା କିଛି ଅସାଧାରଣ ଘଟଣା। ଏଭଳି ଏକ କଥାବସ୍ତୁକୁ ନେଇ ଆଜି ରବୀନ୍ଦ୍ର ମଣ୍ଡପରେ ପରିବେଷିତ ହୋଇଥିଲା ନାଟକ ‘ଫୁଲନୋଳ’। ଶତାବ୍ଦୀର କଳାକାର ପକ୍ଷରୁ ଆୟୋଜିତ ୨୪ତମ କଳିଙ୍ଗ ନାଟ୍ୟ ମହୋତ୍ସବରେ ଏହି ନାଟକ ପରିବେଷଣ କରିଥିଲେ ଭୁବନେଶ୍ବର ଇଣ୍ଟରଫେସ୍‌ର କଳାକାର।

ସୁକାନ୍ତି ମହାବାତ୍ୟାରେ ସ୍ବାମୀ ବ୍ରଜଙ୍କ ସମେତ ଦୁଇ ପିଲା, ଶାଶୁ, ଶ୍ବଶୁରଙ୍କୁ ହରାଇଛି। ରାତିର ଅନ୍ଧାରରେ ସମୁଦ୍ର ଜୁଆର ସୁକାନ୍ତିଙ୍କୁ ଭସାଇ ନେଇଥିଲା। ତିନି କିମି ଦୂରରେ ଲାଗି ବଞ୍ଚି ଯାଇଥିଲେ‌ ସେ। ଘରକୁ ଫେରିଲା ବେଳକୁ ଘରଦ୍ବାର ଭାଙ୍ଗି ଯାଇଛି। ସେଇ ଭଙ୍ଗା ଘରେ ଭାଗ୍ୟକୁ ଆଦରି ପଡ଼ି ରୁହନ୍ତି। ସେହି ସମୟରେ ସୁକାନ୍ତିଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇ ସାହାଯ୍ୟ କରିବାକୁ ଆଗେଇ ଆସେ ସେଇ ଗାଁର ବାନାମ୍ବର। ସୁକାନ୍ତିଙ୍କଠାରୁ ବୟସରେ ଛୋଟ ବାନାମ୍ବର। ହେଲେ ତାଙ୍କୁ ବାରମ୍ବାର ବିବାହ ପ୍ରସ୍ତାବ ଦେଇ ଚାଲେ।

ସୁକାନ୍ତି ପ୍ରସ୍ତାବକୁ ଏଡ଼ାଇ ଚାଲନ୍ତି। ଠିକ୍‌ ସେହିପରି ମହାବାତ୍ୟାରେ ସ୍ବାମୀଙ୍କୁ ହରାଇଥିବା ମାଳତୀକୁ ସ୍ତ୍ରୀ ଭାବେ ପାଇବାକୁ ବଳପ୍ରୟୋଗ କରୁଛି ଦେଡ଼ଶ‌ୁର। ଶେଷରେ ମାଳତୀ ବଞ୍ଚିବା ପାଇଁ ସାଲିସ୍‌ କରିଛି। ଦେଡ଼ଶୁରକୁ ବିବାହ କରି ଘର ସଂସାର କରିଛି। କିନ୍ତୁ ଏପଟେ ସୁକାନ୍ତି ନିଜକୁ ପରିବର୍ତ୍ତନ କରିପାରୁନାହିଁ। କେମିତି ସେ ସ୍ବାମୀ ପିଲାଙ୍କ କଥା ଭୁଲି ନିଜଠାରୁ ଛୋଟ ବାନାମ୍ବରକୁ ବିବାହ କରିବ। ବହୁତ ଚିନ୍ତା କରିବା ପରେ ପଡ଼ୋଶୀ ୮୦ ବର୍ଷୀୟ ବୃଦ୍ଧ ଧନୀ ନରୋତ୍ତମ ମହାପାତ୍ରକୁ ବିବାହ ପ୍ରସ୍ତାବ ଦିଅନ୍ତି ଏବଂ ମନ୍ଦିରରେ ଫୁଲନୋଳ ପିନ୍ଧି ବିବାହ କରନ୍ତି। ସେପଟେ ବାନାମ୍ବର ସୁକାନ୍ତିଙ୍କୁ ନପାଇ ମାତାଲ ହୋଇଯାଏ। ୧୯୯୯ ମସିହାରେ ପ୍ରଳୟଙ୍କରୀ ମହାବାତ୍ୟାର ପୃଷ୍ଠଭୂମି ଉପରେ ପର୍ଯ୍ୟବସିତ ନାଟକ ‘ଫୁଲନୋଳ’ରେ ପ୍ରତ୍ୟେକଟି ମଣିଷର ଦୁଃଖ ଯନ୍ତ୍ରଣା ଭିତରେ ବଞ୍ଚି ରହିଥିବା ମୋହକୁ ଖୁବ୍‌ ଚମତ୍କାର ଭାବେ ଦର୍ଶାଯାଇଛି। ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ଭିନ୍ନ ସ୍ବାଦର ଏହି କାହାଣୀକୁ ଗୌରାଙ୍ଗ ଚନ୍ଦ୍ର ରାଉତ ନାଟ୍ୟରୂପ ଓ ନିର୍ଦ୍ଦେଶନା ଦେଇଛନ୍ତି।

ନାଟକରେ ସମିତାରାଣୀ ମହାନ୍ତି, ବର୍ଷାବାସିନୀ ବାରିକ, ଚିରଞ୍ଜୀବୀ ବିଶ୍ବାଳ, କ୍ରାନ୍ତିକେଶରୀ ପୁହାଣ, ରାଜେଶ ମହାନ୍ତି, ଦେବ ପ୍ରସାଦ ଦାଶ, ନୀଳକଣ୍ଠ ପରିଡ଼ା, ପ୍ରକାଶ ମହାରଣା, ଚାରୁଚନ୍ଦ୍ର ମହାନ୍ତି, ସୁରଜ ମହାରଣା, ରଂଜିତ ନାୟକ, ଲକ୍ଷ୍ମୀପ୍ରିୟା, ଗୁଡ଼ୁଲି, ପ୍ରୀତିପ୍ରଜ୍ଞା, ହିତେଶ, ସୁଜିତ, ରଂଜିତ, ରଜନୀକାନ୍ତ ପ୍ରମୁଖ ଅଭିନୟ କରିଥିଲେ। ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଶତାବ୍ଦୀର କଳାକାର ସଭାପତି ଗୌରହରି ଦାସ ସଭା ପରିଚାଳନା କରିଥିବା ବେଳେ ସମ୍ପାଦକ ଧୀର ମଲ୍ଲିକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର