୨୪ତମ କଳିଙ୍ଗ ନାଟ୍ୟ ମହୋତ୍ସବ: ହସେଇ ବେଦମ୍‌ କଲା ‘ଯାଞ୍ଚ ପଡ଼ତାଲ୍‌’

ଅଭିନେତା ଗୋକୁଳାନନ୍ଦ ସାହୁଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ବର: ଏକ ଛୋଟ ସହରର ସମସ୍ତ ସରକାରୀ ଦପ୍ତରର କର୍ମଚାରୀମାନେ ଭ୍ରଷ୍ଟାଚାରରେ ବୁଡ଼ି ରହିଥା’ନ୍ତି। କେନ୍ଦ୍ର ସରକାର ନିକଟରେ ଏ ଖବର ପହଞ୍ଚିବା ପରେ ତଦନ୍ତ ପାଇଁ ଜଣେ ଦକ୍ଷ ଓ କ୍ଷମତାଶାଳୀ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଏ। ଏ ଖବର ମିଳିବା ପରେ ସହରର ମେୟରଙ୍କ ସମେତ ମୁଖ୍ୟ ବିଚାରପତି, ମୁଖ୍ୟ ଚିକିତ୍ସକ, ସ୍କୁଲ୍‌ ପରିଦର୍ଶକ, ପୋଷ୍ଟମାଷ୍ଟର ଏବଂ ପୁଲିସ୍‌ ବିଭାଗ ମୁଖ୍ୟ ଏକ ଜରୁରୀକାଳୀନ ସଭା କରନ୍ତି। ତଦନ୍ତରୁ ଯେମିତି କିଛି ନ ମିଳିବ, ସେଥିପାଇଁ ସମସ୍ତେ ତଦନ୍ତକାରୀ ଅଧିକାରୀଙ୍କୁ ମୋଟା ଅଙ୍କର ଲାଞ୍ଚ ଦେବା ପାଇଁ ଯୋଜନା କରନ୍ତି। ସେମାନଙ୍କ ଯୋଜନା ସଫଳ ହୁଏ ଓ ଯୁବ ତଦନ୍ତକାରୀ ଅଧିକାରୀ ସେମାନଙ୍କଠାରୁ ମୋଟା ଅଙ୍କର ଲାଞ୍ଚ ନେଇ ଅନ୍ତର୍ଧ୍ୟାନ ହୋଇଯାଆନ୍ତି। କିନ୍ତୁ ପରେ ଜଣାପଡ଼େ ଯେ ଯେଉଁ ଅଧିକାରୀ ଟଙ୍କା ନେଇ ଫେରାର୍‌ ହୋଇଯାଆନ୍ତି, ସେ ଜଣେ ନକଲି ତଦନ୍ତକାରୀ ଅଧିକାରୀ ଏବଂ ଏହାର କିଛି ସମୟ ପରେ ପ୍ରକୃତ ତଦନ୍ତକାରୀ ଅଧିକାରୀ ସହର‌‌ରେ ପହଞ୍ଚନ୍ତି। ଏଭଳି ଏକ ବ୍ୟଙ୍ଗ, ହାସ୍ୟରସାତ୍ମକ ନାଟକ ‘ଯାଞ୍ଚ ପଡ଼ତାଲ’ ଆଜି ରବୀନ୍ଦ୍ର ମଣ୍ଡପରେ ଉପସ୍ଥିତ ଦର୍ଶକଙ୍କୁ ହସେଇ ହସେଇ ବେଦମ୍‌ କରିଥିଲା।

୨୪ତମ କଳିଙ୍ଗ ନା‌ଟ୍ୟ ମହୋତ୍ସବରେ ଆଜି ପରିବେଷିତ ଏହି ନାଟକ ରୁଷ୍‌ର ପ୍ରସିଦ୍ଧ ନାଟ୍ୟକାର ନିକୋଲାଇ ବାସ୍‌ଲିଭିକ୍‌ ଗୋଗାଲ୍‌ ରଚନା କରିଥିବା ବେଳେ ଏହାର ହିନ୍ଦୀ ରୂପାନ୍ତର ‘ଦି ଗଭର୍ଣ୍ଣମେଣ୍ଟ ଇନ୍ସପେକ୍ଟର’। ନାଟକକୁ ସଂଜୟ ସହାୟ ହିନ୍ଦୀ ରୂପାନ୍ତର କରିଛନ୍ତି। ନିର୍ଦ୍ଦେଶନା ଦେଇଛନ୍ତି କ୍ରିଷ୍ଣା ସକ୍ସେନା। ମହେନ୍ଦ୍ର ଦୁରିଆ, ଦିଲ୍ଲୀପ ସିଂହ, ବିଜୟଭାନ୍‌ ସିଂହ, ବିକାଶ ରାୟ, ରାଘବେନ୍ଦ୍ର ପ୍ରଜାପତି, ସୁରେଶ ଶ୍ରୀବାସ୍ତବ, ନରେନ୍ଦ୍ର ସିଂହ, ଶୁଭି ମେହେରୋତ୍ରା, ଆଲଖ ତ୍ରିପାଠୀ, ମହେଶ୍‌ ଚାନ୍ଦ, ଶିବେନ୍ଦ୍ର ଦ୍ବିବେଦୀ, ତୁଷାର ପାଣ୍ଡେ, ଦୀପକରାଜ ରାହୀ, ଦୀପିକା ସିଂହ, ଆକାଶ ଶର୍ମା, ରାଜାରାମ୍‌ ରାହୀଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ମଞ୍ଚ ନିକଟରେ ବାନ୍ଧି ରଖିଥିଲା। ନାଟକର ପରିଚାଳନା, ସଙ୍ଗୀତ ଓ ସହନିର୍ଦେଶନା ଡ. ଓମେନ୍ଦ୍ର କୁମାର, ଆଲୋକସଜ୍ଜା କ୍ରିଷ୍ଣା ସା‌କ୍‌ସେନା, ବେଶଭୂଷାରେ ଅନିଲ ଗୌର, ଦୀପିକା ସିଂହ, ମଂଚସଜ୍ଜା ଆଲଖ୍‌ ତ୍ରିପାଠୀ ଓ ଶିବେନ୍ଦ୍ର, ରିହର୍ସାଲ ବ୍ୟବସ୍ଥାପନାରେ ଜଲି ଘୋଷ, ଦିଲ୍ଲୀପ, ଶିବେନ୍ଦ୍ର ଏବଂ ରୂପସଜ୍ଜାରେ ମହେଶ ଜୟସ୍ବାଲ୍‌ ଓ ଶିବେନ୍ଦ୍ର ଦ୍ବିବେଦୀ ପ୍ରମୁଖ ସହଯୋଗ କରିଥିଲେ।

ଆଜିର ସଭାରେ ଶତାବ୍ଦୀର କଳାକାରର ସମ୍ପାଦକ ଧୀର ମଲ୍ଲିକଙ୍କ ସମେତ ଅତିଥି ଭାବେ ଓଡ଼ିଶା ହାଉସିଂବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଜିନ୍ଦଲ ଓଡ଼ିଶାର ସଭାପତି ପ୍ରଶାନ୍ତ କୁମାର ହୋତା, ଗ୍ୟାସ୍‌ ଅଥରିଟି ଅଫ୍‌ ଇଣ୍ଡିଆ(ଗେଲ୍)ର ଡିଜିଏମ୍‌ ନିଗମାନନ୍ଦ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅଭିନେତା ଗୋକୁଳାନନ୍ଦ ସାହୁଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ଏବଂ ଅଭିନେତା ପ୍ରକାଶ ମହାରଣାଙ୍କୁ କଳାକାର ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଶ୍ରୀ ମଲ୍ଲିକଙ୍କ ପୁସ୍ତକ ‘ନାଟ୍ୟଗୁଚ୍ଛ’ ଏବଂ ମହୋତ୍ସବର ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ସମ୍ବନ୍ଧିତ ଖବର