୨୪ ତମ କଳିଙ୍ଗ ନାଟ୍ୟ ମହୋତ୍ସବ: ରାଜ ଧର୍ମର ଶିକ୍ଷା ଦେଲା ‘ସହସ୍ରଧାରା’

ଭୁବନେଶ୍ବର: ଧର୍ମାନୁସାରେ ଜଣେ ରାଜା ଶାସନ କରିବା ଉଚିତ। ସେ ଶୃଙ୍ଖଳିତ, ବିନୟୀ, ଚରିତ୍ରବାନ ତଥା ପ୍ରଜାମାନଙ୍କ ପ୍ରତି ଦୟାବାନ ହେବା ଉଚିତ। ଅଙ୍ଗରାଜ ଜଣେ ସୁଶାସକ ଥିଲେ। କିନ୍ତୁ ତାଙ୍କ ପୁତ୍ର ବେଣୁ ଠିକ୍‌ ତାଙ୍କ ଓଲଟା। ତାଙ୍କ ଅତ୍ୟାଚାରରେ ରାଜ୍ୟବାସୀ ତ୍ରାହିତ୍ରାହି ଡାକୁଥିଲେ। ଖାଲି ସେତିକି ନୁହେଁ, ସେ ଜଣେ ଉଚ୍ଛୃଙ୍ଖଳ, ଚରିତ୍ରହୀନ ଓ ଦୂରାଚାରୀ ଶାସକ ଥିଲେ। ଅଙ୍ଗରାଜ ବହୁ ଧୈର୍ଯ୍ୟର ସହ ବେଣୁଙ୍କୁ ବଦଳାଇବାକୁ ଚେଷ୍ଟା କରିଥିଲେ। ହେଲେ ନିଷ୍ଫଳ ହୋଇ ଦୁଃଖରେ ଜଙ୍ଗଲକୁ ଯାଇ ତପସ୍ୟାରେ ମଗ୍ନ ରହିଲେ। ରାଜ୍ୟର ହିତୈଷୀ ବୁଦ୍ଧିଜୀବୀମାନେ ବହୁ ଯୁକ୍ତିତର୍କ ଓ ତର୍ଜମା ପରେ ଯୁବରାଜ ବେଣୁଙ୍କୁ ରାଜା ଭାବରେ ଅଭିଷିକ୍ତ କରାଇଲେ। ରାଜା ହେବା ପରେ ବେଣୁଙ୍କ ଉଚ୍ଛୃଙ୍ଖଳତା ଓ ଅତ୍ୟାଚାର ଆହୁରି ଅଧିକ ବଢ଼ିଗଲା। ସେ ମୁନି, ଋଷିମାନଙ୍କ ଉପରେ ବି ଅତ୍ୟାଚାର କଲେ। ମନ୍ତ୍ରୀଙ୍କୁ ହତ୍ୟା କଲେ ଓ ନିଜକୁ ଭଗବାନ ବୋଲି ଘୋଷଣା କଲେ। ଏଥିରେ ଅତିଷ୍ଠ ହୋଇ ଧର୍ମାଧ୍ୟକ୍ଷ ଓ ଭୃଗୁ ରାଜଗୁରୁ ତାଙ୍କୁ ଅଭିଶାପ ଦିଅନ୍ତି। ବେଣୁ ଅଭିଶାପର ନିଆଁରେ ଜଳି ଭସ୍ମ ହୋଇଯାଆନ୍ତି ଏବଂ ଏକ ବର୍ବର ଶାସନରୁ ପ୍ରଜାମାନେ ମୁକ୍ତି ପାଆନ୍ତି। ଭାଗବତର ୪ର୍ଥ ସ୍କନ୍ଧର ପଞ୍ଚଦଶ ଓ ଷୋଡ଼ଶ ଅଧ୍ୟାୟରେ ବର୍ଣ୍ଣିତ କାହାଣୀ ଉପରେ ଆଧାରିତ ଏହି ନାଟକ ‘ସହସ୍ରଧାରା’ ଦର୍ଶକଙ୍କୁ ଆମୋଦିତ କରିଥିଲା।

ଆଜି ରବୀନ୍ଦ୍ର ମଣ୍ଡପରେ ‘ଶତାବ୍ଦୀର କଳାକାର’ ନାଟ୍ୟସଂସ୍ଥା ପକ୍ଷରୁ ୨୪ତମ କଳିଙ୍ଗ ନାଟ୍ୟ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନ ପକ୍ଷରୁ ଆଜି ମଞ୍ଚସ୍ଥ ଏହି ନାଟକକୁ ଧୀର ମଲ୍ଲିକ ନିର୍ଦ୍ଦ‌େଶନା ଦେଇଥିବା ବେଳେ ଶଙ୍କର ତ୍ରିପାଠୀ ନାଟ୍ୟ ରଚନା କରିଥିଲେ। ନାଟକରେ ଆଲୋକ, ସକଳେଶ୍ବର, ଅନିଲ, ସତ୍ୟପ୍ରକାଶ, ଚନ୍ଦ୍ରକାନ୍ତ, ଅପୂର୍ବ, ଅଶୋକ, ଧାରାଶ୍ରାବଣୀ, ମନିଦୀପା, ନିତ୍ୟାନନ୍ଦ ପ୍ରମୁଖ ଅଭିନୟ କରିଥିଲେ। ଏହି ଅବସରରେ ନାଟ୍ୟକାର ସୀତେଶ ତ୍ରିପାଠୀ, ନୃତ୍ୟଗୁରୁ ଦେବବ୍ରତ ଦାସ, ନାଟ୍ୟ ନିର୍ଦ୍ଦେଶକ ଗୌରାଙ୍ଗ ଚନ୍ଦ୍ର ରାଉତଙ୍କୁ ସମ୍ବର୍ନ୍ଧିତ କରାଯାଇଥିଲା। କଥାକାର ଗୌରହରି ଦାସ ସଭାରେ ସଭାପତିତ୍ବ କରିଥିଲେ। ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ପୂର୍ବତନ ମନ୍ତ୍ରୀ ଶରତ ରାଉତ, ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ରୁଚିଫୁଡ୍‌ର ନିର୍ଦ୍ଦ‌େଶକ ଦେବବ୍ରତ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ନାଟ୍ୟ ନିର୍ଦ୍ଦ‌େଶକ ଧୀର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର