ଅମାନିଆଙ୍କୁ ଜଗିବ କମିସନରେଟ୍‌ ପୁଲିସ, ୨୫ ଚେକ୍ ପୋଷ୍ଟ, ୧୦ ପ୍ଲାଟୁନ୍ ଫୋର୍ସ

ସବୁ ଥାନା ଅଞ୍ଚଳରେ ହେବ ପାଟ୍ରୋଲିଂ

ଭୁବନେଶ୍ବର : କୋଭିଡ୍ ଦ୍ବିତୀୟ ପର୍ଯ୍ୟାୟ ଦ୍ରୁତ ସଂକ୍ରମଣକୁ ରୋକିବା ଲାଗି ଆସନ୍ତାକାଲି(ଶନିବାର) ଠାରୁ ସାରା ରାଜ୍ୟରେ ଆରମ୍ଭ ହେଉଛି ନାଇଟ୍ କର୍ଫ୍ୟୁ। ରାଜଧାନୀରେ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଆରମ୍ଭ ହେବାକୁ ଥିବା ନାଇଟ୍ କର୍ଫ୍ୟୁ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଆଜି ଏକ ସମୀକ୍ଷା ବୈଠକରେ ନାଇଟ୍ କର୍ଫ୍ୟୁକୁ କଡ଼ାକଡ଼ି କରିବା ସହ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ହୋଇଛି। ରାଜଧାନୀର ରସୁଲଗଡ଼, ବାଣୀବିହାର, ରୂପାଲି, ଆଚାର୍ଯ୍ୟବିହାର, ରାଜମହଲ, କଳ୍ପନା, ରବି ଟକିଜ୍, ନାଲକୋ, ପଟିଆ ଭଳି ୨୫ଟି ଛକରେ ଚେକ୍ ପୋଷ୍ଟ କରାଯିବ। ଏଥିରେ ପ୍ରାୟ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ସେହିପରି ସ୍ଥାନୀୟ ଥାନା ପୁଲିସ ନିଜ ନିଜ ଅଞ୍ଚ​ଳରେ ପାଟ୍ରୋଲିଂ କରିବେ। ରାତିରେ ଫେରୁଥିବା ଜରୁରି କାମରେ ନିୟୋଜିତ କର୍ମଚାରୀମାନେ ସେମାନଙ୍କ ପରିଚୟପତ୍ର ଦେଖାଇବେ। କୌଣସି ବାହାନା କରି କେହି ଯାଇପାରିବେ ନାହିଁ। ତେଣୁ କେବଳ ମେଡିକାଲ ଭଳି ଗୁରୁତ୍ବପୂର୍ଣ୍ଣ କାମ ଥିଲେ ଘରୁ ବାହାରନ୍ତୁ ବୋଲି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଡିସିପି ଉମାଶଙ୍କର ଦାଶ। ସମସ୍ତେ ସହଯୋଗ କଲେ ଦ୍ବିତୀୟ ଲହର ସଂକ୍ରମଣରୁ ରକ୍ଷା ମିଳିପାରିବ ବୋଲି ଶ୍ରୀ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର