ଅପରାଧୀଙ୍କୁ ପୁଲିସର ପାଲଟା ଜବାବ: ୧୪ ବର୍ଷରେ ୨୫ ଏନ୍‌କାଉଣ୍ଟର୍‌

ଭୁବନେଶ୍ବର: କମିସନରେଟ୍ ପୁଲିସକୁ ପ୍ରାୟ ୧୪ ବର୍ଷ ପୂରିଛି। ଏହି ୧୪ ବର୍ଷରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଦମନ କରିବାକୁ ଯାଇ ପୁଲିସ ୨୫ ଏନ୍‌କା‌ଉଣ୍ଟର୍‌ କରିଛି। ପୁଲିସକୁ ଚ୍ୟାଲେଞ୍ଜ ଦେଇ ବାରମ୍ବାର ଅପରାଧ ଘଟାଉଥିବା ଦୁର୍ଦ୍ଦାନ୍ତଙ୍କୁ ପାଲଟା ଜବାବ ଦେବାକୁ ଯାଇ କମିସନରେଟ୍‌ ପୁଲିସକୁ ଏଭଳି ଦୃଢ଼ ପଦକ୍ଷେପ ନେବାକୁ ପଡ଼ିଛି। ପ୍ରଥମେ ୨୦୦୯ରେ ପଟିଆରେ ଏକ ବ୍ୟାଙ୍କ୍ ଡକାୟତ ଗ୍ୟାଙ୍ଗ୍‌ ସହ କମିସନରେଟ୍ ପୁଲିସର ଗୁଳି ବିନିମୟ ହୋଇଥିଲା। ପୁଲିସର ଏହି ଏନ୍‌କାଉଣ୍ଟର୍‌ରେ ଜଣେ କୁଖ୍ୟାତ ଡକାୟତ ଗୁରୁତର ହୋଇଥିଲା। ଏବେ ବୁଧବାର ରାତିରେ ପୁଲିସ ଗୁଳିରେ ଆହତ ହୋଇଛି କୁଖ୍ୟାତ ଡକାୟତ ଚକରା।

ରାଜଧାନୀରେ ଚର୍ଚ୍ଚିତ ଏନକାଉଣ୍ଟର

୨୦୦୯ ନଭେମ୍ବର ୨: ଝାରପଡ଼ା ଜେଲ୍‌ ଵାର୍ଡର ମାନସ ରଂଜନ ନାୟକଙ୍କୁ କିଛି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ। ଦୁର୍ବୃତ୍ତମାନେ ଏକ ପଲସର୍ ବାଇକ୍‌ରେ ଆସି ୫ରାଉଣ୍ଡ ଗୁଳିଚାଳନା କରିଥିବା ବେଳେ ୪ ଗୁଳି ମାନସଙ୍କ ପେଟରେ ବାଜିଥିଲା। ତୁରନ୍ତ ପାଲଟା ଜବାବ ଦେଇଥିଲା କମିସନରେଟ୍ ପୁଲିସ। ଦୁର୍ବୃତ୍ତମାନଙ୍କୁ ପିଛା କରି ପୁଲିସ ଟିମ୍‌ ନୂଆପଲ୍ଲୀ ଦେବରାୟ କଲେଜ ନିକଟରେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ଫଳରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଓ ପୁଲିସ ଗୁଳିରେ ବିକାଶ ଜେନା ଓରଫ୍ ମିଟୁ ଆହତ ହୋଇଥିଲା। ମିଟୁ ଆହତ ହେବା ଦେଖି ସହଯୋଗୀ ଅଶୋକ ରାଓ ଓ ପ୍ରଦୀପ ବାରିକ ହାତ ଟେକି ଦେଇଥିଲେ।

୨୦୧୧ ଅଗଷ୍ଟ: ରାଜଧାନୀରେ ଆତଙ୍କରାଜ୍‌ ଚଳାଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ନିରଂଜନ ପ୍ରଧାନକୁ ଧରିବାକୁ ଯାଇ ପୁଲିସ ବାରମ୍ବାର ବିଫଳ ହେଉଥାଏ। ହତ୍ୟାକାଣ୍ଡ, ଛିନ୍‌ତାଇ, ଲୁଟ୍‌ ଭଳି ୧୪ରୁ ଅଧିକ ମାମଲାରେ ସମ୍ପୃକ୍ତ ନିରଂଜନକୁ ଧରିବା ପାଇଁ ପୁଲିସ ସହିଦନଗରସ୍ଥିତ ଏକ ବସ୍ତିରେ ଚଢ଼ଉ କରିଥିଲା। କିନ୍ତୁ ଖସିଯିବା ପାଇଁ ନିରଂଜନ ପ୍ରଥମେ ଗୁଳିଚାଳନା କରିଥିଲା। ପୁଲିସର ପାଲଟା ଜବାବ୍‌ରେ ନିରଂଜନର ବାମ ଗୋଡ଼ରେ ଗୁଳି ବାଜିଥିଲା।

୨୦୧୪ ଏପ୍ରିଲ୨୦: ୟୁନିଟ୍-୪ସ୍ଥିତ ସ୍ବାଗତ ହୋଟେଲ୍‌ରେ ଚୋରା ଅସ୍ତ୍ରଶସ୍ତ୍ର କାରବାର ହେଉଥିବା ବେଳେ କମିସନରେଟ୍ ପୁଲିସର କୁଇକ୍ ଆକ୍ସନ ଟିମ୍ ଖବର ପାଇ ଚଢ଼ଉ କରିଥିଲା। ପୁଲିସ ଅଭିଯୁକ୍ତମାନଙ୍କୁ ଧରିବା ପୂର୍ବରୁ ସେମାନେ ପୁଲିସ ଉପରକୁ ଗୁଳିଚାଳନା କରିଥିଲେ। ତେବେ କ୍ୟୁଏଟି ଇନ୍‌ଚାର୍ଜ ୨ରାଉଣ୍ଡ୍ ଗୁଳିଚାଳନା କରି ଗଂଜାମର ଜିତେନ୍ଦ୍ରନାଥ ସ୍ବାଇଁକୁ ଆହତ କରିଥିଲେ। ସେହି ସମୟରେ ଜିତେନ୍ଦ୍ରର ୬ ସହଯୋଗୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ।

୨୦୧୮ ଜାନୁଆରି ୯: ୨ ଦୁର୍ଦ୍ଦାନ୍ତ ଅପରାଧୀ ହରି ମେଣ୍ଟାଲ୍ ଓ ଲିପୁ ବାଲିପାଟଣାରେ ସକ୍ରିୟ ଥିବା ବେଳେ ପୁଲିସ ଚଢ଼ଉ କରିଥିଲା। କିନ୍ତୁ ସେମାନେ ପୁଲିସ ଉପରକୁ ଗୁଳି ମାଡ଼ କରି ଚମ୍ପଟ ମାରିବାକୁ ବସିଥିଲେ। ତେବେ ପୁଲିସ ଗୁଳିରେ ଦୁଇଜଣଯାକ ତଳେ ପଡ଼ିଥିଲେ। ସେମାନଙ୍କ ନାମରେ ଡକାୟତି, ବୋମାମାଡ଼, ଲୁଟ୍‌ ଭଳି ପ୍ରାୟ ୨୦ରୁ ଅଧିକ ମାମଲା ଥିଲା।

୨୦୧୯ ଅଗଷ୍ଟ: ନୂଆପଲ୍ଲୀରୁ ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ, କାର୍ ଲୁଟ୍, ମଞ୍ଚେଶ୍ବରରେ ଦମ୍ପତିଙ୍କୁ ହାଣି ଲୁଟ୍, ତୃପ୍ତି ହୋଟେଲ୍ ମାଲିକଙ୍କୁ ଲୁଟ୍, ଏମିତି ମାଳମାଳ ଆପରାଧିକ ମାମଲା ରାଜଧାନୀ ବାସିନ୍ଦାଙ୍କୁ ଭୟଭୀତ କରାଇଥିଲା। ସେଥର ପୁଲିସ ଟାର୍ଗେଟ୍‌ରେ ଥିଲା ଦୁର୍ଦ୍ଦାନ୍ତ ଡକାୟତ ରବି ରାଓର ଗ୍ୟାଙ୍ଗ୍‌। ଏହି ଗ୍ୟାଙ୍ଗ୍‌ରେ ଥିଲେ ଅରୁଣ ମଲ୍ଲିକ, ସିପୁନ କବି, ହରେକୃଷ୍ଣ ସ୍ବାଇଁ ଓ ବିବେକ ନାୟକ। ପୁଲିସ ମାତ୍ର ୩୬ଘଣ୍ଟା ମଧ୍ୟରେ ଏହି ୫ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରି ଧରିବା ସହିତ ମୋଟ ୯ଜଣଙ୍କୁ ଗିରଫ କରିଥିଲା। ସେତେବେଳେ ଏହି ଗ୍ୟାଙ୍ଗ୍‌ର ଚକରା, ତବୁ ଓ ତିଵାରି ପୁଲିସ ପଞ୍ଝାରୁ ଖସିଯିବାକୁ ସକ୍ଷମ ହୋଇଥିଲେ।

ଚକରା ଏନକାଉଣ୍ଟର୍ ଘଟଣା, ଫେରାର୍ ଅପରାଧୀ ଚିହ୍ନଟ

ଭୁବନେଶ୍ବର: ବୁଧବାର ବିଳମ୍ବିତ ରାତିରେ ବରମୁଣ୍ଡାସ୍ଥିତ ବିଜୁପଟ୍ଟନାୟକ ଖେଳ ପଡ଼ିଆରେ ହୋଇଥିବା ଏନକାଉଣ୍ଟର୍‌ ଘଟଣାରେ ଦୁର୍ଦ୍ଦାନ୍ତ ଅପରାଧୀ ଚକ୍ରଧର ବାରିକ୍‌ର ୬ ସହଯୋଗୀ ଫେରାର ଅଛନ୍ତି। ଫେରାର୍‌ ୬ ଅଭିଯୁକ୍ତଙ୍କୁ ଖଣ୍ଡଗିରି ଥାନା ପୁଲିସ ଚିହ୍ନଟ କରିସାରିଥିବା ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂହ। ଡିସିପି ଆହୁରି କହିଛନ୍ତି, ଫେରାର୍ ଅପରାଧୀଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ଥାନାରେ ଚଢ଼ଉ ଆରମ୍ଭ କରିଛି।

ବିଶୃଙ୍ଖଳା କରୁଥିବା ଅପରାଧୀଙ୍କୁ ତଡ଼ିପାର୍ କରିବାକୁ ଯୋଜନା

ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ। ଅପରପକ୍ଷରେ ରାଜଧାନୀରେ ବାରମ୍ବାର ଅପରାଧ ଘଟାଇ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅସାମାଜିକ ତତ୍ତ୍ବଙ୍କର ସ୍ବତନ୍ତ୍ର ତାଲିକା କରାଯାଇଛି। ସେମାନଙ୍କର ଆପରାଧିକ ପୃଷ୍ଠଭୂମିକୁ ଦୃଷ୍ଟିରେ ରଖି ତଡ଼ିପାର୍ କରିବାକୁ ଯୋଜନା କରାଯାଇଛି। ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର