ରାଜଧାନୀରେ ୨୫ରୁ ଅଧିକ ବେଆଇନ ସ୍କୁଲ, କାର୍ଯ୍ୟାନୁଷ୍ଠାନ ପାଇଁ ଭୟ କାହିଁକି?

ଭୁବନେଶ୍ବର: ରାଜଧାନୀରେ ଚାଲିଛି ନକଲି ଇଂରାଜୀ ମାଧ୍ୟମ ସ୍କୁଲ। ଏ ସମ୍ପର୍କରେ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ଅଧିକାରୀମାନେ ଜାଣିଛନ୍ତି। ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ(ସିବିଏସ୍‌ଇ) ପାଖରେ ବି ଖବର ଅଛି। ତଥାପି କାର୍ଯ୍ୟାନୁଷ୍ଠାନ ପାଇଁ କାହାର ହାତ ଯାଉନି। ସବୁ ଜାଣି ଚୁପ୍‌ ବସି ପଡ଼ିଛନ୍ତି ସରକାରୀ ବାବୁ। ଗତ ୬ ତାରିଖରେ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକ ଜାରି କରିଥିବା ବିଜ୍ଞପ୍ତିକୁ ନେଇ ସନ୍ଦେହ ଆହୁରି ଘନୀଭୂତ ହୋଇଛି। ଅଣସ୍ବୀକୃତିପ୍ରାପ୍ତ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମ ନ ଲେଖାଇବାକୁ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଛି। ‌ହେଲେ ସହରରେ ଚାଲିଥିବା ନକଲି ସ୍କୁଲ ଖୋଜିବା ନେଇ ତତ୍ପରତା ପ୍ରକାଶ କରାଯାଇ ନାହିଁ। ଏପରିକି ଅଣସ୍ବୀକୃତିପ୍ରାପ୍ତ ସ୍କୁଲ ଧରାଇ ଦେବାକୁ ବିଜ୍ଞପ୍ତିରେ କିଛି ବି କୁହାଯାଇନି। ଯଦି ନକଲି ସ୍କୁଲ ଧରାପଡ଼େ, ତେବେ ସେମାନଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯିବ, ସେନେଇ ମଧ୍ୟ କୌଣସି ସୂଚନା ଦିଆଯାଇନି। କେଉଁ କାରଣ ଓ କାହା ଚାପରେ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକ ଅଭିଭାବକଙ୍କୁ ପରାମର୍ଶ ଦେଇ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇଛନ୍ତି, ତାହାକୁ ନେଇ ଅଭିଭାବକ ସଂଘଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି। ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକ ଚାଲିବା ପାଇଁ ସିବିଏସ୍‌ଇର ସହବନ୍ଧନ ପ୍ରମାଣପତ୍ର ଆବଶ୍ୟକ। ଆଉ ଏଥିପାଇଁ ରାଜ୍ୟ ସରକାରଙ୍କଠାରୁ ସ୍କୁଲ ଏନ୍‌ଓସି(ନୋ-ଅବଜେକ୍ସନ୍‌ ସାର୍ଟିଫିକେଟ୍‌) ବି ଦରକାର। ନ ହେଲେ ସ୍କୁଲ ଚାଲିପାରିବ ନାହିଁ। ଛାତ୍ରଛାତ୍ରୀ ସେଠାରେ ନାମ ଲେଖାଇଥିଲେ ମଧ୍ୟ ପରୀକ୍ଷା ଦେବାକୁ ଅନୁମତି ମିଳିବନି। ଏଭଳି ନିୟମକୁ ଉଲ୍ଲଂଘନ କରି ଗତ ୫ବର୍ଷ ହେଲା ଅନେକ ଅଣସ୍ବୀକୃତିପ୍ରାପ୍ତ ସ୍କୁଲ ଚାଲିଛି। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଭୁଆଁ ବୁଲାଇ ଲକ୍ଷାଧିକ ଟଙ୍କା ନେବା ପରେ ପରୀକ୍ଷା ସମୟରେ ହଇରାଣ କରାଯାଉଛି। ପିଲାଙ୍କ ଭବିଷ୍ୟତ ସହ ଖେଳା ଯାଉଥିବା ନେଇ ସିବିଏସ୍‌ଇ ନିକଟରେ ଅଭିଯୋଗ ହେଉଥିଲେ ମଧ୍ୟ କର୍ତୃପକ୍ଷ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦି ଖସି ଯାଉଛନ୍ତି। ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ମଧ୍ୟ ଏ‌ ଦିଗରେ ପଦକ୍ଷେପ ନେଉନଥିବାରୁ କେତେକ ଅଭିଭାବକ ସଂଘ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଗତ ୬ ତାରିଖରେ ଏନ୍‌ଓସି ପାଇଥିବା ସ୍କୁଲ ତାଲିକା ପ୍ରକାଶ କରାଯାଇଛି। ହେଲେ ନକଲି ତଥା ଅଣସ୍ବୀକୃତିପ୍ରାପ୍ତ ସ୍କୁଲ ତାଲିକା ପ୍ରକାଶ କରାଯାଇ ନାହିଁ। ବଡ଼ କଥା ହେଲା ଯେ ଖୋର୍ଧା ଜିଲ୍ଲାରେ ଶତାଧିକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରହିଛି। ସେଥିମଧ୍ୟରୁ ମାତ୍ର ୪୮ଟି ସ୍କୁଲ ସ୍ବୀକୃତି ପାଇଛନ୍ତି। ଭୁବନେଶ୍ବରେ ଥିବା ପ୍ରାୟ ୬୭ଟି ଇଂରାଜୀ ମାଧ୍ୟମ ସ୍କୁଲ ମଧ୍ୟରୁ ୩୮ଟି ବିଦ୍ୟାଳୟ ଏନ୍‌ଓସି ପାଇଛନ୍ତି। ବାକି ୨୯ଟିକୁ ଅନୁମତି ମିଳିନି। ସମ୍ପୃକ୍ତ ସ୍କୁଲ ଅଣସ୍ବୀକୃତିପ୍ରାପ୍ତ ହୋଇଥିଲେ ମଧ୍ୟ ସେମାନଙ୍କ ବିରୋଧରେ ଠୋସ୍‌ କାର୍ଯ୍ୟାନୁଷ୍ଠାନ ନେବାକୁ ଭୟ କରୁଛନ୍ତି ସରକାରୀ ଅଧିକାରୀ। ଏପରିକି ରାଜନୈତିକ ବ୍ୟକ୍ତିବିଶେଷଙ୍କ ଛତ୍ରଛାୟା ତଳେ ଚାଲିଥିବା ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକ ଏନ୍‌ଓସି ପାଇନଥିବା ତାଲିକାରେ ଦେଖିବାକୁ ମିଳିଛି। ସେମାନଙ୍କ ବିରୋଧରେ କିଏ କାର୍ଯ୍ୟାନୁଷ୍ଠାନ ନେବ, ତାହାକୁ ନେଇ ପ୍ରଶ୍ନ ଉଠିଛି।

ଅର୍ଗାନାଇଜେସନ ଅଫ୍‌ ପ୍ୟାରେଣ୍ଟ ଆସୋସିଏସନ ଫୋରମ୍‌(ଓପାଫ୍‌)ର ଉପସଭାପତି ମଧୁସୂଦନ ବିଶ୍ବାଳ କହିଛନ୍ତି ଯେ ଅଭିଭାବକଙ୍କୁ ପରାମର୍ଶ ଦେଇ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଉଦ୍ୟମ କରୁଛି ଗଣଶିକ୍ଷା ବିଭାଗ। ଯେଉଁ ସ୍କୁଲ ଅଣସ୍ବୀକୃତିପ୍ରାପ୍ତ, ସେଗୁଡ଼ିକୁ କାହିଁକି ଖୋଜା ଯାଉନି। ଶିକ୍ଷାବର୍ଷ ଅଧା ସରିଥିବା ବେଳେ ଏବେ ବିଜ୍ଞପ୍ତି ପ୍ରକାଶ କରିବା ପଛର ଉଦ୍ଦେଶ୍ୟ କ’ଣ? ଶିକ୍ଷାବର୍ଷ ଆରମ୍ଭରୁ କାହିଁକି ତାଲିକା ପ୍ରକାଶ କରାଗଲା ନାହିଁ? ଚଳିତବର୍ଷ ଯେଉଁ ପିଲା ଅଣସ୍ବୀକୃତିପ୍ରାପ୍ତ ବିଦ୍ୟାଳୟରେ ନାମ ଲେଖାଇ ସାରିଛନ୍ତି ସେମାନଙ୍କ ଭବିଷ୍ୟତ କ’ଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଇଂରାଜୀ ମାଧ୍ୟମ ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ପୂର୍ବରୁ ବାରମ୍ବାର ତାଗିଦ୍ କରାଗଲା। ଭିତ୍ତିଭୂମି ସୁଦୃଢ଼ କରି ସ୍ବୀକୃତି ନେବା ପାଇଁ ଚିଠି ପଠାଯାଇଥିଲା। ତା’ପରେ ବି ଖୋର୍ଧା ଜିଲ୍ଲାର ଅର୍ଧାଧିକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ନିର୍ଦେଶକୁ ଖାତିର କଲେନି। ଭିତ୍ତିଭୂମି ସୁଦୃଢ଼ କଲେନି କି ସ୍ବୀକୃତି ହାସଲ କଲେନି। ଯେଉଁଥିପାଇଁ ଅଣସ୍ବୀକୃତିପ୍ରାପ୍ତ ସ୍କୁଲଗୁଡ଼ିକରେ ନାମ ନ ଲେଖାଇବାକୁ ମାଧ୍ୟମିକ ନିର୍ଦେଶାଳୟ ପକ୍ଷରୁ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଛି। ସ୍ବୀକୃତିପ୍ରାପ୍ତ ସ୍କୁଲ ତାଲିକା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର