ଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ୟୁନିଟ-୨ରେ ନିର୍ମାଣ ହେଉଥିବା ବହୁତଳ କାର୍ ପାର୍କିଂ କୋଠା ନିର୍ମାଣ ଖୁବ୍ ଶୀଘ୍ର ଶେଷ ହେବ। ଏବେ ଚୂଡ଼ାନ୍ତ ପର୍ଯ୍ୟାୟ କାମ ଚାଲିଛି। ଆଗାମୀ ଦିନରେ ଯେପରି ଏହାକୁ କାର୍ଯ୍ୟକ୍ଷମ କରିବାରେ ଅସୁବିଧା ନହେବ ସେଥିପାଇଁ ଏହା ସମ୍ମୁଖରେ ଥିବା ଭେଣ୍ଡିଂ ଜୋନ୍କୁ ଉଚ୍ଛେଦ କରାଯାଇଛି।
ଆଜି ପୂର୍ବାହ୍ନରେ ବିଏମ୍ସି, ବିଡିଏ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ସ୍କ୍ବାଡ୍ ୟୁନିଠ୍-୨ ସମ୍ମୁଖରେ ଥିବା କାରଗିଲ୍ ଭେଣ୍ଡିଂଜୋନ୍କୁ ଉଚ୍ଛେଦ କରିଛି। ଏଥିରେ ୨୪ଟି ବେଡସିଟ୍ ଦୋକାନ ଏବଂ ଗୋଟିଏ ହେଲମେଟ୍ ଦୋକାନକୁ ଉଚ୍ଛେଦ କରାଯାଇଛି। ଉଚ୍ଛେଦ ବେଳେ କିଛି ବ୍ୟବସାୟୀ ବିରୋଧ କରିଥିଲେ ପୁଲିସ ପହଞ୍ଚିବାରୁ ସମସ୍ତେ ଶାନ୍ତ ପଡ଼ି ଯାଇଥିଲେ। ବ୍ୟବସାୟୀମାନଙ୍କ ଅଭିଯୋଗ ଯେ ଶୁକ୍ରବାର ରାତିରେ ଉଚ୍ଛେଦ ହେବ ବୋଲି କହିଲେ, ଆଉ ଆଜି ସକାଳୁ ଉଚ୍ଛେଦ କରିଦେଲେ। ଜିନିଷପତ୍ର ଖାଲି କରିବାକୁ ସମୟ ଦେଲେନି। ଏପରିକି ହାଇକୋର୍ଟଙ୍କ ସ୍ଥଗିତାଦେଶ ସତ୍ତ୍ବେ ବିଏସ୍ସିଏଲ୍ କର୍ତ୍ତୃପକ୍ଷ ବେଆଇନ ଭାବେ ଉଚ୍ଛେଦ କରିଛନ୍ତି। ଆମେ କୋର୍ଟଙ୍କ ଦ୍ବାରସ୍ଥ ହେବୁ।