ମାସ୍କ ତିଆରି ପାଇଁ ଅଣ୍ଟା ଭିଡ଼ିଲେ: ତିଆରି କଲେଣି ୨୫ ହଜାର ମାସ୍କ, ୧୫ ଦିନ ଯାଏ ବ୍ୟବହାର ହୋଇ ପାରିବ

କଟକ: ‘କରୋନା’ ଆତଙ୍କ ଯେତିକି ବଢୁଛି, ବଜାରରେ ରୋଗରୁ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ମାସ୍କ୍‌ ଓ ସାନିଟାଇଜର ସହଜରେ ଉପଲବ୍ଧ ହେଉନାହିଁ। ଏଭଳି ସମୟରେ ବଜାରରେ ଯେପରି ପର୍ଯ୍ୟାପ୍ତ ପରିମାଣର ମାସ୍କ ‌ଲୋକଙ୍କୁ ମିଳିପାରିବ ସେଥିପାଇଁ କଟକର ୬ଟି ମହିଳା ଗୋଷ୍ଠୀ ମାସ୍କ ତିଆରି ଓ ଏହାର ବିକ୍ରି ବ୍ୟବସ୍ଥା ଆରମ୍ଭ କରିଛନ୍ତି। ୮ଦିନରେ ଏହି ମହିଳା ଗୋଷ୍ଠୀ ୨୫ହଜାର ମାସ୍କ୍‌ ତିଆରି କରି ବିକ୍ରି କରି ସାରିଲେଣି ବୋଲି ଓରମାସ୍‌ର ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ୍‌ ରାଉତ୍‌ ସୂଚନା ଦେଇଛନ୍ତି।

ମାସ୍କ୍‌ର ସ୍ବତନ୍ତ୍ରତା ହେଲା, ଏହାକୁ ଯେକୌଣସି ନିଜେ ଘରେ ପ୍ରତିଦିନ ସଫା କରିପାରିବେ। ଜୀବାଣୁମୁକ୍ତ ପାଇଁ ଗରମ ପାଣିରେ ସଫା କରିବେ ଓ ଅତିକମ୍‌ରେ ୧୫ଦିନ ପର୍ଯ୍ୟନ୍ତ ବ୍ୟବହାର ମଧ୍ୟ କରିପାରିବେ ବୋଲି କୁହାଯାଇଛି। କେବଳ କଟକ ମହାନଗରରେ ବିକ୍ରି ହୋଇଛି ୧୭ ହଜାର ମାସ୍କ୍‌। ମହିଳା ଗୋଷ୍ଠୀ ୮ଦିନରେ ୩ଲକ୍ଷରୁ ଅଧିକ ଟଙ୍କାର ମାସ୍କ ବିକ୍ରି କରିସାରିଥିବା ଜଣାପଡିଛି। ତଥାପି ବଜାରରେ ମାସ୍କ ନିଅଣ୍ଟ ପଡୁଥିବାରୁ ସୋମବାର ପୁଣି ୨ଟି ମହିଳା ଗୋଷ୍ଠୀଙ୍କୁ ମାସ୍କ ତିଆରି ତାଲିମ୍‌ ଦିଆଯିବ ଓ ସେମାନେ ମଧ୍ୟ ଖୁବ୍‌ଶୀଘ୍ର ମାସ୍କ ବିକ୍ରି ଆରମ୍ଭ କରିବେ ବୋଲି ଓରମାସ୍‌ ପକ୍ଷରୁ ସୂଚନା ଦିଆଯାଇଛି। କେବଳ ମାସ୍କ ତିଆରି ଓ ବିକ୍ରି ନୁହେଁ, ଜିଲ୍ଲାରେ ସଚେତନତା ସୃଷ୍ଟି ପାଇଁ ୧୫୦ଜଣ ମହିଳା ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଇବା ସହିତ ନିଜସ୍ବ ଉଦ୍ୟମରେ ଗାଁ ଗାଁରେ ପୋଷ୍ଟର୍‌ ମଧ୍ୟ ଲଗାଉଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର