ନ୍ୟାୟ ଅପେକ୍ଷାରେ ୨୫୦ ଶବ, ପରିଚୟ ମିଳୁନି ବୋଲି ତଦନ୍ତ ଆଗଉନି

ଭୁବନେଶ୍ବର: କମିସନରେଟ୍ ପୁଲିସର ଇତିହାସରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥା ହାଇପ୍ରୋଫାଇଲ୍‌ ଅପରାଧ ମାମଲାର ପୁଲିସ ସଫଳତାର ସହ ପର୍ଦ୍ଦାଫାସ୍‌ କରିଛି। ମାତ୍ର ଏମିତି କିଛି ଆପରାଧିକ ମାମଲା ରହିଛି, ଯାହା ଉଭୟ ପୁଲିସ ଓ ଲୋକଙ୍କ ପାଇଁ ପ୍ରହେଳିକା ହୋଇ ରହିଛି। ନା ମାମଲାର ଥଳକୂଳ ମିଳୁଛି ନା ପୁଲିସ ଉଦ୍ୟମ କରୁଛି।

କମିସନରେଟ୍ ପୁଲିସର ଅପରାଧ ନଥିପତ୍ରକୁ ଅନୁଶୀଳନ କଲେ, ଗତ ୧୨ ବର୍ଷରେ ପ୍ରାୟ ୨୫୦ ମୃତଦେହର ପରିଚୟ ଖୋଜିବାରେ ପୁଲିସ ବିଫଳ ହୋଇଛି। ସେଥିମଧ୍ୟରୁ ଅନେକ ଆତ୍ମହତ୍ୟା ବୋଲି କହି ପୁଲିସ ଏଡ଼ାଇ ଦେଇଥିବା ବେଳେ କିଛି କ୍ଷେତ୍ରରେ ମଧ୍ୟ ହତ୍ୟା କରି ଦୁର୍ବୃତ୍ତମାନେ ଆଣି ଫୋପାଡ଼ି ଦେଉଥିବା ନଜିର ରହିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଶବ ଜବତ ହେବା ସମୟରେ ତଦନ୍ତ ପାଇଁ ପୁଲିସର ଭୂମିକା ଯେତିକି ଗୁରୁତ୍ବପୂର୍ଣ୍ଣ ଫରେନ୍‌ସିକ ଲ୍ୟାବ୍ କର୍ମଚାରୀଙ୍କ ରିପୋର୍ଟ ମଧ୍ୟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରେ। ମାତ୍ର ନିର୍ଦ୍ଧାରିତ ସମୟରେ ରାସାୟନିକ ବିଶ୍ଳେଷଣ କରି ଫରେନ୍‌ସିକ୍ ଟିମ୍ ତଥ୍ୟ ଉପସ୍ଥାପନା କରିପାରୁ ନଥିବାରୁ ତାହା ହତ୍ୟା କି ଆତ୍ମହତ୍ୟା ଜଣାପଡ଼େନାହିଁ।

ଗୌଡ଼ କାଶୀପୁର

୪୦ଦିନ ତଳେ ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ ଗୌଡ଼କାଶୀପୁର ଅଞ୍ଚଳରୁ ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଥିଲା। ଏହି ଘଟଣାରେ ପୁଲିସ ବ୍ୟବଚ୍ଛେଦ ରିପୋର୍ଟରୁ କୌଣସି ସ୍ପଷ୍ଟ ସୂଚନା ପାଇନଥିବା ବେଳେ ଭିସେରା ରିପୋର୍ଟକୁ ଅପେକ୍ଷା କରିଥିଲା। ମାତ୍ର ଭିସେରା ରିପୋର୍ଟ ନ ମିଳିବାରୁ ଯୁବକଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି, ତାହା ଜଣାପଡ଼ିନାହିଁ। ଯୁବକଙ୍କ ପରିଚୟ ମଧ୍ୟ ମିଳି ନାହିଁ।

ଫାଣ୍ଡି ପରିସରରୁ କଙ୍କାଳ

ଯାଁଳା ଫାଣ୍ଡିରେ ଜବତ ହୋଇଥିବା ଏକ ଗାଡ଼ି ଭିତରୁ ଜଣେ ମହିଳାଙ୍କ କଙ୍କାଳ ଜବତ ହୋଇଥିଲା। ଫାଣ୍ଡିରେ କାର୍ ଜବତ ହୋଇ ରହିଥିବା ବେଳେ କେମିତି ଜଣେ ମହିଳା ଡୋର୍ ଖୋଲି ଭିତରକୁ ଗଲେ ନା ତାଙ୍କୁ ମାରି କିଏ ଭିତରେ ପକାଇଛି, ତାହା ପୁଲିସ ପାଇଁ ଅସମାହିତ ହୋଇ ରହିଛି। ଏହି ଘଟଣାରେ ତତ୍କାଳୀନ ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ନିଲମ୍ବିତ ହୋଇ ପୁଣି କାର୍ଯ୍ୟରେ ଯୋଗ ଦେଇଥିଲେ ହେଁ ପୁଲିସ ମାମଲାରେ ସଫଳତା ପାଇ ନାହିଁ।

ସାଇ ମନ୍ଦିର ନିକଟରୁ ମହିଳାଙ୍କ ଶବ ଉଦ୍ଧାର

ଟଙ୍କପାଣି ରୋଡସ୍ଥିତ ସାଇ ମନ୍ଦିର ନିକଟରୁ ୨୦୨୧ ଅଗଷ୍ଟ ୨ତାରିଖରେ ଜଣେ ମହିଳାଙ୍କ ଶବ ଜବତ ହୋଇଥିଲା। ତାଙ୍କୁ ହତ୍ୟା କରି ଏଠାରେ ଫୋପାଡ଼ି ଦିଆଯାଇଥିବା ବ୍ୟବଚ୍ଛେଦରୁ ଜଣାପଡ଼ିଥିଲା। ମାତ୍ର ତାଙ୍କୁ କିଏ ହତ୍ୟା କଲା ଏବଂ ମହିଳାଙ୍କ ପରିଚୟ ମିଳିନାହିଁ। ସହିଦନଗର ପୁଲିସ ଏବେ ବି ଘଟଣାର ତଦନ୍ତ କରୁଛି।

ବ୍ୟାଗ୍‌ରେ ଖଣ୍ଡବିଖଣ୍ଡିତ ମୃତଦେହ

କୁଆଖାଇ ବ୍ରିଜ ତଳେ ୨୦୧୭ ଫେବ୍ରୁଆରିରେ ଜଣେ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ଶବ ପୁଲିସ ଜବତ କରିଥିଲା। ଯୁବତୀଙ୍କୁ ଅଜଣା ଦୁର୍ବୃତ ହତ୍ୟା କରି ଫୋପାଡ଼ି ଥିବା ଜଣାପଡ଼ିଥିଲା। ଏହି ଘଟଣାରେ ମଧ୍ୟ ପୁଲିସକୁ ଯୁବତୀଙ୍କ ପରିଚୟ ମିଳି ନଥିବା ବେଳେ ଘଟଣା ଅସମାହିତ ହୋଇ ରହିଛି।

ଦଶନ୍ଧି ପରେ ବି ଉଠିନି ପରଦା

୧୦ବର୍ଷ ପୂର୍ବେ ଚନ୍ଦକା ଥାନା ଅନ୍ତର୍ଗତ ଗୋଠପାଟଣା ଅଞ୍ଚଳରୁ ଜଣେ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ପୁଲିସ ଜବତ କରିଥିଲା। ମୃତଦେହ ନିକଟରୁ ଏକ ଶାଢ଼ି ଦୋକାନର ପଲିଥିନ୍ ମିଳିଥିଲା। ତଦନ୍ତ ପରେ ଏହା ଢେଙ୍କାନାଳର ଶାଢ଼ି ଦୋକାନ ବୋଲି ପୁଲିସ କହିଥିଲା। ମାତ୍ର ଘଟଣାର ଦଶନ୍ଧି ପରେ ବି ପୁଲିସ ମାମଲାର ପର୍ଦ୍ଦାଫାସ୍ କରିପାରିନାହିଁ।

‌ପୋଷ୍ଟର୍‌ମରାରେ ଅଟକିଛି ତଦନ୍ତ

ଗତବର୍ଷ ଜୁଲାଇ ୨୧ତାରିଖରେ କୁଆଖାଇ ନଦୀପଠାରୁ ପୁଲିସ ବାଲିରେ ପୋତା ହୋଇଥିବା ଜଣେ ଯୁବକଙ୍କ ଗଳିତ ଶବ ଜବତ କରିଥିଲା। ଯୁବକଙ୍କ ବେକରେ ଏକ ହନୁମାନଙ୍କ ଗଦା ପ୍ରତିକୃତି ଥିବା ଲକେଟ୍‌ ପୁଲିସ ପାଇଥିବା ବେଳେ କାନରେ ନୋଳି ଲାଗିଥିଲା। ଏହି ଘଟଣାରେ ବି ପୁଲିସ ପୋଷ୍ଟର୍ ମାରି ହାତ ଟେକି ଦେଇଛି।

ଲିଭିଗଲାଣି ପୋଷ୍ଟର୍

ନିୟମ ଅନୁଯାୟୀ, ଅଜଣା ଶବ ଜବତ ହେବା ପରେ ବ୍ୟବଚ୍ଛେଦ କରାଯାଇଥାଏ। ଶବର ପରିଚୟ ନ ମିଳିଲେ ଗଣମାଧ୍ୟମରେ ଫଟୋଚିତ୍ର ସହ ବିସ୍ତୃତ ସୂଚନା ଦିଆଯାଇଥାଏ ଏବଂ ଶବକୁ ୭୨ଘଣ୍ଟା ସଂରକ୍ଷଣ ଗୃହରେ ରଖାଯାଇଥାଏ। ଏହି କ୍ରମରେ ଶବ ନିକଟରୁ ମିଳିଥିବା ସମସ୍ତ ସାମଗ୍ରୀର ଫଟୋଚିତ୍ର ସହିତ ଆନୁମାନିକ ଉଚ୍ଚତା, ବୟସ, ବେଶଭୂଷା ଓ ରଙ୍ଗ ସହିତ ଏକ ପୋଷ୍ଟର୍ କରି ବିଭିନ୍ନ ଅଞ୍ଚଳ ଓ ପ୍ରମୁଖ ଛକ, ଥାନାଗୁଡ଼ିକରେ ଲଗାଯାଇଥାଏ। ମାତ୍ର ନିୟମିତ ବ୍ୟବଧାନରେ ଏହି ଅଜଣା ଶବ ବାବଦରେ ପୋଷ୍ଟର୍ ବା ସୂଚନା ଲୋକଙ୍କୁ ପ୍ରଦାନ କରାଯାଉନାହିଁ। କେବଳ ଯେଉଁ ସମୟରେ ଶବ ଜବତ ହେଉଛି, ସେତିକି ବେଳେ ପୋଷ୍ଟର୍ ମାରି ପୁଲିସ କାମ ସାରିଦେଉଛି। ଫଳରେ ଜବତ ମୃତଦେହ ବାବଦରେ ସେମାନଙ୍କ ସଂପର୍କୀୟମାନେ ସୂଚନା ପାଉ ନାହାନ୍ତି।

ସମ୍ବନ୍ଧିତ ଖବର