୨୫୦ରୁ ଅଧିକ ଯବାନଙ୍କୁ କରୋନା

ସିଆରପିଏଫ୍ କ୍ୟାମ୍ପସରେ ମାଳମାଳ ଆକ୍ରାନ୍ତ, ଗୁରୁବାର ଚିହ୍ନଟ ହେଲେ ୭୧

୧୨୦ ବାଟାଲିଅନ୍‌ରେ ୩୦ରୁ ଅଧିକ ଆକ୍ରାନ୍ତ
କମିସନେରଟ୍ ପୁଲିସର ଭୁବ‌ନେଶ୍ବରରେ ୬୫ ଆକ୍ରାନ୍ତ

ଭୁବନେଶ୍ବର : ରାଜଧାନୀରେ ବିଭିନ୍ନ ଆପାର୍ଟମେଣ୍ଟ, ଆବାସିକ କଲୋନି, ହଷ୍ଟେଲରେ ମାଳମାଳ କରୋନା ଆକ୍ରାନ୍ତ ହେବା ପରେ ଏବେ ଯବାନ୍‌ଙ୍କୁ କରୋନା ସଂକ୍ରମଣ ଭୟ ଘାରିଛି। ସିଆରପିଏଫ୍‌ କ୍ୟାମ୍ପସରୁ ଆଜି ୭୧ଜଣ ଯବାନ ଓ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ବେଳେ ପୂର୍ବରୁ ୧୦ରୁ ଅଧିକ ସକ୍ରିୟ ଆକ୍ରାନ୍ତ ଏଠାରେ ଅଛନ୍ତି। ଏହିପରି ୧୫୦ରୁ ଅଧିକ କରୋନା ଆକ୍ରାନ୍ତ ଏବେ ସୁଦ୍ଧା ଚିହ୍ନଟ ହୋଇସାରି‌‌ଲେଣି। ଏହାବାଦ୍ ୧୨୦ ବାଟାଲିଅନ୍‌ରେ ୨୦ରୁ ଅଧିକ ଯବାନ୍ ଓ ୧୦ ଅଧିକାରୀ ଏବେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେନା କର୍ମଚାରୀ, ସିଆରପିଏଫ୍ ଯବାନ ଓ ପୁଲିସ କର୍ମଚାରୀଙ୍କୁ ସମ୍ମୁଖ ଯୋଦ୍ଧା‌ ଭାବେ ଅଗ୍ରାଧିକାର ଭିତ୍ତିରେ କରୋନା ଟିକା ଦିଆଯାଇଥିଲେ ହେଁ ଏବେ ଏତେସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତାର ବିଷୟ ପାଲଟିଛି।

ସିଆର୍‌ପିଏଫ୍ କ୍ୟାମ୍ପସରେ ୭୧ଜଣ ଯବାନ ଓ କର୍ମଚାରୀ କରୋନା ‌ଆକ୍ରାନ୍ତ ହୋଇଥିବା‌ ନେଇ ବୁଧବାର ଜଣାପଡ଼ିଥିଲା। ସିଆରପିଏଫ୍‌, ଭୁବନେଶ୍ବର କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ପ୍ରାୟ ମାସକ ତଳେ ପୂର୍ବାଞ୍ଚଳ ପାଇଁ ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩୫୦ରୁ ଅଧିକ ଯବାନଙ୍କୁ ନିଯୁକ୍ତି ମିଳିଥିଲା। ସେମାନେ ଏବେ ଭୁବନେଶ୍ବରସ୍ଥିତ କ୍ୟାମ୍ପସରେ ବାରାକ୍‌ରେ ରହୁଛନ୍ତି। ସେଥିରୁ କିଛି ଯବାନ ବାହାରକୁ ଯିବା ସମୟରେ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି। ଏହାପରେ ବାରାକ୍‌ରେ ସମସ୍ତେ ଏକାଠି ରହୁଥିବାରୁ ହଠାତ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଯାଇଛି। ଏବେ ବାରାକ୍‌ରେ ଥିବା ସଂକ୍ରମିତଙ୍କୁ କ୍ୟାମ୍ପସରେ ହୋଇଥିବା ସଙ୍ଗରୋଧ କେନ୍ଦ୍ର ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ଯୋଗାଇ ଦିଆଯାଉଛି। ଏହି ଯବାନ୍‌ଙ୍କ ସଂସ୍ପର୍ଶରେ ଆସି କ୍ୟାମ୍ପସର କିଛି ବରିଷ୍ଠ ଅଧିକାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। କ୍ୟାମ୍ପସରେ କେତେକ କର୍ମଚାରୀଙ୍କ ପୂରା ପରିବାର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସମସ୍ତଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଉଛି।

ଅପରପକ୍ଷେ ସିଆର୍‌ପିଏଫ୍, ଭୁବନେଶ୍ବର କାର୍ଯ୍ୟାଳୟ‌ରେ କାର୍ଯ୍ୟରତ ସିଆରପିଏଫ୍‌ ଡିଆଇଜି ସୁନିଲ କୁମାର ପାର୍ଥଙ୍କ ଗତ ୬ ତାରିଖରେ କରୋନାରେ ମୃତ୍ୟୁ ହେବା ପରେ ଏବେ ସିଆର୍‌ପିଏଫ୍‌ କ୍ୟାମ୍ପସରେ କରୋନାକୁ ନେଇ ଭୟର ବାତାବରଣ ଖେଳିଯାଇଛି। ଏପରିକି ସ୍ବର୍ଗତ ଡିଆଇଜିଙ୍କ ସଂସ୍ପର୍ଶରେ ଆସିଥିବା କିଛି ଅଧିକାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ତେଣୁ କରୋନାରେ ଯେପରି ଯବାନମାନେ ଅଧିକ ପ୍ରଭାବିତ ହେବେନି, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି କୁହାଯାଇଛି। କେବଳ ସିଆରପିଏଫ୍ କ୍ୟାମ୍ପସ ନୁହେଁ, ୧୨୦ ଇନଫାଣ୍ଟ୍ରି ବାଟାଲିଅନ୍‌ରେ ବି କରୋନା ଆକ୍ରାନ୍ତ ଛାଇ ଯାଇଛନ୍ତି। ଏଠାରେ ଦ୍ବିତୀୟ ଲହରରେ ୩୦ରୁ ଅଧିକ ଯବାନ ଓ ଅଧିକାରୀ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏବେ ପ୍ରାୟ ୧୫ରୁ ଅଧିକ ସକ୍ରିୟ ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବାଟାଲିଅନ୍‌ର ବରିଷ୍ଠ ଅଧିକାରୀଙ୍କଠାରୁ ଆରମ୍ଭ କରି ଯବାନଙ୍କ ପର୍ଯ୍ୟନ୍ତ ବହୁ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ବାଟାଲିଅନ୍‌ କ୍ୟାଣ୍ଟିନ୍ ଖୋଲା ରହୁଥିବାରୁ ବାହାର ଲୋକ ଆସୁଥିଲେ। ସେମାନଙ୍କ ସଂସ୍ପର୍ଶରେ ଆସି ବହୁ କର୍ମଚାରୀ କରୋନା ଆକ୍ରାନ୍ତ ହେଲେ। ତେଣୁ ଗତ ୫ ତାରିଖରୁ କ୍ୟାଣ୍ଟିନ୍ ବନ୍ଦ କରି ଦିଆଯାଇଛି। ଆକ୍ରାନ୍ତମାନଙ୍କୁ ବାଟାଲିଅନ ପରିସରରେ ଥିବା ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି। ଏହାସହ ଗୁରୁତରଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। କ୍ୟାଣ୍ଟିନ ବନ୍ଦ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା କମିଛି।

ଅପରପକ୍ଷେ କମିସନରେଟ୍ ପୁଲିସର ସମସ୍ତ କର୍ମଚାରୀଙ୍କୁ ଆଗଧାଡ଼ିର କର୍ମଚାରୀ ଭାବେ ଦୁଇ ଡୋଜ୍ ଟିକା ଦୁଇ ମାସ ତଳୁ ଦିଆସରିଥିଲେ ହେଁ ଏବେ ବହୁ ପୁଲିସ କର୍ମଚାରୀ କରୋନା ଆକ୍ରାନ୍ତ ହେବାରେ ଲାଗିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କମିସନରେଟ୍ ପୁଲିସର ଭୁବନେଶ୍ବରରେ କେବଳ ୬୫ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇସାରିଲେଣି। ପ୍ରାୟ ସମସ୍ତେ ଟିକା ନେଇଛନ୍ତି। ଏବେ ୩୦ରୁ ଅଧିକ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁଯାୟୀ, ପୁଲିସ କର୍ମଚାରୀମାନେ କରୋନା ଆକ୍ରାନ୍ତ ହୋଇଥିଲେ ବି କାଁଭାଁ ଗୁରୁତର ହେଉଛନ୍ତି। ପୂର୍ବଥର ଯେପରି ପୁଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା, ଏଥର ସେପରି ନାହିଁ। ଟିକା ନେଇଥି‌ବାରୁ ସ୍ଥିତି ଆୟତ୍ତରେ ଅଛି। ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ ସିଆରପିଏଫ୍‌, ୧୨୦ ବାଟାଲିଅନ୍ ଓ କମିସନରେଟ୍ ପୁଲିସର ଯେଉଁ କାର୍ଯ୍ୟାଳୟ, ବାରାକ୍‌ରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ସେଗୁଡ଼ିକୁ ତୁରନ୍ତ ବିଶୋଧନ କରିବାକୁ କୁହାଯାଉଛି। ସେମାନେ ଟିକା ନେଇଥିଲେ ବି କରୋନା କଟକଣା କଡ଼ାକଡ଼ି ମାନିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର