ଜାତୀୟ ଅଭିଲେଖାଗାରକୁ ଫେରିବ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ରେକର୍ଡ

ପଣ୍ଡିତ ରଘୁନାଥ ରଥଙ୍କ ସଂଗୃହୀତ ୨୫୦୦ ପୁସ୍ତକ ଅଭିଲେଖାଗାରକୁ ଦାନ

ଭୁବନେଶ୍ବର: ସପ୍ତାହେ ମଧ୍ୟରେ ଓଡ଼ିଶାକୁ ଫେରିବ ଓଡ଼ିଶାର ବହୁ ଗୁରୁତ୍ବପୂର୍ଣ୍ଣ ରେକର୍ଡ। ପୁରୀର ଜଗନ୍ନାଥ ମନ୍ଦିରକୁ କୋହିନୂର ହୀରା ଦାନ ଦେବା ଉଦ୍ଦେଶ୍ୟରେ ମହାରାଜା ରଣଜିତ ସିଂହଙ୍କ ଦ୍ବାରା କରାଯାଇଥିବା ମୂଳ ୱିଲ୍‌ ବା ଇଚ୍ଛାପତ୍ରଠୁ ନେଇ ୧୮ ଭଲ୍ୟୁମ୍‌ର ଓଡ଼ିଶା ଷ୍ଟେଟ୍‌ ଏଜେନ୍‌ସି (୧୯୧୭-୧୯୪୭), ବାଲେଶ୍ବର ଫ୍ୟାକ୍ଟ୍ରି ରେକର୍ଡସ ଓ ବେଙ୍ଗଲ୍‌ ପବ୍ଲିକ୍‌ କନ୍‌ସଲ୍‌ଟେସନ୍‌ସର ୨୨ଟି ଭଲ୍ୟୁମ୍‌ ଖୁବ୍‌ଶୀଘ୍ର ଭୁବନେଶ୍ବରସ୍ଥିତ ଜାତୀୟ ଅଭିଲେଖାଗାରକୁ ଫେରାଇ ଅଣାଯିବ।

ସଂପ୍ରତି ଏହି ଗୁରୁତ୍ବପୂର୍ଣ୍ଣ ମୂଲ୍ୟମାନ ରେକର୍ଡଗୁଡ଼ିକ ନୂଆଦିଲ୍ଲୀସ୍ଥିତ ଜାତୀୟ ଅଭିଲେଖାଗାରରେ ଉପଲବ୍ଧ ରହିଛି। ପୂର୍ବତନ ପୁଲିସ୍‌ ମହାନିର୍ଦେଶକ ତଥା ଇନ୍‌ଟାକ୍‌ର ରାଜ୍ୟ ଆବାହକ ଅମିୟ ଭୂଷଣ ତ୍ରିପାଠୀ ଏ ସମ୍ପର୍କରେ ନୂଆଦିଲ୍ଲୀସ୍ଥିତ ଜାତୀୟ ଅଭିଲେଖାଗାରର ଉପନିର୍ଦେଶକ ଡ. ଟି. ହୁସେନ୍‌ଙ୍କୁ ଅନୁରୋଧ କରିବା ପରେ ସେ ଏନେଇ ସମ୍ମତି ପ୍ରକାଶ କରିଛନ୍ତି। ଆଜି ଭୁବନେଶ୍ବରସ୍ଥିତ ଜାତୀୟ ଅଭିଲେଖାଗାରରେ ବିଶିଷ୍ଟ ଆଦିବାସୀ ବିଦ୍ବାନ ତଥା କୁଇ ଭାଷାର ପ୍ରଥିତଯଶା ବ୍ୟକ୍ତିତ୍ବ, ଲେଖକ ଓ ପୁସ୍ତକ ସଂଗ୍ରାହକ ପଣ୍ଡିତ ରଘୁନାଥଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ଏହି ପ୍ରତିଶ୍ରୁତି ଦେଇଛନ୍ତି ଡ. ହୁସେନ୍‌। ଏହି ଅବସରରେ ସ୍ବର୍ଗତ ରଘୁନାଥ ରଥ ସଂଗ୍ରହ କରିଥିବା ବହୁ ମୂଲ୍ୟବାନ ୨୫୦୦ ବହି ଓ ଜର୍ଣ୍ଣାଲ୍‌ ଜାତୀୟ ଅଭିଲେଖାଗାରର ଭୁବନେଶ୍ବର ରେକର୍ଡ କେନ୍ଦ୍ରକୁ ଦାନ କରାଯାଇଛି। ଖୁବ୍‌ଶୀଘ୍ର ଆଉ ୨୫୦୦ରେକର୍ଡ ରାଜ୍ୟ ଅଭିଲେଖାଗାରକୁ ହସ୍ତାନ୍ତର କରାଯିବ ବୋଲି ଅନିଲ୍‌ ଧୀର୍‌ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ ନିର୍ବାଚନ କମିସନର ସଂଜୀବ ହୋତା, ଅଭିଲେଖାଗାରର ସହଯୋଗୀ ନିର୍ଦେଶକ ଡ. ଲଲାଟେନ୍ଦୁ ଦାସ ମହାପାତ୍ର, ଡ. ଡି.ପି ପଟ୍ଟନାୟକ, ଡ. ବିମଳେନ୍ଦୁ ମହାନ୍ତି, ଡ. ସଂଜୟ ଆଚାର୍ଯ୍ୟ ଓ ଡ. ଯତୀନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର