ଖଣ୍ଡଗିରି: ବିନା ଥଇଥାନରେ ଉଚ୍ଛେଦକୁ ଜୋର୍‌ଦାର ବିରୋଧ ହେବାରୁ ମଙ୍ଗଳବାର ଖଣ୍ଡଗିରି-ଚନ୍ଦକା ରାସ୍ତା ପ‌ାର୍ଶ୍ବ ତପୋବନ ଅସ୍ଥାୟୀ ବସ୍ତିରୁ ବିଡିଏ ଓ ବିଏମ୍‌ସି ଟିମ୍‌ ଖାଲି ହାତରେ ଫେରିଛି। ଉତ୍ତ୍ୟକ୍ତ ବସ୍ତିବାସିନ୍ଦାମାନେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ଉଚ୍ଛେଦକାରୀ ଟିମ୍‌କୁ ବସ୍ତିରେ ପୂରାଇ ଦେଇନଥିଲେ। ମହିଳାମାନେ ହାତରେ ଠେଙ୍ଗାବାଡ଼ି ଧରି ଉଚ୍ଛେଦକାରୀ ଟିମ୍‌ ସହ ମୁହାଁମୁହିଁ ହୋଇଥିଲେ। ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ଖଣ୍ଡଗିରି ଥାନା ପୁଲିସର ପରାମର୍ଶକ୍ରମେ ବିଡିଏ ଓ ବିଏମ୍‌ସି ଟିମ୍‌ ଉଚ୍ଛେଦ କ‌ାର୍ଯ୍ୟକ୍ରମକୁ ବନ୍ଦ କରିଥିଲା। ତେବେ ଏହି ବସ୍ତିର ୨୬ ପରିବାର ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଆଗକୁ ନିଶ୍ଚୟ ବସ୍ତି ଉଚ୍ଛେଦ ହେବାକୁ ଥିବା ବେଳେ ଉପଯୁକ୍ତ ଥଇଥାନ କରିବାକୁ କୌଣସି ଯୋଜନା ନଥିବାରୁ ସେମାନେ ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଛନ୍ତି।

Advertisment

ସୂଚନାନୁସାରେ, ଖଣ୍ଡଗିରି ପର୍ଯ୍ୟଟନ ବ୍ୟାଖାନ କେନ୍ଦ୍ର ପାଚେରିକୁ ଲାଗି ଖଣ୍ଡଗିରି-ଚନ୍ଦକା ରାସ୍ତାର ଫୁଟ୍‌ପାଥ ଉପରେ ପ୍ରାୟ ୨୬ଟି ପରିବାର ଦୀର୍ଘ ବର୍ଷ ହେବ ପଲିଥିନ୍ ଛପର ଝୁମ୍ପୁଡ଼ି ଘର କରି ରହି ଆସୁଛନ୍ତି। ରାଜୀବ ଆବାସ ଯୋଜନାରେ ସେମାନଙ୍କୁ ସାମିଲ୍ କରାଯାଇନାହିଁ। କୌଣସି ଘରକୁ ବିଦ୍ୟୁତ୍ କିମ୍ବା ପାଣି ସଂଯୋଗ ନାହିଁ। ତେବେ ପ୍ରମୁଖ ରାସ୍ତାର ଫୁଟ୍‌ପାଥ୍‌ ଅବରୋଧ ହୋଇଥିବାରୁ ଏହି ବସ୍ତିକୁ ଉଚ୍ଛେଦ କରିବା ପାଇଁ ଦାବି ହୋଇଆସୁଛି। ସେହିଭଳି ଆଗକୁ ପର୍ଯ୍ୟଟନ ବ୍ୟାଖାନ କେନ୍ଦ୍ର ଉଦ୍‌ଘାଟନ ହେବାକୁ ଥିବାରୁ ଏହି ବସ୍ତି ଉଚ୍ଛେଦ ଜରୁରୀ ହୋଇପଡ଼ିଛି। ତେଣୁ ଆଜି ମିଳିତ ଉଚ୍ଛେଦକାରୀ ଦଳ ଖଣ୍ଡଗିରି ଥାନା ପୁଲିସ ସହଯୋଗରେ ଉଚ୍ଛେଦ କରିବା ପାଇଁ ଯାଇଥିଲେ।