ଅଣ୍ଡାରୁ ବାହାରିଲେ ୨୬ ନାଗ ଛୁଆ

ଭୁବନେଶ୍ୱର: ଖୋର୍ଧାରୁ ଉଦ୍ଧାର ହୋଇଥିବା ନାଗସାପ ଅଣ୍ଡାରୁ ଆଜି ଛୁଆ ବାହାରିଛନ୍ତି। ଅବୈତନିକ ବନ୍ୟପ୍ରାଣୀ ତତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକଙ୍କ ଘରେ ୨୬ଟି ଅଣ୍ଡାରୁ ସାପ ଛୁଆ ବାହାରିଛନ୍ତି। ବଢ଼ିଗଲେ ସେମାନଙ୍କୁ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ‌ସେ କହିଛନ୍ତି। କଣାସ ବିଲପାଟଣା ଗାଁରୁ ପ୍ରାୟ ୨ ମାସ ତଳେ ୩ଟି ନାଗୁଣୀ ସହ ୫୭ଟି ନାଗ ସାପ ଅଣ୍ଡା ଉଦ୍ଧାର କରାଯାଇଥିଲା। ବାତ୍ୟା ଆସୁଥିବାରୁ ଅଣ୍ଡାଗୁଡ଼ିକ ନଷ୍ଟ ହେବା ନିଶ୍ଚିତ ହୋଇଥିଲା। ଏଣୁ ସେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଣ୍ଡାଗୁଡ଼ିକୁ ଉଦ୍ଧାର କରିଥିଲେ। ନାଗୁଣୀକୁ ଜଙ୍ଗଲରେ ଛାଡ଼ି ଦେଇଥିବାବେଳେ ଅଣ୍ଡାକୁ ସୁରକ୍ଷିତ ଭାବେ ରଖାଯାଇଥିଲା। ଏବେ ୨୬ ଅଣ୍ଡା ଫୁଟିଥିବା ବେଳେ ଅନ୍ୟ ଅଣ୍ଡାଗୁଡ଼ିକ ଖୁବ୍‌ଶୀଘ୍ର ଫୁଟିବାକୁ ଯାଉଛି। ସାପ କାତି ଛାଡ଼ିବା ପରେ ବନ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ସେମାନଙ୍କୁ ଜଙ୍ଗଲରେ ଛଡ଼ାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ବାଲିପାଟଣା ଗାଁର ରଶ୍ମିକାନ୍ତ ପରିଡ଼ା ପାଳଗଦାରୁ କୁଟା ଆଣିବାକୁ ଯାଇଥିବାବେଳେ ନାଗସାପ ଅଣ୍ଡା ଦେଇଥିବା ଦେଖିବାକୁ ପାଇଥିଲେ। ସେ ତୁରନ୍ତ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ। ଗୋଟିଏ ସ୍ଥାନରେ ପାଖାପାଖି ୩ ନାଗୁଣୀ ଅଣ୍ଡା ଦେଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର