୨୬୦ ପ୍ରାଥମିକ ବିଦ୍ୟାଳୟରେ ତାଲା ଝୁଲିବ, ରୋଜଗାର ହରାଇବେ ପାଚିକା

ଭୁବନେଶ୍ବର : ପ୍ରାଥମିକ ଶିକ୍ଷାରେ ଅଣା ଯାଉଥିବା ନୂତନ ସଂସ୍କାର ଯୋଗୁଁ ଖୋର୍ଧା ଜିଲ୍ଲାରେ ୨୬୦ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବ। ଛାତ୍ରଛାତ୍ରୀ ଉପସ୍ଥାନ କମ୍ ଥିବା ଦୃଷ୍ଟିରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭାଗୀୟ ଅଧିକାରୀ ଓ ଶିକ୍ଷକମାନଙ୍କୁ କଡ଼ା ନିର୍ଦେଶ ଦିଆଯାଇଛି ଓ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ବହୁ ସ୍ଥାନରେ ଏହାକୁ ନେଇ ସମ୍ପୃକ୍ତ ଗ୍ରାମବାସୀ ବା ଅଞ୍ଚଳବାସୀମାନଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ଓ ବହୁ ସ୍ଥାନରେ ଲୋକେ ବିରୋଧ କରିବା ଆରମ୍ଭ କରିଛନ୍ତି। ତେବେ ଛାତ୍ରଛାତ୍ରୀମାନଙ୍କୁ ନିକଟସ୍ଥ ବିଦ୍ୟାଳୟରେ ପଢ଼ିବାର ବ୍ୟବସ୍ଥା କରାଯାଉଥିବା ବେଳେ ଶିକ୍ଷକମାନଙ୍କୁ ଖାଲିଥିବା ଅନ୍ୟ ବିଦ୍ୟାଳୟମାନଙ୍କରେ ନିଯୁକ୍ତି ଦିଆଯିବ। ତେଣୁ ସରକାରଙ୍କ ଏହି ନିଷ୍ପତ୍ତିରେ ଯଦି କେହି ଅଧିକ ପ୍ରଭାବିତ ହେଉଛନ୍ତି, ସେମାନେ ହେଲେ ମଧ୍ୟାହ୍ନ ଭୋଜନରେ ନିୟୋଜିତ ଥିବା ପାଚିକାମାନେ। ସେମାନେ ରୋଜଗାର ହରାଇବା ନିଶ୍ଚିତ। ସେମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା ନାହିଁ। ତେଣୁ ଶହ ଶହ ଗରିବ ମହିଳାଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ଶିକ୍ଷା ବିଭାଗର ଏହି ନିଷ୍ପତ୍ତି ଅନୁସାରେ, ୧୦ରୁ କମ୍‌ ପିଲା ଥିବା ବିଦ୍ୟାଳୟଗୁଡ଼ିକ ପୂରା ବନ୍ଦ ହେବ ଓ ୨୫ରୁ କମ୍ ଉପସ୍ଥାନ ଥିବା ବିଦ୍ୟାଳୟଗୁଡ଼ିକ ସାଟେଲାଇଟ୍ ବିଦ୍ୟାଳୟ ଭାବେ ନିକଟସ୍ଥ ଲିଡ୍ ବିଦ୍ୟାଳୟରେ ମିଶିଯିବ। ସୂଚନାନୁସାରେ, ଖୋର୍ଧା ଜିଲ୍ଲାର ସମସ୍ତ ୧୦ ବ୍ଲକ ଓ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ରେ ୧୩୦ ବିଦ୍ୟାଳୟ ପୂରା ବନ୍ଦ ହେଉଥିବା ବେଳେ ୧୩୦ଟିକୁ ସାଟେଲାଇଟ୍ ବିଦ୍ୟାଳୟ ଭାବେ ଚିହ୍ନଟ କରାଯାଇଛି। ତେଣୁ ମୋଟ ୨୬୦ ପ୍ରାଥମିକ ବିଦ୍ୟାଳୟରେ ତାଲା ଝୁଲିବା ନିଶ୍ଚିତ। ବିଏମ୍‌ସିରେ ୧୪ଟି ବିଦ୍ୟାଳୟ ବନ୍ଦ ହେଉଥିବା ବେଳେ ୧୨ଟି ସାଟେଲାଇଟ୍ ବିଦ୍ୟାଳୟ ଚିହ୍ନଟ କରାଯାଇଛି। ଭୁବନେଶ୍ବର ବ୍ଲକରେ ୧୧ଟି ପୂରା ବନ୍ଦ ହେଉଥିବା ବେଳେ ୧୦ଟି ସାଟେଲାଇଟ୍ ବିଦ୍ୟାଳୟ ରହିଛି। ସବୁଠାରୁ ଅଧିକ ବିଦ୍ୟାଳୟ ରହିଛି ବୋଲଗଡ଼ ବ୍ଲକରେ। ଏଠାରେ ୩୨ଟି ବିଦ୍ୟାଳୟ ବନ୍ଦ ହେଉଥିବା ବେଳେ ୨୩ଟିକୁ ସାଟେଲାଇଟ୍ ସ୍କୁଲ ଭାବେ ଗ୍ରହଣ କରାଯାଇଛି। ସବୁଠାରୁ କମ୍ ରହିଛି ଟାଙ୍ଗୀ ଓ ବାଲିଅନ୍ତା ବ୍ଲକରେ। ଟାଙ୍ଗୀରେ ମାତ୍ର ୨ଟି ଓ ବାଲିଅନ୍ତାରେ ୩ଟି ଲେଖାଏଁ ବିଦ୍ୟାଳୟ ବନ୍ଦ ହେବାକୁ ଯାଉଛି। ଏହି ସଂସ୍କାର ପ୍ରକ୍ରିୟାକୁ ବିରୋଧ କରୁଥିବା ଲୋକଙ୍କ ଅଭିଯୋଗ ଯେ ପ୍ରାଥମିକ ଶିକ୍ଷାକୁ ପିଲାଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ସରକାର ଗାଁ ଗାଁରେ ବିଦ୍ୟାଳୟ ଖୋଲିଥିଲେ। ଫଳରେ ନିକଟରେ ବିଦ୍ୟାଳୟ ପ୍ରତିଷ୍ଠା ହେବାରୁ ଉଭୟ ଅଭିଭାବକ ଓ ପିଲାମାନଙ୍କ ଭିତରେ ପାଠପଢ଼ା ପ୍ରତି ଆଗ୍ରହ ବୃଦ୍ଧି ପାଇଥିଲା। ବିଶେଷକରି ଏହାଦ୍ବାରା ବାଳିକା ଶିକ୍ଷାର ଅଧିକ ପ୍ରସାର ଲାଭ କରିଥିଲା ଓ ଗରିବ ଲୋକମାନେ ସେମାନଙ୍କ ପିଲାମାନଙ୍କୁ ବିଦ୍ୟାଳୟ ପଠାଇ ପାରୁଥିଲେ। ମାତ୍ର ନୂତନ ବ୍ୟବସ୍ଥା ଦ୍ବାରା ଅଭିଭାବକମାନେ ନିରାପତ୍ତା ଦୃଷ୍ଟିର ବାଳିକାମାନଙ୍କୁ ଦୂର ବିଦ୍ୟାଳୟକୁ ପଠାଇବାକୁ ମନ କରିବେ ନାହିଁ। ଫଳରେ ଆଗାମୀ ସମୟରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଦିନକୁ ଦିନ ଡ୍ରପ୍‌ ଆଉଟ୍‌ ସଂଖ୍ୟା ବଢ଼ିବ। ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରୁଥିଲା ଓ କିଛି ଗରିବ ମହିଳା ପାଚିକା ବା ସହାୟକ ଭାବେ ଏଥିରୁ ପେଟ ପାଟଣାର ରାହା ପାଉଥିଲେ। ତେଣୁ ସରକାରଙ୍କ ଏହି ନୂତନ ଶିକ୍ଷା ନୀତି ଦ୍ବାରା ପ୍ରାଥମିକ ଶିକ୍ଷା ପ୍ରଭାବିତ ହେବା ସହ ଗରିବ ମହିଳାମାନଙ୍କ ରୋଜଗାର ମଧ୍ୟ ଚୁଲିରେ ଯାଉଛି। ତେଣୁ ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତିକୁ ଲୋକେ ବିରୋଧ କରିବା ଆରମ୍ଭ କଲେଣି। ବିଦ୍ୟାଳୟ ରେକର୍ଡପତ୍ର ସ୍ଥାନାନ୍ତର କରାଇ ନ ଦେବାକୁ ଲୋକେ ବିଦ୍ୟାଳୟମାନଙ୍କରେ ତାଲା ପକାଇଲେଣି। ପୂରା ବନ୍ଦ ହେଉଥିବା ବିଦ୍ୟାଳୟରୁ ଅଭିଭାବକମାନେ ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର ନେଉନାହାନ୍ତି। ଫଳରେ ବିଚରା ଶିକ୍ଷକମାନେ ହରଡ଼ଘଣାରେ ପଡ଼ିଛନ୍ତି।

ଅନ୍ୟପକ୍ଷରେ ବିଭାଗୀୟ ଅଧିକାରୀମାନଙ୍କ କହିବା କଥା, ଦୀର୍ଘ ବର୍ଷ ଧରି ସରକାର ଏ ବାବଦରେ ପ୍ରଚୁର ଅର୍ଥ ବିନିଯୋଗ କରି ଆସୁଛନ୍ତି। ମାତ୍ର ୧୦ଟି ପିଲା ଥିଲେ ୨ ଶିକ୍ଷକ ଓ ୨୫ ପିଲା ଥିଲେ ବି ୨ ଶିକ୍ଷକ ନିଯୁକ୍ତି ଦିଆଯାଉଛି। ସେହିଭଳି ୨୦ ପିଲାରେ ୫ ଶ୍ରେଣୀ ଥିବା ବିଦ୍ୟାଳୟରେ ୨ ଜଣ ଶିକ୍ଷକ କାମ କରୁଛନ୍ତି। ଏହାଦ୍ବାରା ଶିକ୍ଷାଦାନ ଉପଯୁକ୍ତ ଭାବେ ସମ୍ପାଦନ ହୋଇପାରୁନାହିଁ। ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ସଂସ୍କାର ଅଣାଯାଇଛି। ଫଳରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଅନୁପାତ ଠିକ୍‌ ରହିପାରିବ। ଯେଉଁଠି ସାଟେଲାଇଟ୍ ବିଦ୍ୟାଳୟ ଓ ଲିଡ୍‌ ବିଦ୍ୟାଳୟ ମଧ୍ୟରେ ଦୂରତା ଏକ କିଲୋମିଟରରୁ ଅଧିକ ରହୁଛି, ସେଠି ପିଲାଙ୍କ ଯାତାୟାତ ଖର୍ଚ୍ଚ ସରକାର ବହନ କରିବେ। ତେଣୁ ଡ୍ରପ୍‌ ଆଉଟ୍ ପରିମାଣ ବଢ଼ିବା ଆଶଙ୍କା ନାହିଁ। ତେବେ ଏହା ଶିକ୍ଷା ସଂସ୍କାର କାର୍ଯ୍ୟକ୍ରମ ହୋଇଥିବାରୁ ମଧ୍ୟାହ୍ନ‌ ଭୋଜନରେ ନିୟୋଜିତ ପାଚିକା ବା ସହାୟିକାମାନଙ୍କ ପାଇଁ ଏହି ବ୍ୟବସ୍ଥାରେ କିଛି ନାହିଁ ବୋଲି ବିଭାଗୀୟ ସୂତ୍ରରୁ ସ୍ପଷ୍ଟ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର