ରାଜଧାନୀରେ ଜୁଆ ଆଡ଼ା ସକ୍ରିୟ : ସପ୍ତାହକ ମଧ୍ୟରେ ୫ଟି ଜୁଆ ଆଡ଼ା ଠାବ, ୨୭ ଗିରଫ

କୁମାର ପୂର୍ଣିମାରୁ ଦୀପାବଳି ପର୍ଯ୍ୟନ୍ତ ଚାଲିବ ଖେଳ

ଭୁବନେଶ୍ବର : ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଏହାର ସୁଯୋଗ ନେଇ ରାଜଧାନୀରେ ଏବେ ଜୁଆ ଆଡାଗୁଡ଼ିକ ସକ୍ରିୟ ହୋଇଉଠିଲାଣି। ବିଶେଷକରି କୁମାର ପୂର୍ଣିମାଠାରୁ ଦୀପାବଳି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଜୁଆ ଖେଳର ଆସର ଜମିଥାଏ। ଏଥିପାଇଁ ଏବେ ବସ୍ତିଠାରୁ ଆରମ୍ଭ କରି ବିଭିନ୍ନ ବଡ଼ ବଡ଼ ଆପାର୍ଟମେଣ୍ଟରେ ମଧୢ ଜୁଆଡ଼ି ସକ୍ରିୟ ହୋଇଗ‌ଲେଣି। ଜୁଆଡ଼ିମାନେ ସେମାନଙ୍କ ଖେଳ ଅତ୍ୟନ୍ତ ସନ୍ତର୍ପଣର ସହ ଚଳାଇଛନ୍ତି। କମିସନରେଟ୍‌ ପୁଲିସ ମଧୢ ଏହି ଜୁଆ ଆଡ଼ା ଉପରେ ନଜର ପକାଇବା ଆରମ୍ଭ କରିଛି। ସ୍ବତନ୍ତ୍ର ଭାବେ କୁଇକ ଆକ୍ସନ ଟିମ୍‌କୁ ଏହି ଦାୟିତ୍ବ ଦିଆଯାଇଛି। ଫଳରେ ସପ୍ତାହକ ମଧୢରେ କ୍ୟୁଏଟି କମିସନରେଟ୍‌ ପୁଲିସ ଅଧୀନରେ ୫ଟି ସ୍ଥାନରେ ଚଢ଼ଉ କରି ଜୁଆ ଆଡ଼ା ଠାବ କରିବା ସହିତ ୧ ଲକ୍ଷ ଟଙ୍କା ଜବତ କରିଛି। ଆଡ଼ାରୁ ୨୭ଜଣ ଜୁଆଡ଼ିଙ୍କୁ ମଧୢ ଗିରଫ କରି ସାରିଲାଣି। ଆଗାମୀ ଦିନରେ ଏଭଳି ଚଢ଼ଉ ଆହୁରି ଅଧିକ ହେବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ମୁଖ୍ୟତଃ ଦକ୍ଷିଣ ଓଡ଼ିଶାରେ କୁମାର ପୂର୍ଣିମାଠାରୁ ଦୀପାବଳି ପର୍ଯ୍ୟନ୍ତ ଏଭଳି ଜୁଆ ଖେଳ ଅଧିକ ମାତ୍ରାରେ ହୋଇଥାଏ। ତାହାର ପ୍ରଭାବ ମଧ୍ୟ ରାଜଧାନୀରେ ପଡ଼ିଥାଏ। ରାଜଧାନୀରେ ରହୁଥିବା ଦକ୍ଷିଣ ଓଡ଼ିଶା ଲୋକ ଏହାକୁ ବିଭିନ୍ନ ଉପାୟରେ ଖେଳିଥାନ୍ତି। ସପ୍ତାହକ ମଧୢରେ ଖଣ୍ଡଗିରି, ଜଟଣୀ, ଖାରବେଳନଗର, କ୍ୟାପିଟାଲ ଓ ନୂଆପଲ୍ଲୀ ଥାନା ଅଞ୍ଚଳରୁ ଜୁଆ ଆଡ଼ା ଠାବ ହେବା ଘଟଣାରୁ ରାଜଧାନୀରେ ଯେ ଜୁଆ ଖେଳ ବେଧଡ଼କ ଭାବେ ଚାଲିଛି, ତାହା ସ୍ପଷ୍ଟ ବାରି ହେଉଛି।

ରାଜଧାନୀର ଏକାଧିକ ବସ୍ତି ଓ କିଛି ଆପାର୍ଟମେଣ୍ଟରେ ଏବେ ଜୁଆ ଖେଳ ଜମିଲାଣି। ଏପରିକି କେତେକ ଜୁଆଡ଼ି ଛୋଟ ଛୋଟ ହୋଟେଲ ଓ ଲଜ୍‌ ରୁମ୍‌ ଭଡ଼ାରେ ନେଇ ତାସପାଲିରେ ଜୁଆ ମଧୢ ଖେଳୁଛନ୍ତି। କେତେକ ସ୍ଥାନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ, ଏପରିକି ସକାଳ ଯାଏଁ ଚାଲୁଥିବା ଖବର ମିଳୁଛି। ଏଭଳି ଖେଳରେ କିଏ ମାଲାମାଲ ହେଉଛି ତ ଆଉ କିଏ ସର୍ବସ୍ବ ହରାଉଛି। ଏପରିକି କେତେକ ନିଜ ଘର, କାର, ସୁନାଗହଣା ଓ ବାଇକ୍‌ ଆଦି ବନ୍ଧା ରଖି ମୋଟା ଅଙ୍କରେ ଟଙ୍କା ସୁଧକୁ ଆଣି ଜୁଆ ଖେଳୁଛନ୍ତି। ବିଶେଷକରି ସତ୍ୟନଗର, ଶାସ୍ତ୍ରୀନଗର, ସହିଦନଗର, ଚନ୍ଦ୍ରଶେଖରପୁର, ସାଲିଆସାହି, ଭରତପୁର, ପୁରୁଣା ଭୁବନେଶ୍ବର, ୟୁନିଟ-୩, ନୂଆପଲ୍ଲୀ, ବରମୁଣ୍ତା, ଜନପଥରେ ଥିବା କେତେକ ହୋଟେଲ ଓ ଲଜ୍‌ରେ ଏଭଳି ଖେଳ ଜୋରଦାର ଭାବେ ଚାଲୁଥିବା ଖବର ମିଳୁଛି। ରାଜଧାନୀ ଉପକଣ୍ଠରେ ଥିବା କେତେକ ଗାଁରେ ମଧୢ ଜୁଆ ଖେଳ ହେଉ ଥିବା ଅଭିଯୋଗ ହେଉଛି।

ଏ ସମ୍ପର୍କରେ ଜଣେ ଅଧିକାରୀ କହିଛନ୍ତି, ଜୁଆ ଖେଳ ହେଉଥିବା ନେଇ ଖବର ଆସିଲେ ପୁଲିସ ତୁରନ୍ତ ଚଢ଼ଉ କରିବ। ସାଧାରଣ ଲୋକ ଚାହିଁଲେ ମୋବାଇଲ ନମ୍ବର-୯୪୩୮୮୮୪୪୧୧, ୯୪୩୮୮୮୨୨୬୬ରେ ପୁଲିସକୁ ସୂଚନା ଦେଇ ପାରିବେ।

୪ ଜୁଆଡ଼ି ଗିରଫ, ୧୨ ହଜାର ଟଙ୍କା ଜବତ
ଖଣ୍ଡଗିରି : ଶନିବାର ବିଳମ୍ବିତ ରାତିରେ ଡୁମୁଡୁମା ରଘୁନାଥନଗରର ଜଗନ୍ନାଥମନ୍ଦିର ନିକଟରେ ଜୁଆ ଖେଳୁଥିବା ଅଭିଯୋଗରେ ପୁଲିସ ୪ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ରଘୁନାଥନଗରର ସାଗର ଶର୍ମା(୩୧), ଆଶୁତୋଷ ଶତପଥୀ(୪୮), ଏମ୍‌ସ ନଗରର କେଶବ ଚନ୍ଦ୍ର ସାହୁ(୩୧) ଓ କୋଚିଲାପୁଟ-ସରକନ୍ତରାର ବିଭୂତି ସେଠୀ(୩୦)। ପୁଲିସ ଜୁଆ ପାଲି, ୧୨ ହଜାର ଟଙ୍କା ଓ ୩ ବାଇକ୍‌ ଜବତ କରିଛି।

ସମ୍ବନ୍ଧିତ ଖବର