ଗ୍ୟାସ୍ ଏଜେନ୍ସିକୁ ୨୭ଲକ୍ଷ ଚୂନ

ଭୁବନେଶ୍ବର: ଖଣ୍ଡଗିରିସ୍ଥିତ ଓଡ଼ିଶା ସେଲ୍ସ ନାମକ ଏକ ଗ୍ୟାସ୍ ଡିଲର୍‌ ପାଖରୁ ପ୍ରାୟ ୨୭ ଲକ୍ଷ ୨୬ ହଜାର ୩ଶହ ୬୩ଟଙ୍କା ଠକେଇ ହୋଇଛି। ଭବାନୀପାଟଣାସ୍ଥିତ କୋକ୍‌ସରା ଇଣ୍ଡେନ୍ ଗ୍ରାମୀଣ ବିତରକ ସଂସ୍ଥା ଏହି ଠକେଇ କରିଥିବା ଖଣ୍ଡଗିରି ଥାନାରେ ଅଭିଯୋଗ କରାଯାଇଛି। ଓଡ଼ିଶା ସେଲ୍ସର ଅପରେସ୍‌ନାଲ୍ ମ୍ୟାନେଜର୍ ଜ୍ଞାନରଂଜନ ପରିଡ଼ାଙ୍କ ଅଭିଯୋଗକ୍ରମେ ପୁଲିସ କୋକ୍‌ସରା ସଂସ୍ଥାର ପ୍ରୋପ୍ରାଇଟର୍ ଅମରେଶ ନେଗିଙ୍କ ବିରୋଧରେ ଏକ ଠକେଇ ମାମଲା ରୁଜୁ କରିଛି।

ଜ୍ଞାନରଂଜନଙ୍କ ଏତଲା ଅନୁଯାୟୀ, ସେ ଓଡ଼ିଶା ସେଲ୍ସରେ କାମ କରନ୍ତି ଏବଂ ତାଙ୍କ ସଂସ୍ଥା ଇଣ୍ଡେନ୍ ଗ୍ୟାସ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରିବା ପାଇଁ ଫ୍ରାଞ୍ଚାଇଜ୍‌ ନେଇଛି। ଏହି କ୍ରମରେ ଅମରେଶଙ୍କ କୋକ୍‌ସରା ସଂସ୍ଥା ଓଡ଼ିଶା ସେଲ୍ସକୁ ଯୋଗାଯୋଗ କରି ଭବାନୀପାଟଣାରେ ଇଣ୍ଡେନ୍ ଗ୍ୟାସ୍ ବିତରଣ ପାଇଁ ଅନୁମତି ମାଗିଥିଲେ। ଅମରେଶଙ୍କର ପାରିବାରିକ ବ୍ୟବସାୟ ଥିବାରୁ ଓଡ଼ିଶା ସେଲ୍ସରୁ ଗ୍ୟାସ୍ ବ୍ୟତୀତ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ପାଇଁ ତାଙ୍କ ସହିତ ଚୁକ୍ତି କରିଥିଲେ। ଏହି କ୍ରମରେ ଓଡ଼ିଶା ସେଲ୍ସ ଭବାନୀପାଟଣାର କୋକ୍‌ସରା ସଂସ୍ଥାକୁ ଇଣ୍ଡେନ୍ ଗ୍ୟାସ୍ ସମେତ ଅନ୍ୟାନ୍ୟ ସାମଗ୍ରୀ ଆଦି ଦେଇଥିଲା।

ପ୍ରାୟ ୨୭ଲକ୍ଷ ଟଙ୍କାର ସାମଗ୍ରୀ ନେବା ପରେ ଅମରେଶ ଆଉ ଓଡ଼ିଶା ସେଲ୍ସକୁ ଧରାଛୁଆଁ ଦେଇନଥିଲେ। ସଂସ୍ଥାର କର୍ତ୍ତୃପକ୍ଷ ତାଙ୍କୁ ଫୋନ୍ କରି ଟଙ୍କା ମାଗିବାରୁ ସେମାନଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ତେବେ ଏନେଇ ପ୍ରାଥମିକ ପର୍ଯ୍ୟାୟରେ ଖଣ୍ଡଗିରି ଥାନା ପୁଲିସ ମାମଲା ରୁଜୁ ନ କରିବାରୁ ଓଡ଼ିଶା ସେଲ୍ସ ଭୁବନେଶ୍ବର ଏସ୍‌ଡିଜିଏମ୍ କୋର୍ଟର ଦ୍ବାରସ୍ଥ ହୋଇଥିଲା। ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଖଣ୍ଡଗିରି ଥାନା ପୁଲିସ କୋକ୍‌ସରା ଇଣ୍ଡେନ୍ ଗ୍ରାମୀଣ ବିତରକ ସଂସ୍ଥା ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର