ବିଧାନସଭା ସୁରକ୍ଷାରେ ୨୬ ପ୍ଲାଟୁନ୍ ଫୋର୍ସ: ଦୁଇଟି ସିସିଟିଭି କଣ୍ଟ୍ରୋଲ ରୁମ୍‌ରେ ହେବ ସୁରକ୍ଷା ନିୟନ୍ତ୍ରଣ

ଆତ୍ମାହୁତି ରୋକିବା ଲାଗି ସ୍ବତନ୍ତ୍ର ପଦକ୍ଷେପ, ଆଜି ସମୀକ୍ଷା କରିବେ ପୁଲିସ ଡିଜି

ଭୁବନେଶ୍ବର: ଅନେକ ପ୍ରସଙ୍ଗକୁ ନେଇ ଏଥରକ ବିଧାନସଭା ଶୀତ ଅଧିବେଶନ ସରଗରମ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୂରା ସୁରକ୍ଷା ଦାୟିତ୍ବରେ ୨୬ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସୁରକ୍ଷା ବ୍ୟବସ୍ଥା ପରିଚା​ଳିତ ହେବ। ୬ ଜଣ ଅତିରିକ୍ତ ଡିସିପି, ୧୧ଜଣ ଏସିପି, ୧୩ଇନ୍ସପେକ୍ଟର୍‌, ୬୨ଜଣ ଏସ୍ଆଇ ଓ ଏଏସ୍ଆଇ ନିୟୋଜିତ ରହିବେ। ଏସ୍ଓଜିର ଦୁଇ ୟୁନିଟ୍ ସ୍ବତନ୍ତ୍ର ତାଲିମପ୍ରାପ୍ତ ସ୍ପେସାଲ ଟାକ୍ଟିକାଲ୍ ୟୁନିଟ୍(ଏସ୍‌ଟିୟୁ) ମୁତୟନ ରହିବେ। ସିସିଟିଭି କ୍ୟାମେରାରେ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବା ପାଇଁ ରବୀନ୍ଦ୍ର ମଣ୍ଡପ ଏବଂ ଗାନ୍ଧୀ ମାର୍ଗରେ ଦୁଇଟି କଣ୍ଟ୍ରୋଲ ରୁମ୍ ରହିବ। ଗାନ୍ଧୀମାର୍ଗରେ ଉଭୟ ଧାରଣାସ୍ଥଳ ଓ ବିଧାନସଭାର ଚାରିପାଖ ସିସିଟିଭି ଅନ୍ତର୍ଭୁକ୍ତ ରହିବ। ସେହିପରି ଟ୍ରାଫିକ୍‌ ପରିଚାଳନା ପାଇଁ ୧ ପ୍ଲାଟୁନ୍ ଫୋର୍ସ ନିୟୋଜିତ ରହିବେ। ଏହାବାଦ୍ ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ, ରୁଫ୍‌-ଟପ୍ ସିକ୍ୟୁରିଟି, ସାର୍ପ ସୁଟର୍‌ମାନଙ୍କ ମଧ୍ୟ ମୁତୟନ କରାଯିବ।

ଆଜି କମିସନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି(ମଙ୍ଗଳବାର) ପୂର୍ବାହ୍ନ ୧୦ଟାରେ ପୁଲିସ ଡିଜି ଅଭୟ, ପୁଲିସ କମିସନର, ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ୍, ଡିସିପିଙ୍କ ସହ ମିଶି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ସ୍ଥିତି ସମୀକ୍ଷା କରିବେ। କମିସନରେଟ୍‌ ପୁଲିସକୁ ଆତ୍ମାହୁତି ଭୟ ଘାରିଛି। ମୌସୁମୀ ଅଧିବେଶନ ବେଳେ ଚିକିତ୍ସା ଅବହେଳା ଅଭିଯୋଗ କରି କୀଟନାଶକ ପିଇବା ସହ ହାତ କାଟି ଦେଇଥିଲେ ଜଗତସିଂହପୁର କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ ଦାସ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଦୁଷ୍ମନ୍ତ ଗାନ୍ଧୀ ମାର୍ଗ ନିକଟରେ ଥିବା ସରକାରୀ କ୍ବାର୍ଟର୍ସର ସର୍ଭିସ୍ ରୋଡ୍ ପଟୁ ଆସିଥିଲେ। ତାହା ସିସିଟିଭି ଅନ୍ତର୍ଭୂକ୍ତ ନଥିଲା। ସେହି ରାସ୍ତା ଏବେ ସିସିଟିଭି କଭରେଜ୍‌ରେ ରହିବ। ଆତ୍ମାହୁତି ଦେବାକୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯିବ। ସାଦା ପୋଷାକରେ ଗୁଇନ୍ଦା ମୁତୟନ ରହିବେ। ଏଭଳି ପରିସ୍ଥିତିକୁ ପ୍ରତିହତ କରିବା ପାଇଁ ବାଲ୍‌ତିରେ ବାଲି, କମ୍ବଳ ସହ ଅଗ୍ନିଶମ ଟିମ୍‌କୁ ସଜାଗ ରଖାଯିବ ବୋଲି ଜଣାପଡ଼ିଛି।

କମିସନରେଟ୍‌ ପୁଲିସର କଟକଣା
ଭୁବନେଶ୍ବର: ଆସନ୍ତା ଡିସେମ୍ବର ପହିଲାରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେଶନ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଗାଡ଼ି ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ଓଡ଼ିଶା ସହରାଞ୍ଚଳ ଆଇନ ୨୦୦୩ ଧାରା ୨୮ ଅନୁସାରେ ଆସନ୍ତା ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ବିଧାନସଭା ସଂଲଗ୍ନ ରାସ୍ତା ଗୁଡ଼ିକରେ ନିରାପତ୍ତାକୁ ଦୃଷ୍ଟିରେ ରଖି କାର୍ଯ୍ୟକ‌ାରୀ କରାଯିବ। ହାଉସିଂ ବୋର୍ଡ ଛକପଟୁ ଆସୁଥିବା ଗାଡ଼ିଗୁଡ଼ିକ କେଶରୀ ଟକିଜ୍‌ ଠାରୁ ଆଗକୁ ନଯାଇ ବାମପଟ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ। ସେହିପରି ଏଜି ଛକପଟୁ ପିଏମ୍‌ଜି ଛକ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ଜୟଦେବ ଭବନ ପାଖରେ ଅଟକି ଡାହାଣ ପଟରେ ଥିବା ଇନ୍ଦିରା ଗାନ୍ଧି ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ। ମାଷ୍ଟରକ୍ୟାଣ୍ଟିନ ପଟୁ ପିଏମ୍‌ଜି ଆଡ଼କୁ ଆସୁଥୁବା ସମସ୍ତ ଗାଡ଼ି ଲୋୟର ପିଏମଜି ଛକରୁ ବାମ କିମ୍ବା ଡାହାଣ ପାର୍ଶ୍ବ ରାସ୍ତା ଦେଇ ଯାଇପାରିବେ। କିନ୍ତୁ ସେମାନଙ୍କୁ ମହାତ୍ମାଗାନ୍ଧୀ ମାର୍ଗରେ ଯିବା ପାଇଁ ଅନୁମତି ଦିଆଯିବ ନାହିଁ। ୧୨୦ ବାଟାଲିୟନ ଛକ ପଟୁ ପିଏମଜି ଛକ ଆଡ଼କୁ ଆସୁଥୁବା ସମସ୍ତ ଗାଡ଼ି ପାୱାର ହାଉସ୍‌ ଛକ ଆଡ଼କୁ ଯିବେ। ରାଜଭବନ ଛକ ପଟୁ ଏମଏଲ୍‌ଏ କଲୋନି ଏବଂ ରବୀନ୍ଦ୍ର ମଣ୍ଡପକୁ ଯାଉଥିବା ସମସ୍ତ ଗାଡ଼ି ଶାସ୍ତ୍ରୀନଗର ଆଡ଼କୁ ଯିବେ। ଏହି କଟକଣା ବିଧାନସଭା, ଲୋକସେବା ଭବନ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟଳୟକୁ ଯାଉଥିବା ଅଧିକୃତ ଗାଡ଼ି ପାଇଁ ଲାଗୁ ହେବ ନାହିଁ।

ସମ୍ବନ୍ଧିତ ଖବର