୨୭ ବର୍ଷ ବିତିଲା, ମାଲିକାନା ମିଳିଲାନି

ଦଲିଲ ପାଇଁ ଦଉଡ଼ୁଛନ୍ତି ବରମୁଣ୍ଡା ବିଡିଏ ଏଚ୍‌ଆଇଜି ଡୁପ୍ଲେକ୍ସ କଲୋନି ବାସିନ୍ଦା

ଭୁବନେଶ୍ବର: ଲକ୍ଷ ଲକ୍ଷ ଟଙ୍କା ଦେଇ ବିଡିଏରୁ ଘର କିଣିଲେ। ଅଥଚ ଯେଉଁ ଘର କିଣିଲେ ସେହି ଘର ଯେଉଁ ଜମିରେ ତିଆରି ହୋଇଥିଲା, ତାହାର ମାଲିକାନା ନିଜ ନାଁରେ କରି ପାରିପାରିଲେ ନାହିଁ। ବର୍ଷେ କି ଦୁଇବର୍ଷ ନୁହେଁ, ଦୀର୍ଘ ୨୭ ବର୍ଷ ହେଲା ମାଲିକାନା ସ୍ବତ୍ତ୍ବ ପାଇଁ ସଂଘର୍ଷ କରୁଛନ୍ତି ବରମୁଣ୍ଡାର ବିଡିଏ ଏଚ୍‌ଆଇଜି ଡୁପ୍ଲେକ୍ସ କଲୋନି ବାସିନ୍ଦା। ଏଣେ ୩ ଧାଡ଼ିଆ ପ‌ଜେସନ୍‌ ପତ୍ର ଖଣ୍ଡେ ଲେଖାଏଁ ଧରାଇ ଦେଇ ଅଚିନ୍ତାରେ ବସି ପଡ଼ିଛି ବିଡିଏ। ବେଆଇନ ଭାବେ ଘର ନିର୍ମାଣ କଲେ ବିଡିଏ ବୁଲଡୋଜର୍ ଲଗାଇ ଘର ଭାଙ୍ଗି ଦେଉଛି। ହେଲେ ନିଜେ ସବୁ ନିୟମକୁ ଜଳାଞ୍ଜଳି ଦେଇ ଲୋକଙ୍କୁ ଦହଗଞ୍ଜ ହେବାକୁ ଠେଲି ଦେଇଛି। ଘର କ୍ରେତାଙ୍କଠାରୁ ସବୁ ଟଙ୍କା ପାଇବା ପରେ ବି ଏଯାଏଁ ଜମିର ଦଲିଲ୍‌ ଦେଉନାହିଁ, ସତେ ଯେମିତି ଏହି ‌କଲୋନିବାସୀ ପାପ କରିଛନ୍ତି। ୧୯୯୨ ମସିହାରେ ୧୨.୨ଏକର ଜମିରେ ବିଡିଏ ଏଚ୍‌ଆଇଜି ଡୁପ୍ଲେକ୍ସ ସ୍କିମ୍‌ ବରମୁଣ୍ଡାରେ ଆରମ୍ଭ ହୋଇଥିଲା। ସେଇ ଦୃଷ୍ଟିରୁ ଏହା ପ୍ରଥମ ଏଚ୍‌ଆଇଜି କଲୋନି। ସ୍କିମ୍‌ ଆରମ୍ଭର ଗୋଟିଏ ବର୍ଷ ପରେ ଅର୍ଥାତ ୧୯୯୩ରେ ଘର ଆବଣ୍ଟନ ଆରମ୍ଭ ହେଲା। ସେତେବେଳେ ୪.୬ ଲକ୍ଷ ଟଙ୍କା ଲେଖାଏଁ ଦେଇ ୨୨୯ଜଣ ଘର ନେଇଥିଲେ। ମାତ୍ର ଯେବେ ଜମିର ମାଲିକାନା କାଗଜପତ୍ର ପାଇଁ ଗଲେ ବିଡିଏ ସମୟ ଗଡ଼ାଇ ଚାଲିଲା। ଆଜି ନେବ, କାଲି ନେବ କହି ୨୭ବର୍ଷ ହେଲା ଦଉଡ଼ାଉଛି।

ଏପରିକି ୧୯୯୮ ପରଠୁ ଦଲିଲ ତଥା ମାଲିକାନା ସ୍ବତ୍ତ୍ବ ପାଇଁ ‌କଲୋନି ବାସିନ୍ଦା ବିଡିଏ ଅଫିସକୁ ନିୟମିତ ଯାଉଛନ୍ତି। ହେଲେ କିଛି ଲାଭ ହେଉନି। କେବଳ ମିଥ୍ୟା ପ୍ରତିଶ୍ରୁତି ମିଳି ଚାଲିଛି। ୨୦୦୭ରେ ବିଡିଏ କହି‌ଲା, ସାଧାରଣ ପ୍ରଶାସନ ବିଭାଗ ଆମକୁ ଏ ପର୍ଯ୍ୟନ୍ତ ଜମି ହସ୍ତାନ୍ତର କରିନାହିଁ। ଏହା ଜାଣିବା ପରେ କଲୋନି ବାସିନ୍ଦାଙ୍କ ଦ୍ବାରା ଗଠିତ ପ୍ରଜ୍ଞା ବିହାର ବିକାଶ ପରିଷଦ ପକ୍ଷରୁ ସାଧାରଣ ପ୍ରଶାସନ, ବିଡିଏ ଓ ତହସିଲଦାରଙ୍କଠାରୁ ସୂଚନା ଅଧିକାର ଆଇନରେ ଜମିର ଷ୍ଟାଟସ୍‌ ମଗାଗଲା। ତହସିଲଦାର ସଫା ଶୁଣେଇଦେଲେ ଏ ଜମିର ରେକର୍ଡ ଆମ ନିକଟରେ ନାହିଁ। ସାଧାରଣ ପ୍ରଶାସନ ବିଭାଗକୁ ପଚାର। ସାଧାରଣ ପ୍ରଶାସନ ବିଭାଗରେ ପହଞ୍ଚିଲା‌ ବେଳକୁ ସେମାନେ କହିଲେ ଆମେ କିଛି କରିପାରିବୁନି। ବିଡିଏ ତୁମକୁ ଘର ବିକିଥିଲା। ସେ ହିଁ ସେ ଜମିର ଦଲିଲ୍ ଦେବ। ଏହାପରେ ବିଡିଏ କର୍ତ୍ତୃପକ୍ଷ କହିଲେ ଜଙ୍ଗଲ କିସମ ଜମି ହୋଇଥିବାରୁ ଜଙ୍ଗଲ ବିଭାଗର କ୍ଲିୟରାନ୍ସ ମିଳିବା ପରେ ଦଲିଲ ଯୋଗାଇ ଦିଆଯିବ। ସାଧାରଣ ପ୍ରଶାସନ ବିଭାଗ ଏନେଇ ଯାହା ପଦକ୍ଷେପ ନେବ। ଏଠାରେ ପ୍ରଶ୍ନ ଉଠୁଛି ଯେ ୧୯୮୦ ମସିହାରୁ ଜଙ୍ଗଲ ଆଇନ କଡ଼ାକଡ଼ି ଲାଗୁ ହୋଇଥିଲେ ହେଁ ବିଡିଏ କାହିଁକି ଜଙ୍ଗଲ ବିଭାଗଠୁ କ୍ଲିୟରାନ୍ସ ନଆଣି ସାଧାରଣ ଲୋକଙ୍କ ସହ ଖେଳିଲା। ଏଣେ ବିଡିଏଠୁ ବାରମ୍ବାର ନିରାଶ ହେବା ପରେ କଲୋନି ବାସିନ୍ଦା ମୁଖ୍ୟ ଶାସନ ସଚିବଙ୍କୁ ଭେଟି ସମସ୍ୟାର ସମାଧାନ କରିବାକୁ କହିଥିଲେ। ୨୦୧୪ ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବଙ୍କୁ ଭେଟିବା ପରେ ବି କିଛି ସୁଫଳ ନ ମିଳିବାରୁ ୨୦୧୫ରେ କଲୋନିବାସୀ କୋର୍ଟଙ୍କ ଦ୍ବାରସ୍ଥ ହେଲେ। ଏବେ ବି ମାମଲା କୋର୍ଟରେ ଗଡ଼ୁଛି। କୋର୍ଟ ଜବାବ ତଲବ କରିବା ପରେ ସାଧାରଣ ପ୍ରଶାସନ ବିଭାଗ ଏ ମାମଲାରେ ନିଜର ଉତ୍ତର ରଖିବ ନାହିଁ, ବିଡିଏ ରଖିବ ବୋଲି କହିଥିଲା। ବିଡିଏ କିନ୍ତୁ ୨୦୧୬ରେ ଦର୍ଶାଇଥିଲା ‌ଯେ ଆବଶ୍ୟକୀୟ ଅର୍ଥ ପଇଠ କରି ସେ ସାଧାରଣ ପ୍ରଶାସନ ବିଭାଗଠାରୁ ଜମିର ଅଧିକାର ଆଣି ଘର ତୋଳି ବିକ୍ରି କରିଛି। ତେଣୁ ସାଧାରଣ ପ୍ରଶାସନ ବିଭାଗ ଜମି କିସମ ବଦଳାଇବା ନେଇ ପଦକ୍ଷେପ ନେବ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସଂପ୍ରତି କଲୋନିରେ ଏବେ ୮୦% ଘର ମାଲିକ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ହେଉଛନ୍ତି ବରିଷ୍ଠ ନାଗରିକ। ଏ ବୟସରେ ବି ନିଜ ନାଁରେ ଦଲିଲ କରିବା ପାଇଁ ବାରମ୍ବାର ଏ ଦୁଆରରୁ ସେ ଦୁଆର ହେବାକୁ ପଡ଼ୁଛି। ପରିତାପର ବିଷୟ ଏହି ଯେ ଜମିର ଦଲିଲ ତଥା ମାଲିକାନା ସ୍ବତ୍ତ୍ବ ରେକର୍ଡ ଘରର ମାଲିକଙ୍କ ନାଁରେ ନଥିବାରୁ ଅତ୍ୟାବଶ୍ୟକ ସ୍ଥଳେ ଏହି ପ୍ଲଟ୍‌କୁ ସେମାନେ ବିକ୍ରି କରିପାରୁନାହାନ୍ତି କି ବ୍ୟାଙ୍କରେ ବନ୍ଧକ ବି ରଖିପାରୁନାହାନ୍ତି ବୋଲି ପ୍ରଜ୍ଞା ବିହାର ବିକାଶ ପରିଷଦର ଉପସଭାପତି ମହେଶ ମିଶ୍ର ଏବଂ ସମ୍ପାଦକ ମନ୍ମଥ ଦଳାଇ କହିଛନ୍ତି।

ନଗର ଉନ୍ନୟନ ବିଭାଗକୁ ଚିଠି ଲେଖିଛୁ: ବିଡିଏ
ବରମୁଣ୍ଡା ଅଞ୍ଚଳରେ ବିଡିଏ କରିଥିବା ଏଚ୍‌ଆଇଜି ଡୁପ୍ଲେକ୍ସ ଏବଂ ହାଉସିଂ ବୋର୍ଡ କରିଥିବା ଘର ସବୁ ଜଙ୍ଗଲ ଜମିରେ ନିର୍ମାଣ ହୋଇଛି। ଜଙ୍ଗଲ ଜମି କିସମକୁ ପରିବର୍ତ୍ତନ ପାଇଁ ଆମେ ପ୍ରାୟ ବର୍ଷେ ହେଲା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଚିଠି ‌େଲଖିଛୁ। ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟରୁ ଆବଶ୍ୟକୀୟ ଅନୁମତି ଆଣି ଜମି କିସମ ପରିବର୍ତ୍ତନ କରିବାର ଥିବାରୁ ରାଜ୍ୟ ସରକାର ଏନେଇ ଆବଶ୍ୟକୀୟ ପ‌ଦକ୍ଷେପ ନେବେ। ଜଙ୍ଗଲ ଜମି କିସମ ପରିବର୍ତ୍ତନ ନେଇ ଯାହା ଯାହା ଗାଇଡଲାଇନ୍ ଅଛି ସେନେଇ ଆମେ ସମସ୍ତ ପ୍ରସ୍ତୁତି କରିଛୁ। କେବଳ କିସମ ପରିବର୍ତ୍ତନ କରିବାକୁ ମନ୍ତ୍ରଣାଳୟ ଅନୁମତି ଦେବା ଦରକାର। ଅନୁମତି ମିଳିଲେ ଆମେ ଜମି କିସମ ପରବର୍ତ୍ତନ କରି ଜମି ମାଲିକଙ୍କ ନାମରେ ରେଜିଷ୍ଟ୍ରି କରିଦେବୁ ଏବଂ ଦଲିଲ୍ ଦେବୁ।

ବିଡିଏ ବିଭିନ୍ନ ଆଳ ଦେଖାଇ ଚୁପ୍‌ ବସିଛି
ବିଡିଏ ସମାଧାନର ବାଟ ବାହାର କରିବା ଅପେକ୍ଷା ଏଣୁତେଣୁ ଆଳ କରି ବସିଥିବାରୁ ‌କଲୋନି ବାସିନ୍ଦାଙ୍କୁ ଦହଗଞ୍ଜ ହେବାକୁ ପଡ଼ିଛି। ଆଉ କେତେଦିନ ଅପେକ୍ଷା କରେଇବ। ମୋ’ ବୟସ ୭୭ ବର୍ଷ। ମୋର ଏବେ ଚିକିତ୍ସା ପାଇଁ ୫ଲକ୍ଷ ଟଙ୍କା ଦରକାର। କିନ୍ତୁ ଏମିତି ପ୍ଳଟ୍‌ ନେଲୁ ଯେ ଏହାକୁ ବନ୍ଧକ ରଖି କୌଣସି ବ୍ୟାଙ୍କ୍‌ ଋଣ ଦେବାକୁ ବି ପ୍ରସ୍ତୁତ ନୁହେଁ। ବିଡିଏ ଚାହିଁଲେ ଏହାର ସମାଧାନ କରିପାରନ୍ତା। କିନ୍ତୁ ଆନ୍ତରିକତା ନଦେଖେଇବା ଆମକୁ ସବୁଠୁ ବେଶୀ କଷ୍ଟ ଦେଉଛି।
ଡ. ଆର୍.ସି ମହାନ୍ତି
ପ୍ରଜ୍ଞା ବିହାର ବିକାଶ ପରିଷଦର ପୂର୍ବତନ ସଭାପତି

ବିଡିଏ ଭୁଲ୍‌ ପାଇଁ ଆମେ କାହିଁ ଭୋଗିବୁ
ବିଡିଏ ଭୁଲ୍‌ କଲା, ଆମେ କାହିଁ ଭୋଗିବୁ। ବିଡିଏ ଜମି/ପ୍ଲଟ୍‌ ଆବଣ୍ଟନ ପୂର୍ବରୁ ଜଙ୍ଗଲ ନିୟମ ଅନୁଯାୟୀ କ୍ଲିଅରାନ୍ସ ଆଣିବାର ଥିଲା। କିନ୍ତୁ ତାହା ନକରି ଆମକୁ କେବଳ ପଜେସନ୍‌ ପତ୍ର ଖଣ୍ଡେ ଲେଖାଏଁ ଧରେଇ ଦେଲା। ୨୭ ବର୍ଷ ହେଲା ଆମ ସହ ପ୍ରତାରଣା କରିଚାଲିଛି। ବିଡିଏର ଭୁଲ୍‌ ପାଇଁ ଆମେ କାହିଁକି ଭୋଗିବୁ?
ଲଲାଟେନ୍ଦୁ ରଥ
ପ୍ରଜ୍ଞା ବିହାର ବିକାଶ ପରିଷଦର ସଭାପତି

ସମ୍ବନ୍ଧିତ ଖବର