୨୭୦ଜଣ ପାଇଲେ ‘ଦଧୀଚି ସମ୍ମାନ’

ଡାକ୍ତର ପ୍ରଫୁଲ୍ଲ ମହାପାତ୍ରଙ୍କୁ ପ୍ରଥମ ‘ଜଗନ୍ନାଥ ଦାସ ସମ୍ମାନ’

ଭୁବନେଶ୍ୱର, : ଅଙ୍ଗଦାନ ଭଳି ଏକ ନିଆରା ଅଭିଯାନର ଅଂଶସ୍ବରୂପ ‘ଲୋକସେବକ ମଣ୍ଡଳ’ ଦ୍ବାରା କିଛି ବର୍ଷ ହେଲା ଆୟୋଜିତ ହୋଉଥିବା ‘ଦଧୀଚି ସମ୍ମାନ’ର ୪ର୍ଥ ସଂସ୍କରଣ ଆଜିି ଜୟଦେବ ଭବନଠାରେ ଆୟୋଜିତ ହୋଇଯାଇଛି। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥଙ୍କ ସଭାପତିିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ମହାପାତ୍ର କହିଲେ, ଅଙ୍ଗଦନ ସଂପର୍କରେ ସଚେତନତା ବୃଦ୍ଧି ପାଇଲେ ଲୋକେ ଏହାର ମହତ୍ବ ବୁଝିପାରିବ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଡି ପି ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ, ଯେଉଁମାନେ ଅଙ୍ଗଦାନ କରନ୍ତିି ତାହା ଗୋପନ ରଖାଯାଏ। ଜଣେ ଚାହିଁଁଲେ ନିଜ ପରିବାର ସଦସ୍ୟଙ୍କୁ ଅଙ୍ଗଦାନ କରିପାରିବେ, କିନ୍ତୁ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ଅନୁମତି ଆବଶ୍ୟକ। ସାଂସଦ ରୀତା ତରାଇ ଏଥିରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଶରୀର ଦାନ ପାଇଁ ସତ୍ୟପାଠ କରିଥିବା ୨୭୦ ଜଣଙ୍କୁ ‘ଦଧୀଚି ସମ୍ମାନ’ରେ ସମ୍ମାନିତ କରାଯାଇଛି। ଏଥିସହ ଓଡ଼ିଶାର ପ୍ରଥମ ଅଙ୍ଗଦାତା ଡାକ୍ତର ଜଗନ୍ନାଥ ଦାସଙ୍କ ନାମରେ ପ୍ରଥମ ‘ଜଗନ୍ନାଥ ଦାସ ସମ୍ମାନ’ ଡାକ୍ତର ପ୍ରଫୁଲ୍ଲ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି। ମୃତ୍ୟୁ ପରେ ସ୍ବେଚ୍ଛାକୃତ ଶରୀର ଦାନ ତଥା ଅଙ୍ଗଦାନ ଅଭିଯାନରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ମହାପାତ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଅଙ୍ଗଦାନ ଅଭିଯାନର ଅଧ୍ୟକ୍ଷ ତଥା ଲୋକସେବକ ମଣ୍ଡଳର କର୍ମୀ ପ୍ରଭାସ ଆଚାର୍ଯ୍ୟ କହିଲେ, ଏଯାଏଁ ୧୩୫୦ ଜଣ ବ୍ୟକ୍ତି ନିଜ ଅଙ୍ଗଦାନ ପାଇଁ ସମ୍ମତି ପ୍ରଦାନ କରିଛିନ୍ତି। ମହୋତ୍ସବର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନ ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ବି କେ ନାୟକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି, ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି ଓ ‘ସମାଜ’ର ସମ୍ପାଦକ ବାମାପଦ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ଶେଷ ଅଧିବେଶନରେ ସରକାରୀ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ, ଡାକ୍ତର ପି କେ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ‘ସମାଜ’ ମୁଖ୍ୟ ସଂଯୋଜକ ସୁରେଶ ଚନ୍ଦ୍ର ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର