୨୮ ‌କୋଲକାତା ଶ୍ରମିକ କୋଭିଡ୍‌ ନେଗେଟିଭ, ବାରଙ୍ଗବାସୀ ଆଶ୍ବସ୍ତ

ବାରଙ୍ଗ: ସ୍ଥାନୀୟ ନରଣପୁର ନିକଟସ୍ଥ ଆପାର୍ଟମେଣ୍ଟରୁ ସଙ୍ଗରୋଧ କେନ୍ଦ୍ରକୁ ସ୍ଥାନାନ୍ତର ହୋଇଥିବା ୨୮ଜଣ ପଶ୍ଚିମବଙ୍ଗ ଶ୍ରମିକ କରୋନା ‌ନେଗେଟିଭ୍‌ ବୋଲି ସୂଚନା ମିଳିଛି। ମୁର୍ସିଦାବାଦ୍‌ରୁ ଆସିଥିବା ସମସ୍ତ ୨୮ଜଣ ଶ୍ରମିକ କୋଭିଡମୁକ୍ତ ବୋଲି ବିଡିଓ ପ୍ରଭାକର ପଣ୍ଡା ସୂଚନା ଦେଇଛନ୍ତି। ତେଣୁ କୋଲକାତା ଶ୍ରମିକଙ୍କୁ ନେଇ କରୋନା ସଂକ୍ରମଣ ଭୟରେ ଥିବା ବାରଙ୍ଗବାସୀ ଆଶ୍ବସ୍ତ ହୋଇଛନ୍ତି। କିନ୍ତୁ କହ୍ନେଇପଡ଼ା ପଞ୍ଚାୟତ ଫକୀରପଡା ଗ୍ରାମ ନିକଟସ୍ଥ ଆପାର୍ଟମେଣ୍ଟରେ ସଂଗରୋଧ କରି ରଖାଯାଇଥିବା ୨୭ ଶ୍ରମିକଙ୍କ ସ୍ବାବ୍‌ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରି ରହିଛନ୍ତି ବାରଙ୍ଗବାସୀ। ଆସନ୍ତା ଗୁରୁବାର ସେମାନଙ୍କ ସ୍ବାବ୍ ପରୀକ୍ଷା ପାଇଁ ପଠାଯିବ ବୋଲି ବିଡିଓ ସୂଚନା ଦେଇଛନ୍ତି। ଗତ ୬ ତାରିଖରେ ଏହି ଶ୍ରମିକମାନେ ବସ୍‌ ଯୋଗେ କୋଲକାତାରୁ ଆସି ଉକ୍ତ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ। କୋଲକାତାରୁ ଆସିଥିବା ଖବର ପାଇ ବିଡିଓ ଶ୍ରୀ ପଣ୍ଡା ଓ ତାଙ୍କ ଟିମ୍‌ ସେଠାରେ ପହଞ୍ଚିଥିଲେ। ପରଦିନ ନିକଟସ୍ଥ ବିଦ୍ୟାଳୟରେ ସେହି ଶ୍ରମିକମାନଙ୍କୁ ସଙ୍ଗରୋଧ କରି ରଖିଥିଲେ। ପରେ ସେମାନଙ୍କ ସ୍ବାବ୍‌ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ଏବେ ମିଳିଥିବା ରିପୋର୍ଟରୁ ସମସ୍ତ ୨୮ ଶ୍ରମିକ ସଂକ୍ରମଣ ମୁକ୍ତ ଥିବା ଜଣାପଡିଛି। ତେଣୁ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଆପାର୍ଟମେଣ୍ଟକୁ ଛାଡ଼ି ଦିଆଯାଇଛି। ସେହିଭଳି ଆଜି ବ୍ଲକ୍‌ର ୧୩ ସଂଗରୋଧ କେନ୍ଦ୍ରରେ ରଖାଯାଇଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ୧୨ ଜଣଙ୍କୁ ବିପଦମୁକ୍ତ ଘୋଷଣା କରି ସେମାନଙ୍କ ଘରକୁ ଛାଡ଼ି ଦିଆଯାଇଛି। ପୂର୍ବରୁ ୨୮ଜଣ ପ୍ରବାସୀଙ୍କୁ ଘରକୁ ଫେରାଇ ଦିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ମୋଟ ୪୦ଜଣଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରୁ ଛାଡ଼ି ଦିଆଯାଇଛି। ଏବେ ଆଉ ୬୧ଜଣ ବିଭିନ୍ନ ସଂଗରୋଧ କେନ୍ଦ୍ରରେ ରହିଛନ୍ତି।

ସମ୍ବନ୍ଧିତ ଖବର