ଭୁବନେଶ୍ୱର: ମାତ୍ର ତିନି ଦିନ ମଧ୍ୟରେ ଏଟିଏମ୍ତଡ଼ା ଲୁଟେରା ଯେଉଁଭଳି ଭାବେ ରାଉରକେଲା ଓ ବ୍ରହ୍ମପୁର ସହରରେ ଆତଙ୍କ ଖେଳାଇଲେ ତାକୁ ନେଇ ଏବେ କମିସନରେଟ୍ ପୁଲିସରେ ଭାଳେଣି ପଡ଼ି ଯାଇଛି। କାରଣ ଭୁବନେଶ୍ୱରରେ ହିଁ ରହିଛି ରାଜ୍ୟର ସର୍ବାଧିକ ଏଟିଏମ୍। ଅଧାରୁ ଅଧିକ ଏଟିଏମ୍ କାଉଣ୍ଟର୍ରେ ସୁରକ୍ଷାକର୍ମୀ ନାହାନ୍ତି। କେତେକ ନିକାଞ୍ଚନ ଓ ଫାଙ୍କା ଅଞ୍ଚଳରେ ମଧ୍ୟ ରହିଛି। ଏପରି ସ୍ଥାନରୁ ଲୁଟ୍ ହେବାର ସମ୍ଭାବନା ବେଶି। ଏଭଳି ପରିସ୍ଥିତିରେ ଆଜି କମିସନରେଟ୍ ପୁଲିସ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ସମସ୍ତ ଥାନାବାବୁ ଓ ଏସିପିମାନଙ୍କୁ ପୁଲିସ କମିସନର୍ ଯୋଗେଶ ବାହାଦୁର ଖୁରାନିଆ କଡ଼ା ନିର୍ଦେଶ ଦେଇଛନ୍ତି। କହିଛନ୍ତି, ମୁଖ୍ୟ ରାସ୍ତା ସହ ଗଳିକନ୍ଦିରେ ବି ପାଟ୍ରୋଲିଂ କର। ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର ରଖ। ବିଶେଷକରି ଯେଉଁଠି ସବୁ ଫାଙ୍କା ଜାଗାରେ ଏଟିଏମ୍ କାଉଣ୍ଟର୍ ଅଛି, ତାର ସୁରକ୍ଷା ପ୍ରତି ଧ୍ୟାନ ଦିଅ। ପୁଲିସ କମିସନର୍ ଶ୍ରୀ ଖୁରାନିଆଙ୍କ ଏଭଳି ନିର୍ଦେଶ ପରେ ଏବେ ରାତିରେ ବ୍ଲକିଂ ଓ ଚେକିଂକୁ ଜୋରଦାର କରାଯାଇଛି।
ଏହି ଗ୍ୟାଙ୍ଗ୍ ଦୁଇ ଦିନ ତଳେ ବ୍ରହ୍ମପୁରର ୭ଟି ଏଟିଏମ୍ ଓ ରାଉରକେଲା କୁଆଁରମୁଣ୍ଡାର ଗୋଟିଏ ଏଟିଏମ୍ ଭାଙ୍ଗି ପାଖାପାଖି ୨୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ପୂର୍ବରୁ ଏହି ଗ୍ୟାଙ୍ଗ୍ ବର୍ଷ ଆରମ୍ଭରେ ଭଦ୍ରକରେ ଏଟିମ୍ ଭାଙ୍ଗି ୩୦ ଲକ୍ଷ ଟଙ୍କା, ଏହା ପରେ କଟକ ଗଣ୍ଡରପୁରରେ ଏଟିଏମ୍ ମେସିନ୍ କାଟି ୧୬ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏହା ପୂର୍ବରୁ ବାଲେଶ୍ୱରରେ ମଧ୍ୟ ଏଟିଏମ୍ ଭାଙ୍ଗି ୨୦ ଲକ୍ଷ ଟଙ୍କା ନେଇଯାଇଥିଲେ। ଏଟିଏମ୍ ମେସିନ୍କୁ ସେମାନେ ଗ୍ୟାସ କଟରରେ କାଟି ବା ଅନ୍ୟାନ୍ୟ ତରିକାରେ ତାଡ଼ି ଟଙ୍କା ଲୁଟି ନେଉଛନ୍ତି। ସାରା ରାଜ୍ୟରେ ଏଭଳି ଲୁଟପାଟ୍ ହେବା ପରେ ଏବେ କମିସନରେଟ୍ ପୁଲିସ ଚିନ୍ତାରେ ପଡ଼ି ଯାଇଛି। ପୁଲିସ କମିସନର୍ ଶ୍ରୀ ଖୁରାନିଆ କଟକ ଓ ଭୁବନେଶ୍ୱରର ଦୁଇ ଡିସିପିଙ୍କୁ ସର୍ତକ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। କାରଣ ଗତବର୍ଷ ଫେବ୍ରୁଆରିରେ ଏଟିଏମ୍ ହ୍ୟାକର୍ ଖାରବେଳନଗର ଥାନା ଅଧୀନ ଶ୍ରୀୟା ଛକରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଇଣ୍ଡିଆ, ଏୟାରଫିଲ୍ଡ ଥାନା ଅଧୀନ ପଳାସପଲ୍ଲୀରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଇଣ୍ଡିଆ ଓ ଶ୍ରୀ ଲିଙ୍ଗରାଜ ଥାନା ଅଧୀନ ବିବେକାନନ୍ଦ ମାର୍ଗରେ ଥିବା କର୍ପୋରେସନ୍ ବ୍ୟାଙ୍କରୁ ୪୪ ଲକ୍ଷ ଟଙ୍କା ଗାଏବ କରି ଦେଇଥିଲେ। ସେହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହିଦ କ୍ୟୁରେସି, ଅଜୟ ଚୌଧୁରୀ ଓ କ୍ରିଷ୍ଣା ଗୋପାଳ ପ୍ରମୁଖ ଗିରଫ ହୋଇଥିଲେ ମଧ୍ୟ ଅନ୍ୟମାନେ ଏଯାଏ ଫେରାର ଅଛନ୍ତି। ଫଳରେ ସାରା ରାଜ୍ୟରେ ପୁଣି ଥରେ ଏଟିଏମ୍ରୁ ଲୁଟପାଟ୍ ହେବା କମିସନରେଟ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇ ପଡ଼ିଛି।
ଏ ସମ୍ପର୍କରେ ପୁଲିସ କମିସନର ଶ୍ରୀ ଖୁରାନିଆ କହିଛନ୍ତି, ଲୁଟ ହୋଇଥିବା ଅଧିକାଂଶ ଏଟିଏମ୍ ନିଛାଟିଆ ସ୍ଥାନରେ ଥିଲା। ତେଣୁ ରାଜଧାନୀରେ ନିଛାଟିଆ ସ୍ଥାନରେ ଥିବା ଏଟିଏମ୍ ନିକଟରେ ପୁଲିସ ପାଟ୍ରୋଲିଂ କଡ଼ା କରିବାକୁ ସମସ୍ତ ଥାନା ଇନ୍ସପେକ୍ଟର ଓ ଏସିପିମାନଙ୍କୁ କୁହାଯାଇଛି। ଯେଉଁ ଏଟିଏମ୍ କାଉଣ୍ଟର୍ରେ ସିକ୍ୟୁରିଟି ଗାର୍ଡ ନାହାନ୍ତି, ସେଠାରେ ତୁରନ୍ତ ସିକ୍ୟୁରିଟି ଗାର୍ଡ ମୁତୟନ କରିବାକୁ ସମସ୍ତ ବ୍ୟାଙ୍କ କର୍ତୃପକ୍ଷଙ୍କୁ ଚିଠି କରାଯିବ। ଏହାଛଡ଼ା ସମସ୍ତ ଏଟିଏମ୍ରେ ସାଇରନ୍ ଲଗାଇବାକୁ ମଧ୍ୟ କୁହାଯାଇଛି। ବ୍ୟାଙ୍କ ଲକର୍ ଭଳି କେହି ଏଟିଏମ୍ ମେସିନ୍କୁ ତାଡ଼ିବା କ୍ଷଣି ଏହା ବାଜି ଉଠିବ। ଫଳରେ ସ୍ଥାନୀୟ ଲୋକ ସର୍ତକ ହୋଇ ଏନେଇ ପୁଲିସକୁ ଖବର ଦେବେ। ଏହାଦ୍ୱାରା ଲୁଟେରାମାନଙ୍କୁ କାବୁ କରିପାରିବ ବୋଲି ପୁଲିସ କମିସନର୍ ଶ୍ରୀ ଖୁରାନିଆ କହିଛନ୍ତି।